IPL ୨୦୨୨ : ରାଜସ୍ଥାନ ରୟାଲ୍ସକୁ ୪ ଓ୍ଵିକେଟ୍‌ରେ ହରାଇଲା ବାଙ୍ଗାଲୋର

33

ଦିନେଶ କାର୍ତ୍ତିକ ଏବଂ ଶାହବାଜ ଅହମ୍ମଦଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଆଇପିଏଲର ୧୩ତମ ମ୍ୟାଚ୍‌ରେ ରାଜସ୍ଥାନ ହାତରୁ ବିଜୟ ଛଡାଇ ନେଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ରାଜସ୍ଥାନ ରୟାଲ୍ସକୁ ୪ ଓ୍ଵିକେଟ୍‌ରେ ହରାଇଛି ଆରସିବି। ଆରସିବି ତିନୋଟି ମ୍ୟାଚ୍‌ରୁ ଦ୍ଵିତୀୟ ବିଜୟ ହାସଲ କରିଥିବା ବେଳେ ଲଗାତାର ଦୁଇଟି ମ୍ୟାଚ୍ ଜିତିଥିବା ରାଜସ୍ଥାନ ପ୍ରଥମ ପରାଜୟ ଭୋଗିଛି। ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ଜୋସ ବଟଲରଙ୍କ ୭୦ ରନ, ହେଟମାୟରଙ୍କ ୪୨ ରନ ଏବଂ ପାଡିକଲଙ୍କ ୩୭ ରନ ବଳରେ ୧୬୯ ରନ କରିଥିଲା। ଜବାବରେ ଆରସିବି ଦିନେଶ କାର୍ତ୍ତିକଙ୍କ ଅପରାଜିତ ୪୪ ରନ ଏବଂ ଶାହବାଜ ଅହମ୍ମଦଙ୍କ ୪୫ ରନ ବଳରେ ୧୯.୧ ଓଭରରେ ୬ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।

୧୭୦ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ବେଙ୍ଗାଲୁରୁକୁ ଅଧିନାୟକ ଫାଫ ଡୁପ୍ଲେସିସ୍ ଓ ଅଞ୍ଜୁ ରାଓ୍ଵତ ଭଲ ଆରମ୍ଭ ଦେଇଥିଲେ। ୭ ଓଭରରେ ଓପନିଂ ଯୋଡିରେ ୫୫ ରନ ଯୋଡିଥିଲେ। ଡୁପ୍ଲେସିସ୍ ୨୯ ରନ କରି ଆଉଟ୍ ହୋଇଛନ୍ତି। ଏହା ପରେ ବେଙ୍ଗାଲୁରୁ  ଲଗାତାର ୪ ଓ୍ଵିକେଟ୍ ହରାଇଥିଲା। ପୁଣି ଅଞ୍ଜୁ ରାଓ୍ଵତ ୨୬ ରନ କରି ପାଭିଲିୟନ ଫେରିଥିଲେ। ବିରାଟ କୋହଲି(୫) ରନ ଆଉଟ୍ ହୋଇଥିଲେ। ସେଫାରନ ରଦରଫର୍ଡ(୫) ମଧ୍ୟ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ।

 ୮୭ ରନରେ ୫ ଓ୍ଵିକେଟ୍ ହରାଇ ବିପଦରେ ପଡିଥିବା  ବେଙ୍ଗାଲୁରୁକୁ ସାହା ହୋଇଥିଲେ ଶାହବାଜ ଅହମ୍ମଦ ଏବଂ ଦିନେଶ କାର୍ତ୍ତିକ। ଉଭୟ ବ୍ୟାଟସମ୍ୟାନ ଦ୍ରୁତ ଗତିରେ ବ୍ୟାଟିଂ କରି ଦଳକୁ ଚାପରୁ ମୁକ୍ତ କରିବା ସହ ବିଜୟ ଆଡକୁ ନେଇଥିଲେ। ଷଷ୍ଠ ଓ୍ଵିକେଟ୍‌ରେ ୬୭ ରନ ଯୋଡିଥିଲେ। ଶାହବାଜ ବିସ୍ଫୋରକ ବ୍ୟାଟିଂ କରି ୨୬ ବଲ୍‌ରୁ ୪ ଚୌକା ଏବଂ ୩ ଛକା ସହ ୪୫ ରନ କରିଥିଲେ। ଦିନେଶ କାର୍ତ୍ତିକ ନିଜର ଧୂଆଁଧାର ବ୍ୟାଟିଂ ଜାରି ରଖି ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ୪ ଓ୍ଵିକେଟରେ ଜିତାଇଛନ୍ତି। କାର୍ତ୍ତିକ  ୨୩ ବଲରୁ ୭ ଚୌକା ଏବଂ ୧ ଛକା ବଳରେ ୪୪ ରନ କରିଥିଲେ।   ଆରସିବି ୧୯.୧ ଓଭରରେ ୬ ଓ୍ଵିକେଟ୍ ହରାଇ ଲକ୍ଷ୍ୟ ହାସଲ କରି ନେଇଛି।

ରାଜସ୍ଥାନ ପକ୍ଷରୁ ୟୁଜବେନ୍ଦ୍ର ଚହଲ ୧୫ ରନ ଦେଇ ୨ ଏବଂ ଟ୍ରେଣ୍ଟ ବୋଲ୍ଟ ୩୪ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି।

Comments are closed, but trackbacks and pingbacks are open.