IPL2022: ରୟାଲ୍ ଚ୍ୟାଲେଞ୍ଜର୍ସ ବନାମ ସନରାଇଜର୍ସ

23

ଚଳିତ ଆଇପିଏଲ୍‌ର ୩୬ତମ ଲିଗ୍‌ ମୁକାବିଲାରେ ସନ୍ଧ୍ୟାରେ ମୁହାଁମୁହିଁ ହେବେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନରାଇଜର୍ସ ହାଇଦ୍ରାବାଦ । ରୟାଲ୍‌ ଚ୍ୟାଲେଞ୍ଜର୍ସ ୭ଟି ମ୍ୟାଚ୍‌ରୁ ୫ ବିଜୟ ସହ ମୋଟ୍‌ ୧୦ ପଏଣ୍ଟ ହାସଲ କରିସାରିଛି । ଆଉ ଏକ ବିଜୟ ସହ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିବାକୁ ଦଳ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ସନରାଇଜର୍ସ ଏହି ମ୍ୟାଚ୍‌ ଜିତିଲେ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନରେ ପହଞ୍ଚିଯିବ ।

କ୍ରମାନ୍ୱୟରେ ୪ଟି ମ୍ୟାଚ୍‌ ଜିତିବା ପରେ ସନରାଇଜର୍ସର ମନୋବଳ ଦୃଢ ରହିଛି । ବୋଲିଂ ବାହିନୀ ଫର୍ମରେ ରହିଛନ୍ତି । ଦଳଗତ ବ୍ୟାଟିଂ ପ୍ରଦର୍ଶନ ବଳରେ ସନରାଇଜର୍ସର ବିଜୟ ସମ୍ଭବ ହୋଇଛି । କେବଳ କେନ ୱିଲିୟମସନଙ୍କ ବ୍ୟାଟ୍‌ରୁ ବଡ ଇନିଂସ ଦେଖିବାକୁ ସନରାଇଜର୍ସ ଫ୍ୟାନମାନେ ଅପେକ୍ଷା କରିଛନ୍ତି ।

ରୟାଲ୍‌ ଚ୍ୟାଲେଞ୍ଜର୍ସ ବିଜୟ ଧାରା ଅବ୍ୟାହତ ରଖିଥିଲେ ହେଁ ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲିଙ୍କ ଫର୍ମକୁ ନେଇ ଚିନ୍ତା ରହିଛି । ଆଜିର ମ୍ୟାଚ୍‌ରେ ତାଙ୍କ ବ୍ୟାଟ୍‌ରୁ ବଡ ଇନିଂସ ଦେଖିବାକୁ ଦର୍ଶକ ଆଶା ରଖିବେ । ମ୍ୟାଚ୍‌କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ଶେଷ ୫ଟି ମ୍ୟାଚ୍‌ରୁ ସନରାଇଜର୍ସ ୩ଟିରେ ବିଜୟୀ ହୋଇଛି । ଗତ ସିଜନରେ ଉଭୟ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତିଥିଲେ । ଏଥର ରୟାଲ୍‌ ଚ୍ୟାଲେଞ୍ଜର୍ସର ପଲା ଭାରି ରହିବା ଆଶା କରାଯାଇପାରେ । ଫାଫ ଡୁ ପ୍ଲେସି ଓ ଦିନେଶ କାର୍ତ୍ତିକଙ୍କ ଫର୍ମ ଓ ପ୍ରଦର୍ଶନକୁ ଦେଖିଲେ ରୟାଲ ଚ୍ୟାଲେଞ୍ଜର୍ସ ଷଷ୍ଠ ବିଜୟ ହାସଲ କରିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ।

Comments are closed, but trackbacks and pingbacks are open.