ତତ୍କାଳ ଟ୍ରେନ୍ ଟିକେଟ୍ ବୁକିଂରେ ଯୋଡି ହେବ ଇ- ଆଧାରକାର୍ଡ

246

ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ତତ୍କାଳ ଟ୍ରେନ୍ ଟିକେଟ୍ ପାଇଁ ଇ-ଆଧାରକାର୍ଡ ଯାଞ୍ଚ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହା ଦ୍ୱାରା ଯାତ୍ରୀମାନେ ଆବଶ୍ୟକତା ସମୟରେ ନିଶ୍ଚିତ ଟିକେଟ୍ ପାଇପାରିବେ। ଯେଉଁମାନଙ୍କର ଆଧାରକାର୍ଡ IRCTC ଆକାଉଣ୍ଟ ସହିତ ଯୋଡି ହୋଇ ରହିଛି ସେମାନଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯିବ। ସେମାନଙ୍କୁ ତତ୍କାଳ ଟିକେଟ୍ ବୁକିଂର ପ୍ରଥମ ୧୦ ମିନିଟ୍ ମଧ୍ୟରେ ପ୍ରାଥମିକତା ଦିଆଯିବ। ତତ୍କାଳ ୱିଣ୍ଡୋ ଖୋଲିବାର ପ୍ରଥମ ୧୦ ମିନିଟ୍ ମଧ୍ୟରେ ଆଇଆରସିଟିସିର ଅଧିକୃତ ଏଜେଣ୍ଟମାନଙ୍କୁ ସିଷ୍ଟମରେ ଟିକେଟ୍ ବୁକ୍ କରିବାକୁ ଅନୁମତି ଦିଆଯିବ ନାହିଁ। ଅର୍ଥାତ୍ ଯେଉଁମାନଙ୍କର ଆକାଉଣ୍ଟ ଆଧାର ସହିତ ଲିଙ୍କ୍ ହୋଇଛି, ସେମାନଙ୍କୁ ଟିକେଟ୍ ବୁକିଂ କରିବାରେ ଅଧିକ ସୁବିଧା ମିଳିବ।
ମନ୍ତ୍ରଣାଳୟର ଅଧିକାରୀଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଯେଉଁ ଏଜେଣ୍ଟମାନେ ଏଆଇକୁ ବ୍ୟବହାର କରି ଅନଲାଇନରେ ଟିକେଟ୍ ବିକ୍ରି କରୁଛନ୍ତି ସେମାନଙ୍କୁ ସାବାଡ଼ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ରେଳବାଇ ପକ୍ଷରୁ ଏହାକୁ ନେଇ କରାଯାଇଥିବା ପ୍ରାଥମିକ ତଦନ୍ତରେ ୨୦ ଲକ୍ଷରୁ ଅଧିକ ସନ୍ଦେହ ଜନକ ଆକାଉଣ୍ଟ ଠାବ କରାଯାଇଛି। ସେମାନଙ୍କର ଆଧାର ଏବଂ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ଯାଞ୍ଚ କରାଯାଉଛି। ବର୍ତ୍ତମାନ, IRCTC ୱେବସାଇଟରେ ୧୩ କୋଟିରୁ ଅଧିକ ସକ୍ରିୟ ସବସ୍କ୍ରାଇବର୍ ଅଛନ୍ତି। ଏମାନଙ୍କ ମଧ୍ୟରେ ଆଧାର ସହିତ ଲିଙ୍କ୍ ହୋଇଥିବା ଆକାଉଣ୍ଟ ସଂଖ୍ୟା ୧.୨ କୋଟି। ଏବେ ବଳକା ୧୧ କୋଟି ୮୦ ଲକ୍ଷ ଆକାଉଣ୍ଟର ସ୍ଵତନ୍ତ୍ର ତଦନ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି।

Comments are closed, but trackbacks and pingbacks are open.