IPL 2022: ପଞ୍ଜାବ ବିପକ୍ଷରେ KKRର ସହଜ ବିଜୟ
ଆନ୍ଦ୍ରେ ରସେଲଙ୍କ ଧୂଆଁଧାର ଅପରାଜିତ ଅର୍ଦ୍ଧଶତକ ବଳରେ କୋଲକାତା ନାଇଟ୍ ରାଇଡର୍ସ ଚଳିତ ଆଇପିଏଲର ଅଷ୍ଟମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ସହଜରେ ପରାସ୍ତ କରିଛି। ଦୁଇଟି ମ୍ୟାଚ୍ରୁ କେକେଆରର ଏହା ପ୍ରଥମ ବିଜୟ ହୋଇଥିବା ବେଳେ ସମାନ ମ୍ୟାଚ୍ରୁ ପଞ୍ଜାବ କିଙ୍ଗ୍ସର ପ୍ରଥମ ପରାଜୟ। ପଞ୍ଜାବ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ୧୮.୨ ଓଭରରେ ୧୩୭ ରନରେ ଅଲଆଉଟ୍ ହୋଇଥିଲା। ଉମେଶ ଯାଦବ ୨୩ ରନ ଦେଇ ୪ ଓ୍ଵିକେଟ୍ ନେଇ ପଞ୍ଜାବ କିଙ୍ଗ୍ସର ବ୍ୟାଟିଂ ବିପର୍ଯୟ ଘଟାଇଥିଲେ। ପଞ୍ଜାବ ପକ୍ଷରୁ ଭାନୁକା ରାଜପକ୍ଷେ ସର୍ବାଧିକ ୩୧ ରନ କରିଥିଲେ। କାଗିସୋ ରାବଡା ୨୫ ଏବଂ ଲିୟାମ ଲିଭିଙ୍ଗଷ୍ଟୋନ ୧୯ ରନ କରିଥିଲେ। ଜବାବରେ ରସେଲଙ୍କ ୩୧ଟି ବଲ୍ରୁ ବିସ୍ଫୋରକ ବ୍ୟାଟିଂ ୨ ଚୌକା ଏବଂ ୮ ଛକା ସହ ୭୦ ରନ ବଳରେ କୋଲକାତା ୧୪.୩ ଓଭରରେ ୪ ଓ୍ଵିକେଟ୍ ହରାଇ ୧୪୧ ରନ କରି ବିଜୟୀ ହୋଇଛି।
୧୩୮ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା କେକେଆର ୧୪ ରନ ସ୍କୋରରେ ଆଜିଙ୍କ୍ୟ ରାହାଣେ(୧୨)ଙ୍କ ଓ୍ଵିକେଟ୍ ହରାଇଥିଲା। ପୁଣି ଦଳୀୟ ସ୍କୋର ୩୮ ରନରେ ଭେଙ୍କଟେଶ ଆୟର(୩) ଆଉଟ୍ ହୋଇଥିଲେ। ଅଧିନାୟକ ଆୟର ୨୬ ରନ କରି କିଛି ସମୟରେ କ୍ରିଜରେ ଜମି ରହିଥିଲେ। ପୁଣି ନୀତିଶ ରାଣା ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ। ୫୧ ରନରେ ୪ ଓ୍ଵିକେଟ୍ ହରାଇ କୋଲକାତା ସଙ୍କଟରେ ପଡିଥିଲା।
ଏହା ପରେ ସାମ ବିଲିଙ୍ଗ୍ସ ଏବଂ ଆନ୍ଦ୍ରେ ରସେଲ ଇନିଂସ ସମ୍ଭାଳିଥିଲେ। ରସେଲ କ୍ରିଜକୁ ଆସିବା ମାତ୍ରେ ଛକା ବର୍ଷା କରି ଦଳକୁ ଚାପ ମୁକ୍ତ କରିବା ସହ ଆଉ କୌଣସି କ୍ଷତି ହେବାକୁ ଦେଇନଥିଲେ। ଉଭୟ ପଞ୍ଚମ ଓ୍ଵିକେଟ୍ରେ ୯୦ ରନ ଯୋଡି ଦଳକୁ ୧୪.୩ ଓଭରରେ ୪ ଓ୍ଵିକେଟ୍ ବିନିମୟରେ ବିଜୟୀ କରାଇଛନ୍ତି। ରସେଲ ୩୧ ବଲ୍ରୁ ୨ ଚୌକା ଏବଂ ୮ ଛକା ସହ ୭୦ ରନ ଏବଂ ସାମ ବିଲିଙ୍ଗ୍ସ ୨୪ ରନରେ ଅପରାଜିତ ଥିଲେ।
Comments are closed, but trackbacks and pingbacks are open.