IPL 2022 : ୱାର୍ଣ୍ଣର ଓ ପାୱେଲ ବ୍ୟାଟିଂ ବିସ୍ଫୋରଣ, ହାଇଦ୍ରାବାଦକୁ ୨୦୮ ରନ୍‌ର ଟାର୍ଗେଟ ଦେଲା ଦିଲ୍ଲୀ କ୍ୟାପିଟାଲସ

30

ମୁମ୍ବାଇ: ନିଜର ପୂର୍ବତନ ଟିମ୍‌ ବିରୋଧରେ ଗର୍ଜିଛି ଡାଭିଡ ୱାର୍ଣ୍ଣରଙ୍କ ବ୍ୟାଟ। ଗତବର୍ଷ ଖରାପ ଫର୍ମ ପାଇଁ ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲ ଅଧାରୁ ୱାର୍ଣ୍ଣରଙ୍କୁ ଟିମ୍‌ରୁ ବାହାରେ ବସାଇଥିଲା। ନିଲାମ ବେଳେ ମଧ୍ୟ ହାଇଦ୍ରାବାଦ ୱାର୍ଣ୍ଣରଙ୍କୁ କିଣି ନଥିଲା। ହେଲେ ଏଥର ସେହି ହାଇଦ୍ରାବାଦ ବିପକ୍ଷରେ ସେ ଦମଦାର ବ୍ୟାଟିଂ କରିଛନ୍ତି। ତାଙ୍କୁ ବିସ୍ଫୋରକ ରୋଭମାନ ପାୱେଲ ମଧ୍ୟ ଭରପୂର ସହଯୋଗ କରିଛନ୍ତି। ୱାର୍ଣ୍ଣରଙ୍କ ଅପରାଜିତ ୯୨ ଓ ପାୱେଲଙ୍କ ଅପରାଜି ୬୭ ରନ୍‌ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୩ ୱିକେଟ ହରାଇ ୨୦୭ ରନ୍‌ କରିଛି। ଫଳରେ ହାଇଦ୍ରାବାଦକୁ ଏହି ମ୍ୟାଚ୍‌ ଜିତିବା ପାଇଁ ବିଶାଳ ୨୦୮ ରନ୍‌ର ଟାର୍ଗେଟ ମିଳିଛି।
ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ କେନ୍‌ ୱିଲିୟମସନ ଟସ୍‌ ଜିତି ଦିଲ୍ଲୀକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଦିଲ୍ଲୀ ପାଇଁ ଆଜି ନୂଆ ଯୋଡ଼ି ୱାର୍ଣ୍ଣର ଓ ମନଦୀପ ସିଂହ ଇନିଂସ ଆରମ୍ଭ କରିଥିଲେ। ହେଲେ ମନଦୀପ ଖାତା ଖୋଲିବା ପୂର୍ବରୁ ପ୍ରଥମ ଓଭର୍‌ରେ ହିଁ ଭୁବନେଶ୍ୱର କୁମାରଙ୍କ ଶିକାର ବନିଥିଲେ। ୩ନଂରେ ବ୍ୟାଟିଂ କରିବାକୁ ଆସିଥିବା ମିଚେଲ ମାର୍ଶ କେବଳ ୧୦ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ୱିକେଟ ହାଇଦ୍ରାବାଦ ପାଇଁ ଡେବ୍ୟୁ କରିଥିବା ସେନ ଆବୋଟ୍ଟ ନେଇଥିଲେ। ୩୭ ରନ୍‌ରେ ଦୁଇ ୱିକେଟ ହରାଇ ସାମନ୍ୟ ବ୍ୟାକଫୁଟରେ ଥିବା ଦିଲ୍ଲୀ ଏଠାରୁ ଅଧିନାୟକ ଋଷଭ ପନ୍ତ ଓ ୱାର୍ଣ୍ଣର ସମ୍ଭାଳିଥିଲେ।
ଉଭୟ ଦ୍ରୁତଗତିରେ ରନ୍‌ ସଂଗ୍ରହ କରିବା ସହ ଦଳୀୟ ସ୍କୋରକୁ ୮୫ରେ ପହଞ୍ଚାଇ ଦେଇଥିଲେ। ଏତିକି ବେଳେ ବଡ଼ ଶଟ୍‌ ଖେଳିବା ଲୋଭରେ ପନ୍ତ(୨୬) ଶ୍ରେୟସ ଗୋପାଲଙ୍କ ବଲ୍‌ରେ କ୍ଲିନ ବୋଲ୍ଡ ହୋଇଯାଇଥିଲେ। ଦିଲ୍ଲୀ ୩ଟି ୱିକେଟ ହରାଇ ଥିଲେ ମଧ୍ୟ ୱାର୍ଣ୍ଣର ଓ ୪ନଂରେ ବ୍ୟାଟିଂ କରିବାକୁ ଆସିଥିବା ପାୱେଲଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନଥିଲା। ଉଭୟ ବଡ଼ବଡ଼ ଶଟ୍‌ ଖେଳିବା ସହ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଅର୍ଦ୍ଧଶତକ ହାସଲ କରିବା ପରେ ୱାର୍ଣ୍ଣର ଆହୁରି ବିସ୍ଫୋରକ ରୂପ ଧାରଣ କରିଥିଲେ। ୧୯ତମ ଓଭର୍‌ର ବୋଲିଂ କରୁଥିବା ଭୁବନେଶ୍ୱର କୁମାରଙ୍କୁ ଲଗାତର ଦୁଇଟି ଚୌକା ମାରି ୱାର୍ଣ୍ଣର ୪ର୍ଥ ୱିକେଟ ପାଇଁ ପାୱେଲଙ୍କ ସହ ମିଶି ୧୦୦ ରନ୍‌ର ପାର୍ଟନଶିପ ପୂରଣ କରିଥିଲେ। ଏହି ଓଭର୍‌ରେ ଦିଲ୍ଲୀ ୧୪ ରନ୍‌ ହାସଲ କରିଥିଲା।

୨୦ତମ ଓଭର୍‌ ପ୍ରଥମ ବଲରରେ ଉମ୍ରାନ ମଲିକଙ୍କୁ ଛକା ମାରି ପାୱେଲ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହାର ଗୋଟିଏ ବଲ ଛାଡ଼ି ସେ ଲଗାତର ୩ଟି ଚୌକା ମାରି ନିଜର ବିସ୍ଫୋରକ ଅନ୍ଦାଜ ଦେଖାଇଥିଲେ। ଶେଷ ବଲର୍‌ରେ ୧ ରନ୍‌ ହେବାରୁ ଦିଲ୍ଲୀ ୨୦୭ ରନ୍‌ରେ ପହଞ୍ଚି ପାରିଛି। ପାୱେଲ ୩୫ ବଲରେ ଅପରାଜିତ ୬୭ ରନ୍‌ କରିଛନ୍ତି। ଏହି ଇନିଂସରେ ସେ ୩ଟି ଚୌକା ଓ ୬ଟି ଛକା ମାରିଛନ୍ତି। ୱାର୍ଣ୍ଣର ୫୮ଟି ବଲ୍‌ରେ ଅପରାଜିତ ୯୨ ରନ୍‌ର ଇନିଂସ୍‌ ଖେଳିଛନ୍ତି। ସେ ୧୨ଟି ଚୌକା ଓ ୩ଟି ଛକା ମାରିଛନ୍ତି।

Comments are closed, but trackbacks and pingbacks are open.