ଶ୍ରେଣୀରେ ଶିକ୍ଷକଙ୍କୁ ମୋବାଇଲ ମନା ନିର୍ଦ୍ଦେଶକୁ କଡାକଡି ଲାଗି ନିର୍ଦ୍ଦେଶ

40

ଭୁବନେଶ୍ୱର: ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀରେ ଗୁଣାତ୍ମକ ଶିକ୍ଷାଦାନ ପ୍ରତି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି । ତେବେ ଅନେକ ସମୟରେ ଶ୍ରେଣୀକକ୍ଷରେ ଶିକ୍ଷକ,ଶିକ୍ଷୟିତ୍ରୀମାନେ ମୋବାଇଲ ବ୍ୟବହାର କରୁଥିବା ଅଭିଯୋଗ ହେବା ପରେ ବିଭାଗ ପକ୍ଷରୁ ଏ ଦିଗରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବିଦ୍ୟାଳୟରେ ଶ୍ରେଣୀକୁ ଯିବା ପୂର୍ବରୁ ସମସ୍ତ ଶିକ୍ଷକମାନେ ପ୍ରଧାନଶିକ୍ଷକଙ୍କ ନିକଟରେ ସେମାନଙ୍କର ମୋବାଇଲ ଦାଖଲ କରିବେ । ପ୍ରଧାନଶିକ୍ଷକଙ୍କ ନିକଟରେ ଏକ ତାଲିକା ରହିବ । ଯେଉଁଥିରେ ଶିକ୍ଷକଙ୍କ ମୋବାଇଲ ଦାଖଲ କରିବାର ସମୟ ଏବଂ ଦୈନିକ କେତେ ସମୟ ସ୍କୁଲରେ ମୋବାଇଲ ବ୍ୟବହାର କରୁଛନ୍ତି ତାହାର ରିପୋର୍ଟ ଉଲ୍ଲେଖ କରାଯିବ । ତେବେ ଏହି ନିୟମ ଲାଗୁ ହେବା ପରେ ରାଜ୍ୟର ସବୁ ସ୍କୁଲରେ ଶିକ୍ଷକମାନେ ଶ୍ରେଣୀକୁ ଯିବା ପୂର୍ବରୁ ସେମାନଙ୍କର ମୋବାଇଲ ପ୍ରଧାନଶିକ୍ଷକଙ୍କ ନିକଟରେ ବାଧ୍ୟବାଧ୍ୟକତାରେ ଦାଖଲ କରୁଥିଲେ । ମାତ୍ର କରୋନା ଲାଗି ୨ବର୍ଷ ସ୍କୁଲ ବନ୍ଦ ହେବା ପରେ ବର୍ତ୍ତମାନ ସେହି ନିୟମକୁ କୌଣସି ଶିକ୍ଷକ ମାନୁନଥିବା ଅଭିଯୋଗ ହୋଇଛି । ତେଣୁ ସମ୍ପୃକ୍ତ ନିୟମକୁ କଡାକଡି ଭାବେ ପାଳନ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଚି । ସେହିପରି ପୂର୍ବରୁ ଶିକ୍ଷକଙ୍କ ଲାଗି ସମୟସୀମା ସକାଳ ୧୦ଟାରୁ ପୂର୍ବାହ୍ନ ୪ଟା ପର୍ଯ୍ୟନ୍ତ ଥିବା ବେଳେ ଏଣିକି ଶିକ୍ଷକମାନେ ଦୈନିକ ୯ଟା୩୦ ସୁଦ୍ଧା ସ୍କୁଲରେ ପହଞ୍ôଚବେ ଏବଂ ୪ଟା୩୦ ପର୍ଯ୍ୟନ୍ତ ସ୍କୁଲରେ ରହିବେ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି ।
ସ୍କୁଲରେ ଶିକ୍ଷକଙ୍କର ଏପରି ନୂତନ ସମୟ ସାରଣୀ ଲାଗୁ କରିବା ସମ୍ପର୍କରେ ଗଣଶିକ୍ଷା ବିଭାଗର ଜଣେ ବରିଷ୍ଟ ଅଧିକାରୀଙ୍କ କହିବା ଅନୁଯାୟୀ, ପୂର୍ବରୁ ‘କ୍ୟାଲେଣ୍ଡର ଅଫ୍ ଆକ୍ଟିଭିଟିଜ୍‌’ରେ ଶିକ୍ଷକଙ୍କ ଲାଗି ସମୟ ୯ଟା୩୦ରୁ ୪ଟା୩୦ ପର୍ଯ୍ୟନ୍ତ ନିୟମ ରହିଥିଲା । ମାତ୍ର ଏହାକୁ ନେଇ କିଛି ସମସ୍ୟା ହୋଇଥିବା ବେଳେ କିଛି ଶିକ୍ଷକ ଏହାକୁ ପାଳନ କରୁନଥିଲେ । ସ୍କୁଲରେ ସୁସ୍ଥ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ସହ ଶିକ୍ଷାଦାନ ବ୍ୟବସ୍ଥା ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଲାଗି ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ପୂର୍ବରୁ ଶିକ୍ଷକଙ୍କ ଲାଗି ସକାଳ ୧୦ଟା ରୁ ୪ଟା ପର୍ଯ୍ୟନ୍ତ ଥିବାରୁ ଅନେକ ସ୍କୁଲରେ ବହୁ ଶିକ୍ଷକ ୧୦ଟାରେ ଆସି ପହଞ୍ଚଥିଲେ । ବିଶେଶକରି କୌଣସି ପ୍ରାଥମିକ ସ୍କୁଲରେ ପିଅନ ନାହାଁନ୍ତି । ତେଣୁ ଶିକ୍ଷକମାନେ ସ୍କୁଲରେ ପହଞ୍ôଚ ଶ୍ରେଣୀକକ୍ଷ ସଫାସୁତରା କରିବା, ସ୍କୁଲ ଚାରିପଟ ମଧ୍ୟ ସଫା କରୁଥିଲେ । ପରେ ପ୍ରାର୍ଥନା କରାଯିବା ପରେ ପାଠପଢ଼ା ଆରମ୍ଭ ହେଉଥିଲା । ତେଣୁ ଦୈନିକ ଶ୍ରେଣୀରେ ପାଠପଢ଼ା ସମୟ ଯାହା ଧାର୍ଯ୍ୟ ହୋଇଥିଲା ସେଥିରେ ବହୁ ବିଳମ୍ବ ହେଉଥିଲା । ସେହିପରି ୪ଟାରେ ଛୁଟି ନିୟମ ଅନୁଯାୟୀ ଅନେକ ସ୍କୁଲରେ ଶିକ୍ଷକମାନେ ୪ଟା ନବାଜୁଣୁ ଘରକୁ ଯିବା ଲାଗି ପ୍ରସ୍ତୁତ ହୋଇଯାଉଥିଲେ । ତେବେ ସ୍କୁଲ ଛୁଟିପରେ ଶ୍ରେଣୀ କକ୍ଷ ବନ୍ଦ କରିବା ଠାରୁ ଆରମ୍ଭ କରି ଅନେକ କାର୍ଯ୍ୟ ଶିକ୍ଷକଙ୍କ ଦ୍ୱାରା ହୋଇଥାଏ । ଏପରିକି ଅନେକ ସ୍କୁଲରେ ଛୁଟିପରେ ଅଭିଭାବକମାନେ ଠିକ୍ ସମୟରେ ନଆସୁଥିବାରୁ ପିଲାମାନେ ୧୦ରୁ ୧୫ମିନିଟ୍ ମଧ୍ୟ ସ୍କୁଲରେ ରହିଥାନ୍ତି । ତେଣୁ ଠିକ୍ ୪ଟାରେ ଶିକ୍ଷକମାନେ ଯଦି ଘରକୁ ଚାଲିଯାଆନ୍ତି ତେବେ ପିଲାଙ୍କ ସୁରକ୍ଷାକୁ ନେଇ ଆଶଙ୍କା ରହୁଥିଲା । ତେଣୁ ଏଣିକି ୯ଟା୩୦ରେ ଶିକ୍ଷକ,ଶିକ୍ଷୟିତ୍ରୀମାନେ ସ୍କୁଲରେ ପହଞ୍ôଚ ଶ୍ରେଣୀକକ୍ଷ ସଫାସୁତରା କରିବା ସହ ଦୈନନ୍ଦୀନ କାର୍ଯ୍ୟ ଶୀଘ୍ର ଶେଷ କରି ନିର୍ଦ୍ଧାରିତ ସମୟରେ ପାଠପଢ଼ା ଆରମ୍ଭ କରିବେ । ସେହିପରି ୪ଟାରେ ସ୍କୁଲ ଛୁଟି ହେବା ପରେ ସବୁ ପିଲା ଘରକୁ ଯିବା ପରେ ଶ୍ରେଣୀ କକ୍ଷ ସଫାସୁତରା କରି ୪ଟା୩୦ରେ ସ୍କୁଲ ଛାଡ଼ିବେ । ତେବେ ଏହି ନିୟମକୁ ଅବମାନନା କଲେ ସମ୍ପୃକ୍ତ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ସେହିପରି ଶ୍ରେଣୀରେ ମୋବାଇଲ ନେବା ବ୍ୟବସ୍ଥାରେ କଟକଣା ସମ୍ପର୍କରେ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଶ୍ରେଣୀରେ ପାଠପଢ଼ାଇବା ସମୟରେ ମୋବାଇଲ ବ୍ୟବହାର କରିବାର କୌଣସି ଆବଶ୍ୟକତା ନାହିଁ । ଯଦି କିଛି ଜରୁରୀ କଲ୍ ଆସେ ତେବେ ପ୍ରଧାନଶିକ୍ଷକମଧ୍ୟ ତାହାର ଉତ୍ତର ଦେଇପାରିବେ । ତେବେ ଖୁବଶୀଘ୍ର ବିଇଓ ଏବଂ ଡିଇଓ କାର୍ଯ୍ୟାଳୟର ଅଧିକାରୀମାନେ ସ୍କୁଲ ପରିଦର୍ଶନରେ ଯାଇ ଏହି ନିୟମ ଠିକ୍ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ଯାଞ୍ଚ କରିବେ । ଯେଉଁ ଶିକ୍ଷକ ବା କର୍ମଚାରୀ ଏହି ନୀୟମକୁ ଅବମାନନା କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Comments are closed, but trackbacks and pingbacks are open.