IPL 2022 :ଲକ୍ଷ୍ନୌ ସୁପର ଜାୟଣ୍ଟସ ଠାରୁ ସନରାଇଜର୍ସ ହାଇଦ୍ରାବାଦ ୧୨ ରନରେ ପରାସ୍ତ
ଅଭେଶ ଖାନଙ୍କ ଶାଣିତ ବୋଲିଂ ବଳରେ ଆଇପିଏଲର ୧୨ତମ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାୟଣ୍ଟସ ସନରାଇଜର୍ସ ହାଇଦ୍ରାବାଦକୁ ୧୨ ରନରେ ପରାସ୍ତ କରିଛି। ଏଥିସହ ଲକ୍ଷ୍ନୌ ତୃତୀୟ ମ୍ୟାଚ୍ରୁ ଦ୍ଵିତୀୟ ବିଜୟ ହାସଲ କରିଛି। ଅନ୍ୟପଟେ ସନରାଇଜର୍ସ ହାଇଦ୍ରାବାଦ କ୍ରମାଗତ ଦ୍ଵିତୀୟ ପରାଜୟ ଭୋଗିଛି। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ରାହୁଲଙ୍କ ୬୮ ଏବଂ ଦୀପକ ହୁଡ୍ଡା ୫୧ ରନ ବଳରେ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୬୯ ରନ କରିଥିଲେ। ଜବାବରେ ସନରାଇଜର୍ସ ହାଇଦ୍ରାବାଦ ୯ ଓ୍ଵିକେଟ୍ ହରାଇ ୧୫୭ ରନ କରିବାକୁ ସକ୍ଷମ ହୋଇଛି। ଦଳ ପକ୍ଷରୁ ରାହୁଲ ତ୍ରିପାଠୀ ୪୪ ରନ ଏବଂ ନିକୋଲାସ ପୁରନ ୩୪ ରନ କରିଛନ୍ତି। ଅଭେଶ ଖାନ ୨୪ ରନ ଦେଇ ୪ ଓ୍ଵିକେଟ୍ ନେଇ ଦଳ ବିଜୟରେ ପ୍ରମୁଖ ଗ୍ରହଣ କରିଛନ୍ତି। ଜାସନ ହୋଲଡର ୩ ଏବଂ କୃଣାଲ ପାଣ୍ଡ୍ୟା ୨ଟି ଓ୍ଵିକେଟ୍ ନେଇଥିଲେ।
୧୭୦ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ସନରାଇଜର୍ସ ହାଇଦ୍ରାବାଦ ଦଳୀୟ ସ୍କୋର ୨୫ ରନରେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। କେନ ଓ୍ଵିଲିୟମସନ(୧୬) ଆଉଟ୍ ହୋଇଥିଲେ। ପୁଣି ଅଭିଷେକ ଶର୍ମା(୧୩) ପାଭିଲିୟନ ଫେରିଥିଲେ। ଉଭୟଙ୍କୁ ଅଭେଶ ଖାନ ଆଉଟ୍ କରିଥିଲେ। ଏହା ପରେ ରାହୁଲ ତ୍ରିପାଠୀ ଏବଂ ଆଡନ ମାରକ୍ରମ ଇନିଂସକୁ କିଛି ସମୟ ସମ୍ଭାଳିଥିଲେ। ଉଭୟଙ୍କ ମଧ୍ୟରେ ୪୪ ରନ ଭାଗିଦାରୀ ହୋଇଥିଲା। ତେବେ ମାରକ୍ରମ(୧୨) ଆଉଟ୍ ହୋଇଥିଲେ। ଇନିଂସ ସମ୍ଭାଳିଥିବା ରାହୁଲ ଆଉଟ୍ ହେବା ହାଇଦ୍ରାବାଦକୁ ବଡ ଝଟକା ଲାଗିଥିଲା। ତ୍ରିପାଠୀ ୩୦ ବଲ୍ରୁ ୫ ଚୌକା ଏବଂ ୧ ଛକା ସହ ୪୪ ରନ କରିଥିଲେ।
ଏହା ପରେ ନିକୋଲାସ ପୁରନ ଭଲ ବ୍ୟାଟିଂ କରିଥିଲେ। ସେ ୨୪ ବଲ୍ରୁ ୩ ଚୌକା ଓ ୨ ଛକା ସହ ୩୪ ରନ କରିଥଲେ ହେଁ ଦଳକୁ ପରାଜୟରୁ ବଞ୍ଚାଇ ପାରିନଥିଲେ। ଓ୍ଵାଶିଂଟନ ସୁନ୍ଦର ୧୮ ରନ କରି ଆଉଟ୍ ହେବା ପରେ ହାଇଦ୍ରାବାଦ ବିଜୟରୁ ଦୂରେଇ ଯାଇଥିଲା। ନିର୍ଦ୍ଧାରିତ ଓଭରରେ ଦଳ ୯ ଓ୍ଵିକେଟ୍ ହରାଇ ୧୫୭ ରନ କରିଥିଲା।
Comments are closed, but trackbacks and pingbacks are open.