ଭୁବନେଶ୍ୱର: ଇନ୍ସପେକ୍ଟର ଓ ସବ-ଇନ୍ସପେକ୍ଟରଙ୍କ କ୍ଷମତା ବଢ଼ାଇଲେ ସରକାର। ଏଣିକି SC/ST ମାମଲାର ତଦନ୍ତ କରିପାରିବେ। ତଦନ୍ତ ସହ ଗିରଫ ଓ ସ୍ବତନ୍ତ୍ର ଅଦାଲତରେ ମାମଲା କରିପାରିବେ। ପୂର୍ବରୁ DSP ପାହ୍ୟାର ଅଧିକାରୀଙ୍କୁ ଏହି କ୍ଷମତା ମିଳିଥିଲା। ଏନେଇ ଗୃହ ବିଭାଗ ପକ୍ଷରୁ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନୁସୂଚିତ ଜାତି ଏବଂ ଜନଜାତି (ଅତ୍ୟାଚାର ନିବାରଣ) ଆଇନ ୧୯୮୯ର ପ୍ରବର୍ତ୍ତନକୁ ସୁଦୃଢ଼ କରିବା ପାଇଁ, ଓଡ଼ିଶା ସରକାରଙ୍କ ଗୃହ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ ଉଲ୍ଲେଖ ଅଛି ପୁଲିସ ଇନ୍ସପେକ୍ଟର ଏବଂ ସବ-ଇନ୍ସପେକ୍ଟରମାନଙ୍କୁ ଏହି ଆଇନ ଅନୁଯାୟୀ ଗିରଫ, ତଦନ୍ତ ଏବଂ ମାମଲା ରୁଜୁ କରିବା ପାଇଁ କ୍ଷମତା ପ୍ରଦାନ କରାଯାଇଛି। ପୂର୍ବରୁ ଏହି କ୍ଷମତା ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୁଲିସ ଏବଂ ତଦୁର୍ଦ୍ଧ୍ୱ ପାହ୍ୟାର ଅଧିକାରୀଙ୍କ ପାଇଁ ସଂରକ୍ଷିତ ଥିଲା। ୩୦ ଅଗଷ୍ଟ ୨୦୨୫ ତାରିଖର ବିଜ୍ଞପ୍ତି ନମ୍ବର ହୋମ୍ ସିପିଏମ -ଏମଆଇଏସସି-୦୧୫୪-୨୦୨୫ ଅନୁଯାୟୀ ଗୃହ ବିଭାଗ ଦ୍ୱାରା ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶନାମାରେ ଏହି କ୍ଷମତା ରାଜ୍ୟର ଇନ୍ସପେକ୍ଟର ଏବଂ ସବ-ଇନ୍ସପେକ୍ଟରମାନଙ୍କୁ ପ୍ରଦାନ କରାଯାଇଛି।
Comments are closed, but trackbacks and pingbacks are open.