ଅନ୍ତର୍ଜାତୀୟ ଯୋଗ ଦିବସ-୨୦୨୫: ବାଣପୁରରେ ଯୋଗ କଲେ ଆଇନ ମନ୍ତ୍ରୀ

301

ଭୁବନେଶ୍ବର: ଆଜି ୧୧ ତମ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ପ୍ରଶାସନ ତରଫରୁ ସ୍ଥାନୀୟ ଗୋଦାବରୀଶ ମହାବିଦ୍ୟାଳୟ ଠାରେ ଥିବା ଇନଡୋର ଷ୍ଟାଡିୟମରେ ବିଶାଳ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଅଞ୍ଚଳବାସୀଙ୍କ ସହ ଯୋଗରେ ଭାଗ ନେଇଥିଲେ। ଅନୁରୂପ ଭାବେ ଉକ୍ତ ଶିବିରରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପ ଜିଲ୍ଲାପାଳ କିଶୋର କୁମାର ପଣ୍ଡା, ତହସିଲଦାର ଟି. ପଦ୍ମନାଭ ଦୋରା, ବିଡ଼ିଓ ଶୀତଲ ଅଗ୍ରୱାଲ,ମହାବିଦ୍ୟାଳୟ ଅଧ୍ୟକ୍ଷ ବିନାୟକ ହୋତା ପ୍ରମୁଖ ଭାଗ ନେଇଥିଲେ। ଉକ୍ତ ଯୋଗ କାର୍ଯ୍ୟକ୍ରମରେ ଗୋଦାବରୀଶ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଞ୍ଚଳ ବାସିନ୍ଦାଙ୍କୁ ଯୋଗଗୁରୁ ସୁବ୍ରତ କୁମାର ମାନ୍ଧାତା ଯୋଗ ଶିକ୍ଷା ଦେବା ସହ ଯୋଗର ବିଭିନ୍ନ କାର୍ଯ୍ୟକାରିତା ସମର୍କରେ ଅବଗତ କରାଇଥିଲେ। ଯୋଗ କରି ନିଜ ଶରୀର ନିରୋଗ ରଖିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସମସ୍ତଙ୍କୁ ନିବେଦନ କରିବା ସହ କେବଳ ଯୋଗ ଦିବସରେ ଯୋଗ କଲେ ହେବନାହିଁ ବରଂ ପ୍ରତ୍ୟହ ଯୋଗ କରିବା ଆବଶ୍ୟକ ବୋଲି କହିଥିଲେ। ପରିଶେଷରେ ଯୋଗ କାର୍ଯ୍ୟକ୍ରମରେ ଭାଗ ନେଇଥିବା ସମସ୍ତ ବ୍ୟକ୍ତିଙ୍କ ପରିବାର, ବନ୍ଧୁ ଏବଂ ସମାଜକୁ ଯୋଗକରିବାକୁ ଉତ୍ସାହିତ କରି ସୁସ୍ଥ ରହିବାକୁ ଶପଥ ପାଠ କରାଯାଇଥିଲା।

Comments are closed, but trackbacks and pingbacks are open.