ରାଜ୍ୟରେ ଆନ୍ତର୍ଜାତିକ ‘ବାୟୋ-ଏସିଆ’ ସମ୍ମିଳନୀ

29

ବାୟୋଟେକ୍‌ନୋଲୋଜି ବିକାଶ ପାଇଁ ପୁଂଜିନିବେଶକଙ୍କୁ ନିମନ୍ତ୍ରଣ

ଭୁବନେଶ୍ୱର : ରାଜ୍ୟରେ ବାୟୋଟେକ୍‌ନୋଲୋଜି କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ନିମନ୍ତେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପୁଞ୍ଜିନିବେଶକ ତଥା ବିଭିନ୍ନ ଶିଳ୍ପୋଦ୍ୟୋଗୀଙ୍କୁ ଅନୁରୋଧ ଜଣାଇଛନ୍ତି । ହାଇଦ୍ରାବାଦରେ ଅନୁଷ୍ଠିତ ଆନ୍ତର୍ଜାତିକ ସମ୍ମିଳନୀ ‘ବାୟୋ-ଏସିଆ’ର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା ରାଜ୍ୟ ସରକାରଙ୍କ ପକ୍ଷରୁ ବାୟୋଟେକ୍‌ନୋଲୋଜି ବିକାଶ ନିମନ୍ତେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପଗୁଡ଼ିକ ଉପରେ ବିସ୍ତୃତ ସୂଚନା ଦେଇଛନ୍ତି ।
ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ଭୁବନେଶ୍ୱର ନିକଟବର୍ତ୍ତୀ ଅନ୍ଧାରୁଆସ୍ଥିତ ବାୟୋଟେକ୍‌ ପାର୍କରେ ଭାରତ ବାୟୋଟେକ୍‌ ଟୀକା ଉତ୍ପାଦନ କରିବାକୁ ଯାଉଛି । ଏଥି ପାଇଁ ୫୦୦ କୋଟି ଟଙ୍କାର ପୁଞ୍ଜିବିନିଯୋଗ କରାଯାଇଥିବାବେଳେ ଏହାର ସଂପ୍ରସାରଣ ପାଇଁ ଆହୁରି ୭୦୦ କୋଟି ଟଙ୍କା ନିବେଶ ନିମନ୍ତେ ପ୍ରତିଶ୍ରୁତି ମିଳିଛି ।

ରାଜ୍ୟରେ ଥିବା ବାୟୋ-ଇନ୍‌କୁ୍ୟବେଟରଗୁଡ଼ିକଙ୍କ ଦ୍ୱାରା ଏକ ବର୍ଦ୍ଧିଷ୍ଣୁ ଷ୍ଟାର୍ଟଅପ୍‌ ପରିବେଶ ସୃଷ୍ଟି ହୋଇଥିବାବେଳେ ଓଡ଼ିଶାରେ ଆନୁଷ୍ଠାନିକ ବ୍ୟବସ୍ଥା, ଦକ୍ଷ ମାନବସମ୍ବଳ, ଉନ୍ନତ ପ୍ରାକୃତିକ ଜୈବବିବିଧତା ଓ ସ୍ୱଳ୍ପବ୍ୟୟରେ ଉତ୍ପାଦନ କ୍ଷମତା ବୃଦ୍ଧି ପରି ସୁବିଧାଗୁଡ଼ିକ ଉପଲବ୍ଧ ହେଉଛି । ଆନ୍ତର୍ଜାତିକ ସଂସ୍ଥା ସହ ଓଡ଼ିଶାରେ ବାୟୋଟେକ୍‌ ଅଭିବୃଦ୍ଧି ନିମନ୍ତେ ରାଜିନାମା ସ୍ୱାକ୍ଷରିତ ହୋଇଛି । ଏହା ସହିତ ଓଡ଼ିଶା ସରକାର ବାୟୋଟେକ୍‌ ପୁଂଜିନିବେଶକମାନଙ୍କୁ ରିହାତି ସମେତ ଟିକସ ଛାଡ଼, ମୂଳଧନ ବିନିଯୋଗରେ ପ୍ରୋତ୍ସାହନ ଇତ୍ୟାଦି ଯୋଗାଇ ଦେଉଛନ୍ତି ।
ରାଜ୍ୟରେ ଉପଲବ୍ଧ ଜୈବସମ୍ବଳରୁ ରାଜ୍ୟ ସରକାର ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତି ନିମନ୍ତେ ଯୋଜନା କରୁଥିବା କଥା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।
ତେଲେଙ୍ଗାନାର ଶିଳ୍ପ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ କେ.ଟି. ରାମାରାଓଙ୍କୁ ମନ୍ତ୍ରୀ ଶ୍ରୀ ପଣ୍ଡା ସାକ୍ଷାତ କରି ରାଜ୍ୟରେ ବାୟୋଟେକନୋଲୋଜି ଶିକ୍ଷା ଓ ଗବେଷଣା ବିକାଶ ଉପରେ ଆଲୋଚନା କରିଥିଲେ । ସେ ମଧ୍ୟ ଡ. ରେଡ୍ଡୀ ଲାବରେଟୋରୀର ଡ. ସତୀଶ ରେଡ୍ଡୀ ଓ ଫେଡେରେସନ୍‌ ଅଫ୍‌ ଏସିଆନ୍‌ ବାୟୋଟେକ୍‌ ଆସୋସିଏସନ୍‌ର ପ୍ରତିନିଧିମାନଙ୍କ ସହିତ ମତବିନିମୟ କରିଥିଲେ ।

Comments are closed, but trackbacks and pingbacks are open.