ଓଡିଶା ପ୍ରତି ନିବେଶକମାନଙ୍କର ବୃଦ୍ଧି ପାଉଛି ଆସ୍ଥା: ମୁଖ୍ୟମନ୍ତ୍ରୀ

143

ଭୁବନେଶ୍ୱର: ହାଇଦ୍ରାବାଦରେ ଆୟୋଜିତ ୨ ଦିନିଆ ଓଡ଼ିଶା ନିବେଶକ ସମ୍ମିଳନୀ ଓ ରୋଡଶୋରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡିଶା ଭାରତର ସର୍ବବୃହତ ନିବେଶ କେନ୍ଦ୍ର ଭାବେ ପ୍ରତିଷ୍ଠା ହାସଲ କରିବ ବୋଲି ଦୃଢୋକ୍ତି ପ୍ରକାଶ କହିଛନ୍ତି। ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନାଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ହାଇଦ୍ରାବଦ ସମ୍ମିଳନୀରୁ ଏହା ସ୍ପଷ୍ଟ ହୋଇଛି ଯେ, ନିବେଶକ ମାନଙ୍କ ଓଡିଶା ପ୍ରତି ଦୃଢ ବିଶ୍ବାସ ରହିଛି। ଦୁଇଦିନ ଧରି ବିଭିନ୍ନ ଶିଳ୍ପପତି ଓ ନିବେଶକ ମାନଙ୍କ ସହିତ ଆଲୋଚନା କରିବା ପରେ ଏହାର ଫଳାଫଳ ଅତ୍ୟନ୍ତ ଉତ୍ସାହଜନକ ବୋଲି ପ୍ରକାଶ କରି ‘ଏହି ଅଭିଜ୍ଞତା ମୋ ପାଇଁ ଖୁବ୍ ସନ୍ତୋଷଜନକ’ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଦୁଇ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଶିଳ୍ପପତିଙ୍କ ସହ ଆଲୋଚନା ପ୍ରସଙ୍ଗରେ ମତଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଶିଳ୍ପକ୍ଷେତ୍ରରେ ବ୍ୟାପକ ସମ୍ଭାବନା ଠାରୁ ଏହାର ବାସ୍ତବ ରୂପାୟନ ପର୍ଯ୍ୟନ୍ତ ଓଡ଼ିଶାର ଶିଳ୍ପ ଯାତ୍ରା ଆଜି ଖୁବ୍ ମଜବୁତ୍ ହୋଇଛି। ସେ କହିଥିଲେ ଯେ ଶିଳ୍ପାୟନ କ୍ଷେତ୍ରରେ ଓଡିଶାର ସଫଳତାର ମୂଳରେ ରହିଛନ୍ତି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତାଙ୍କ ମିଡାସ୍ ଟଚ୍, ବା ଯାଦୁକରୀ ସ୍ପର୍ଶ ହେଉଛି ଶିଳ୍ପାୟନରେ ଆମ ସଫଳ ଯାତ୍ରାର ବାସ୍ତବ ରହସ୍ୟ। ସୂଚନାଯୋଗ୍ୟ ଯେ, ଏହି ଗସ୍ତରେ ମୁଖ୍ୟମନ୍ତ୍ରୀ ଏକ ବ୍ୟାପକ ନିବେଶ ଅଭିଯାନର ନେତୃତ୍ୱ ନେଇ ହାଇଦ୍ରାବାଦ୍ ଯାଇଥିଲେ। ଦୁଇ ଦିନ ବ୍ୟାପୀ ହୋଇଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାର ୭୩ଟି ଉଚ୍ଚସ୍ତରୀୟ ବୈଠକ ଏବଂ ୨ଟି କ୍ଷେତ୍ରୀୟ ରାଉଣ୍ଡଟେବୁଲ ଆଲୋଚନା କରିଥିଲେ। ପ୍ରଥମ ରାଉଣ୍ଡଟେବୁଲ ଆଲୋଚନା ଫାର୍ମାସେକ୍ଟର ଉପରେ ଆଧାରିତ ଥିଲା ଏବଂ ଆଠଟି ପ୍ରମୁଖ ଫାର୍ମା କମ୍ପାନୀ ସହିତ ଏହି ଆଲୋଚନା କରାଯାଇଥିଲା। ଦ୍ୱିତୀୟ ରାଉଣ୍ଡଟେବୁଲ ବୈଠକରେ ପ୍ରତିରକ୍ଷା କ୍ଷେତ୍ର ସମ୍ପର୍କିତ ୨୭ଟି କମ୍ପାନୀ ପ୍ରତିନିଧିଙ୍କ ସହିତ ଆଲୋଚନା ହୋଇଥିଲା।

Comments are closed, but trackbacks and pingbacks are open.