IPL2022:୧୩ ରନରେ ବାଙ୍ଗାଲୋର ଠାରୁ ପରାସ୍ତ ହେଲା ଚେନ୍ନାଇ ସୁପର କିଙ୍ଗସ,ପ୍ଲେ ଅଫ ଆଶା ମଉଳିଲା

29

ପୁଣେ: ବୋଲରଙ୍କ ଶୃଙ୍ଖଳିତ ବୋଲିଂ ବଳରେ ଆଇପିଏଲର ୪୯ତମ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚେନ୍ନାଇ ସୁପର କିଙ୍ଗ୍ସକୁ ୧୩ ରନରେ ପରାସ୍ତ କରିଛି। କ୍ରମାଗତ ତିନୋଟି ମ୍ୟାଚ୍ ହାରିବା ପରେ ପରାଜୟଧାରା ଭାଙ୍ଗିଛି ବେଙ୍ଗାଲୁରୁ। ବେଙ୍ଗାଲୁରୁ ୧୧ଟି ମୁକାବିଲାରୁ ଷଷ୍ଠ ବିଜୟ ସହ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନକୁ ଉଠିଛି। ପରାଜୟ ସହ ଚେନ୍ନାଇ ସୁପର କିଙ୍ଗ୍ସର ପ୍ଲେ ଅଫ ଆଶାକୁ ଶକ୍ତ ଧକ୍କା ଲାଗିଛି। ଚେନ୍ନାଇ ୧୦ଟି ମ୍ୟାଚରୁ ସପ୍ତମ ପରାଜୟ ଭୋଗିଛି। ବେଙ୍ଗାଲୁରୁ ବିଜୟରେ ଜୋସ ହେଜେଲଉଡ, ଗ୍ଲେନ ମ୍ୟାକ୍ସଓ୍ଵେଲ ଏବଂ  ହର୍ଷଲ ପଟେଲ୍ ପ୍ରମୁଖ ଭୂମିକା ନିଭାଇଛନ୍ତି। ବେଙ୍ଗାଲୁରୁ ଦ୍ଵାରା ଧାର୍ଯ୍ୟ ୧୭୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଚେନ୍ନାଇ ୮ ଓ୍ଵିକେଟ୍ ହରାଇ ୧୬୦ ରନରେ ସୀମିତ ରହିଛି।

ବେଙ୍ଗାଲୁରୁ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୭୩ ରନ କରିଥିଲା। ଦଳ ପକ୍ଷରୁ ମନିପାଲ ଲୋମରୋର ସର୍ବାଧିକ ୪୨ ରନ କରିଥିବା ବେଳେ ଫାଫ ଡୁପ୍ଲେସିସ୍ ୩୮ ରନ କରିଥିଲେ। ବିରାଟ କୋହଲି ୩୦ ରନ କରିଥିଲେ ହେଁ ୩୩ ବଲ୍‌ ଖେଳିଥିଲେ। ଦିନେଶ କାର୍ତ୍ତିକ ଦ୍ରୁତ ୨୬ ରନ କରି ଅପରାଜିତ ଥିଲେ। ରଜତ ପାଟିଦାର ୨୧ ରନ କରିଥିଲେ। ଚେନ୍ନାଇ ପକ୍ଷରୁ ମହିଶ  ଥିକଶାନା ୨୭ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ। ମୋଇନ ଅଲ୍ଲୀ ୨୮ ରନ ଦେଇ ୨ଟି ସଫଳତା ପାଇଛନ୍ତି।

ଜବାବରେ ଚେନ୍ନାଇ ସୁପର କିଙ୍ଗ୍ସ ଡେଭନ କନଓ୍ଵେଙ୍କ ୫୬ ରନ ସତ୍ତ୍ଵେ ୮ ଓ୍ଵିକେଟ୍ ହରାଇ ୧୬୦ ରନ କରି ପାରିଛି। ମୋଇନ ଅଲ୍ଲୀ ୩୪ ରନ ଏବଂ ଋତୁରାଜ ଗାଏକଓ୍ଵାଡ ୨୮ ରନ କରିଥିଲେ। ବେଙ୍ଗାଲୁରୁ ପକ୍ଷରୁ ହର୍ଷଲ ପଟେଲ୍ ୩୫ ରନ ଦେଇ ୩ଟି ଓ୍ଵିକେଟ୍, ଗ୍ଲେନ ମ୍ୟାକ୍ସଓ୍ଵେଲ ୨୨ ରନ ଦେଇ ୨ ଏବଂ ଜୋସ୍  ହେଜେଲଉଡ ୧୯ ରନରେ ଏକ ଓ୍ଵିକେଟ୍ ନେଇ ଦଳ ବିଜୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି।

Comments are closed, but trackbacks and pingbacks are open.