ଇଲେକ୍ଟ୍ରୋନିକ୍ସ ଉପକରଣ ଉତ୍ପାଦନ ଯୋଜନାରେ ମିଳିଛି ୧,୧୫,୩୫୧ କୋଟି ଟଙ୍କାର ନିବେଶ ପ୍ରସ୍ତାବ: ଅଶ୍ୱିନୀ ବୈଷ୍ଣବ

113

ନୂଆଦିଲ୍ଲୀ: ଦେଶର ଇଲେକ୍ଟ୍ରୋନିକ୍ସ ଉପକରଣ ଉତ୍ପାଦନ ଯୋଜନାକୁ ଘରୋଇ ଏବଂ ଅନ୍ତର୍ଜାତୀୟ ଶିଳ୍ପପତିଙ୍କଠାରୁ ଏକ ଅଭୂତପୂର୍ବ ସମର୍ଥନ ମିଳିଛି। ଏହି ଯୋଜନାରେ ୧ ଲକ୍ଷ ୧୫ ହଜାର କୋଟିରୁ ଅଧିକ ନିବେଶ ପ୍ରସ୍ତାବ ଆସିଛି। ଏହା ବିଶ୍ୱ ସ୍ତରରେ ଭାରତର ବୃଦ୍ଧି ପାଉଥିବା ପ୍ରତିଷ୍ଠାକୁ ପ୍ରମାଣିତ କରୁଛି । ଏଥିସହିତ ଦେଶକୁ ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିବା ପାଇଁ ଦୃଢ଼ ଆଗ୍ରହ ପ୍ରଦର୍ଶନ କରିଥିବା ଏମଏସଏମଇ ସମେତ ଘରୋଇ ଶିଳ୍ପର ବର୍ଦ୍ଧିତ ବିଶ୍ୱାସକୁ ପ୍ରତିଫଳିତ କରୁଛି ବୋଲି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଏହି ଯୋଜନାରେ ଧାର୍ଯ୍ୟ ନିଯୁକ୍ତି ଲକ୍ଷ୍ୟ ୯୧,୬୦୦ ଠାରୁ ବହୁ ଅଧିକ ୧,୪୨,୦୦୦ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ବ୍ୟାପକ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ ବୋଲି ଆକଳନ କରାଯାଇଛି। ଶିଳ୍ପାନୁଷ୍ଠାନଗୁଡ଼ିକର ଏଭଳି ଉତ୍ସାହଜନକ ସମର୍ଥନରେ ଖୁସି ପ୍ରକାଶ କରି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟଗୁଡ଼ିକୁ ଏହି ସୁବର୍ଣ୍ଣ ସୁଯୋଗର ଲାଭ ଉଠାଇବାକୁ ପରାମର୍ଶ ଦେଇଛନ୍ତି । ରାଜ୍ୟଗୁଡ଼ିକୁ ସେମାନଙ୍କ ଅଞ୍ଚଳରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ପାଇଁ ଏକ ଅନୁକୂଳ ଢାଞ୍ଚା ବିକଶିତ କରିବାକୁ ଶ୍ରୀ ବୈଷ୍ଣବ ଅନୁରୋଧ କରିଛନ୍ତି। ନୂଆଦିଲ୍ଲୀର ଇଲେକ୍ଟ୍ରୋନିକ୍ସ ନିକେତନରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଶିଳ୍ପ ଯୁବପିଢ଼ିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ୧ ମଇ ୨୦୨୫ରେ କ୍ୟାବିନେଟ ଦ୍ୱାରା ଅନୁମୋଦିତ ଏହି ଯୋଜନାରେ ୨୨,୯୧୯ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ କରାଯାଇଥିଲା। ଏବେ ୧,୧୫,୩୫୧ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ସହିତ ୨୪୯ଟି ଆବେଦନ ହସ୍ତଗତ ହୋଇଛି। ଏହି ପ୍ରତିକ୍ରିୟା ଯୋଜନା ଅଧୀନରେ ଧାର୍ଯ୍ୟ ନିବେଶ ଲକ୍ଷ୍ୟ ୫୯,୩୫୦ କୋଟି ଟଙ୍କାର ପ୍ରାୟ ଦୁଇଗୁଣ। ଆଗାମୀ ଛଅ ବର୍ଷ ମଧ୍ୟରେ ଯୋଜନା ଅଧୀନରେ ଇଲେକ୍ଟ୍ରୋନିକ୍ସ ଉପକରଣର ଆନୁମାନିକ ଉତ୍ପାଦନ ପ୍ରାୟ ୧୦,୩୪,୭୦୦ କୋଟି ଟଙ୍କା ହେବ। ଏହି ପ୍ରତିକ୍ରିୟା ଯୋଜନା ଅଧୀନରେ ଧାର୍ଯ୍ୟ ଲକ୍ଷ୍ୟ ୪,୫୬,୦୦୦ କୋଟି ଟଙ୍କାର ଉତ୍ପାଦନର ୨.୨ ଗୁଣ।

Comments are closed, but trackbacks and pingbacks are open.