ଆଇପିଏଲ ୨୦୨୨ : ଆଜି ମୁମ୍ବାଇ ଇଣ୍ଡିଆନ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ହେବେ ମୁହାଁ ମୁହିଁ

30

ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହୋଇଯାଇଛି ଆଇପିଏଲ୍‌- ୨୦୨୨ ର ୧୫ ତମ ସଂସ୍କରଣ I ଗତକାଲି ପ୍ରଥମ ମ୍ୟାଚ ରେ ଚେନ୍ନାଇ ସହିତ କଲକାତା ନାଇଟ ରାଇଡ଼ର୍ସ ମଧ୍ୟରେ ଉଦ୍ଘାଟନ ମ୍ୟାଚ ସରିଛି I ଏଥିରେ କେକେଆର -ସିଏସକେ କୁ ୬ ଉଇକେଟ ରେ ହରାଇ ନିଜର ବିଜୟ ଅଭିଯାନ ଆରମ୍ଭ କରିଛି I ଆଜି ୨୭ ମାର୍ଚ୍ଚ ରବିବାର ରେ ଦ୍ୱିତୀୟ ଲିଗ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଉଭୟ ଦଳ ବିଜୟ ସହ ସିଜନ ଆରମ୍ଭ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । ଗତ ମେଗା ଖେଳାଳି ନିଲାମରେ ମୁମ୍ବାଇ ଓ ଦିଲ୍ଲୀ ଏକ ସନ୍ତୁଳିତ ଦଳ ଗଠନ କରିଛନ୍ତି । ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଅପରାହ୍ଣ ୩.୩୦ରୁ ମ୍ୟାଚ୍‌ ଆରମ୍ଭ ହେବ ।

ପାଞ୍ଚଥର ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ୨୦୨୧ ସଂସ୍କରଣରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଦଳ ୧୪ଟି ମ୍ୟାଚ୍‌ରୁ ୭ ବିଜୟ, ୭ ପରାଜୟ ସହ ୧୪ପଏଣ୍ଟ ପାଇ ସପ୍ତମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା । ପୂର୍ବ ସଂସ୍କରଣର ପ୍ରଦର୍ଶନକୁ ଭୁଲି ରୋହିତ ବାହିନୀ ନୂଆ ରୂପରେ ପଡ଼ିଆକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ରହିଛନ୍ତି । ୨୦୨୧ ଆଇପିଏଲ୍‌ରେ ଦିଲ୍ଲୀ ବିପକ୍ଷରେ ମୁମ୍ବାଇ ୨ଟି ଯାକ ମ୍ୟାଚ୍‌ରେ ପରାଜିତ ହୋଇଥିଲା । ଆଜି ଦଳ ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି । ଦଳ ପ୍ରଥମ ମ୍ୟାଚ୍‌ ଖେଳୁଥିବାରୁ ଚୂଡ଼ାନ୍ତ ଏକାଦଶ ଆକଳନ କରିବା ମୁସ୍କିଲ । ରୋହିତ ଶର୍ମାଙ୍କ ସହ ଈଶାନ କିଷନ ପାଳି ଆରମ୍ଭ କରିବେ । ଆହତ ସମସ୍ୟା କାରଣରୁ ଦଳ ସହ ଯୋଗ ଦେଇନଥିବା ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ତିଲକ ବର୍ମା ୩ନଂ କ୍ରମରେ ବ୍ୟାଟିଂ କରିବେ ।

ଗତ ୧୯ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଚର୍ଚ୍ଚାର ପରିସରକୁ ଆସିଥିବା ଦକ୍ଷିଣ ଆଫ୍ରିକାର ଡିୱାଲ୍ଡ ବ୍ରେଭିସ୍‌ ପଦାର୍ପଣ ସୁଯୋଗ ପାଇବା ସମ୍ଭାବନା ରହିଛି । ତାଙ୍କୁ ଜୁନିୟର ଡି’ଭିଲର୍ସ ଭାବେ ବିବେଚନା କରାଯାଉଛି । ସିଙ୍ଗାପୁରର ଦୁର୍ଦ୍ଧର୍ଷ ବ୍ୟାଟର ଟିମ୍‌ ଡେଭିଡ୍‌ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇପାରନ୍ତି । ମୁରୁଗାନ ଅଶ୍ୱିନ ସ୍ପିନ ବିଭାଗ ସମ୍ଭାଳିବେ ।ଆଜିର ମ୍ୟାଚ୍‌ରେ ବ୍ରେଭିସ୍‌ଙ୍କ ସମେତ ଷ୍ଟାର୍‌ ପେସ୍‌ ବୋଲର ଯଶପ୍ରୀତ ବୁମ୍‌ରାଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

ରିଷଭ ପନ୍ତଙ୍କ ନେତୃତ୍ତ୍ୱାଧିନ ଦିଲ୍ଲୀ କ୍ୟାପିଟାଲ୍ସ ଗତ ସଂସ୍କରଣରେ ପ୍ଲେ- ଅଫ୍‌ରୁ ବିଦାୟ ନେଇଥିଲା । ନୂଆ ସିଜନ ପାଇଁ ଦଳରେ ଅନେକ ନୂଆ ମୁହଁ ସାମିଲ୍‌ ହୋଇଛନ୍ତି । ୧୯ବର୍ଷରୁ କମ୍‌ ବିଶ୍ୱକପ୍‌ ଚାମ୍ପିଅନ୍‌ ଭାରତୀୟ ଦଳ ଅଧିନାୟକ ୟଶ୍‌ ଧୂଲ ପୃଥ୍ୱୀ ଶ’ଙ୍କ ସହ ପାଳି ଆରମ୍ଭ କରିବେ । ପଦାର୍ପଣ ଆଇପିଏଲ୍‌କୁ ନେଇ ସେ ଜୋରଦାର ପ୍ରସ୍ତୁତି କରିଛନ୍ତି । ଅଷ୍ଟ୍ରେଲିଆର ତାରକା ବ୍ୟାଟର ଡେଭିଡ୍‌ ୱାର୍ଣ୍ଣର ଓ ମିଚେଲ ମାର୍ଶ ଚଳିତ ବର୍ଷ କ୍ୟାପିଟାଲ୍ସ ସଦସ୍ୟ ରହିଛନ୍ତି । କିନ୍ତୁ ଜାତୀୟ ଦଳର କ୍ରୀଡ଼ାସୂଚୀ ପାଇଁ ଉଭୟ ଦଳରେ ଯୋଗ ଦେଇନାହାନ୍ତି । ଲୁଙ୍ଗି ଏନ୍‌ଗିଡ଼ି ଓ ମୁସ୍ତାଫିଜୁର କ୍ୱାରେଣ୍ଟାଇନ୍‌ରେ ଅଛନ୍ତି । ଏହା ଦଳ ପାଇଁ ଚିନ୍ତାର କାରଣ ହୋଇଛି । ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ର ରୋଭମାନ ପାୱେଲ ଓ ନ୍ୟୁଜିଲାଣ୍ଡର ଟିମ୍‌ ସିଫର୍ଟଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

Comments are closed, but trackbacks and pingbacks are open.