ଆନ୍ତଃରାଜ୍ୟ ସାଇବର ଗ୍ୟାଙ୍ଗ୍ ପର୍ଦ୍ଦାଫାଶ: କମିଶନରେଟ୍ ପୋଲିସ ହାତରେ ୪ ଜଣ ଗିରଫ

174

ଭୁବନେଶ୍ୱର: ରାଜ୍ୟରେ ବଢ଼ିଚାଲିଥିବା ସାଇବର ଠକେଇ ମାମଲାରେ କମିଶନରେଟ୍ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଆରଟିଓ (RTO) ଚାଲାଣ କାଟିବା ନାଁରେ ଲୋକଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଥିବା ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗର ୪ ଜଣ ସଦସ୍ୟଙ୍କୁ ପୋଲିସ ଗିରଫ କରିଛି। ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ଏହି ଠକେଇର ରହସ୍ୟ ଉନ୍ମୋଚନ କରିଛନ୍ତି। ଅଭିଯୁକ୍ତମାନେ ଗାଡ଼ି ମାଲିକଙ୍କ ହ୍ଵାଟ୍ସଆପକୁ ଏକ ମେସେଜ୍ ପଠାଉଥିଲେ, ଯେଉଁଥିରେ ଆରଟିଓ ଚାଲାଣ ବାକି ଥିବା ଦର୍ଶାଯାଉଥିଲା। ଚାଲାଣ ଭରିବା ପାଇଁ ଏକ APK (Android Package Kit) ଫାଇଲ୍ ଡାଉନଲୋଡ୍ କରିବାକୁ ଲିଙ୍କ୍ ଦିଆଯାଉଥିଲା। ଲୋକେ ଏହି ଲିଙ୍କ୍ ଉପରେ କ୍ଲିକ୍ କରିବା ମାତ୍ରେ ସେମାନଙ୍କ ମୋବାଇଲର ନିୟନ୍ତ୍ରଣ ଠକଙ୍କ ହାତକୁ ଚାଲିଯାଉଥିଲା ଏବଂ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଯାଉଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ତେଲେଙ୍ଗାନା ଆଲିଗଡ ଅଞ୍ଚଳର ମହମ୍ମଦ ଆବାସ୍ (୩୭), ମହମ୍ମଦ ସଲମନ (୨୯), ମହମ୍ମଦ ଆମୀର (୩୧) ଓ ଝାଡ଼ଖଣ୍ଡ ଜାମତାରାର ମାଷ୍ଟରମାଇଣ୍ଡ ମୁକେଶ ତୁରି (୨୭)। ସେମାନଙ୍କ ଠାରୁ ୬ ମୋବାଇଲ, ୧୧ ଡେବିଟ୍ କାର୍ଡ, ଫ୍ଲାଇଟ ଟିକେଟ୍ ଆଦି ଜବତ। ଏଥିସହ ଏକ ବ୍ୟାଙ୍କ ଆକାଉଣ୍ଟରେ ଠକେଇ ଟଙ୍କାର ୩ ଲକ୍ଷ ଫ୍ରିଜ୍ କରାଯାଇଛି।

Comments are closed, but trackbacks and pingbacks are open.