କିମ୍‌ସରେ ଅଭିନବ ପ୍ଲାଷ୍ଟିକ ସର୍ଜରୀ

470

ଭୁବନେଶ୍ୱର, ୨୯ ।୫: କିମ୍‌ସ କ୍ୟାନ୍‌ସର ସେଣ୍ଟରରେ ଜଣେ କର୍କଟ ରୋଗୀଙ୍କଠାରେ ବିରଳ ପ୍ଲାଷ୍ଟିକ୍ ସର୍ଜରୀ କରାଯାଇଛି । ରୋଗୀଜଣକ ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘ ୫ବର୍ଷ ଧରି ଚିକିତ୍ସିତ ହେଉଥିଲେ । ଡାକ୍ତରଙ୍କ ବିଭିନ୍ନ ପ୍ରୟାସ ପରେ ଚିକିତ୍ସା ଫଳବତୀ ନ ହେବାରୁ ତାଙ୍କର ଭାସ୍କୁଲାରାଇଜଡ୍ ଲିମ୍ଫ ନୋଡ୍ ଟ୍ରାନ୍‌ଫର କରିବା ପାଇଁ କିମ୍‌ସ ଡାକ୍ତର ନିଷ୍ପତ୍ତି ନେଇଥିଲେ । ଆସ୍ତ୍ରୋପଚାର ପୂର୍ବରୁ ଆଇସିଜି ସ୍କାନିଂ କରି ରୋଗୀଙ୍କ ହାତର ଲିମ୍ଫାଟିକ୍ ସିଷ୍ଟମକୁ ପର୍ଯ୍ୟବେକ୍ଷଣ କରିବା ପରେ କେବଳ ଲାଳ ଗ୍ରନ୍ଥିକୁ ଅଲଟ୍ରାସାଉଣ୍ଡ ଜରିଆରେ ଚିହ୍ନଟ କରାଯାଇଥିଲା । ପରେ କିମ୍‌ସ ସୁପର ସ୍ପେସିଆଲିଟି ହସ୍‌ପିଟାଲ୍‌ରେ ବରିଷ୍ଠ ପ୍ଲାଷ୍ଟିକ୍ ସର୍ଜନ ଡା. ସୁନୀଲ କୁମାର ରାଉତଙ୍କ ନେତୃତ୍ୱରେ ଏହି ଅସ୍ତ୍ରୋପଚାର ସମ୍ପନ୍ନ ହୋଇଥିଲା । ବରିଷ୍ଠ କ୍ୟାନ୍‌ସର ସର୍ଜନ ଡା. ସବ୍ୟସାଚୀ ପରିଡ଼ା ଓ ପ୍ଲାଷ୍ଟିକ୍ ସର୍ଜନ ଡା ସମୀର କୁମାର ପଟେଲ୍ ଏଥିରେ ଡା ରାଉତଙ୍କୁ ସହାୟତା କରିଥିଲେ । ନିଶ୍ଚେତକ ବିଭାଗର ବରିଷ୍ଠ ବିଶେଷଜ୍ଞ ଡା. ଟି. ରାଜ ମୋହନ ରାଓ ଏବଂ ଡା. ପୂରବୀ ଆଚାର୍ଯ୍ୟ ରୋଗୀଙ୍କ ନିଶ୍ଚେତନ ଦାୟିତ୍ୱ ନେଇଥିଲେ । ଏହି ଅସ୍ତ୍ରୋପଚାର ପରେ ରୋଗୀ ଜଣକ ସାଧାରଣ ଅବସ୍ଥାକୁ ଆସି ଘରକୁ ଫେରି ଯାଇଛନ୍ତି । ଏ ପ୍ରକାର ଚିକିତ୍ସା ପ୍ରଦାନ କରିବାରେ କିମ୍‌ସ ହେଉଛି ସମଗ୍ର ଓଡ଼ିଶାରେ ପ୍ରଥମ ହସ୍‌ପିଟାଲ୍ । ବିଶେଷଜ୍ଞଙ୍କ ମତରେ ଏହି ଅସ୍ତ୍ରୋପଚାରର ସଫଳତା ଫାଇଲେରିଆ ଓ କ୍ୟାନ୍‌ସର ପ୍ରଭାବରୁ ହାତ ଓ ଗୋଡ଼ ଗୋଦର ହୋଇଯାଉଥିବା ରୋଗୀଙ୍କ ପାଇଁ ଏକ ନୂତନ ସମ୍ଭାବନା ସୃଷ୍ଟି କରିଛି ।

ସୂଚନାଯୋଗ୍ୟ, ଶରୀରରେ ରକ୍ତର ଲାଗ ଅଂଶ ଛୋଟ ଛୋଟ ଶିରା ଦେଇ ପ୍ରବାହିତ ହୋଇଥାଏ । ଏହାର ପ୍ରବାହରେ ବ୍ୟାଘାତ ସୃଷ୍ଟି ହେଲେ ଶରୀରର ଅଙ୍ଗ ଫୁଲି ଯାଇଥାଏ । ସାଧାରଣତଃ ଏହା ଫାଇଲେରିଆ ରୋଗୀଙ୍କ ଗୋଦର ଗୋଡ଼ର କାରଣ ହୋଇଥାଏ । ସ୍ତନ କର୍କଟ ରୋଗୀ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ସେମାନଙ୍କ କ୍ଷେତ୍ରରେ ସ୍ତନ ଓ କାଖରେ ଅସ୍ତ୍ରୋପଚାର ଏବଂ ପରେ କାଖରେ ରେଡିଓଥେରାପି ଦିଆଯିବା କାରଣରୁ ଏହି ଲାଳ ବା ଲିମ୍ଫ୍ ସାଧାରଣ ଭାବରେ ପ୍ରବାହିତ ହୋଇ ପାରିନଥାଏ । ତା ପ୍ରଭାବରେ ସେହି ପାଶ୍ୱର୍ର ହାତ ଫୁଲିବା ଆରମ୍ଭ ହୋଇ ଧିରେ ଧିରେ ଅତ୍ୟଧିକ ମୋଟା ହୋଇ ଗୋଦରା ହୋଇଥାଏ ଏବଂ କାମ କରିବାରେ ଅସୁବିଧା ସୃଷ୍ଟି କରିଥାଏ। ଏହାକୁ ଡ଼ାକ୍ତରୀ ଭାଷାରେ ଲିମ୍ଫିଡ଼ିମା କୁହାଯାଏ । ଏହି ସମସ୍ୟାର ବିଭିନ୍ନ ପ୍ରକାର ଚିକିତ୍ସା ପ୍ରଣାଳୀ ରହିଛି । ଅସ୍ତ୍ରୋପଚାର ନ କରି ମାଲିସ ଓ ଚାପଯୁକ୍ତ ବ୍ୟାଣ୍ଡେଜ ବା ପୋଷାକ ବ୍ୟବହାର କରିବା, ଅଙ୍ଗକୁ ଉପରକୁ ଉଠାଇ ରଖିବା ଦ୍ୱାରା ବେଳେ ବେଳେ ଏଥିରୁ ଉପଶମ ମିଳିଥାଏ। ଏସବୁରେ ଉପଷମ ନ ମିଳିଲେ ଅସ୍ତ୍ରୋପଚାର କରିବାକୁ ପଡ଼ିଥାଏ । ଭାସ୍କୁଲାରାଇଜଡ୍ ଲିମ୍ଫ୍ ନୋଡ୍ ଟ୍ରାନ୍ସଫର (Vascularised Lymph Node Transfer) ଏହି ରୋଗ ପାଇଁ ଏକ ଅତ୍ୟାଧୁନିକ ଏବଂ ସଫଳ ଅସ୍ତ୍ରୋପଚାର । ଏହା ପ୍ଲାଷ୍ଟିକ ସର୍ଜରୀ ବିଭାଗର ଏକ ଅତ୍ୟାଧୁନିକ ଜଟିଳ ଅସ୍ତ୍ରୋପଚାର ଏବଂ ଏହି ସମସ୍ୟା ପାଇଁ ଅତ୍ୟନ୍ତ ଉପକାରୀ । ଏଥିରେ ଶରୀରର ଗୋଟିଏ ସ୍ଥାନରୁ (ବେକ, ପେଟ ବା ଅଣ୍ଟାରୁ) ଲିମ୍ଫ୍‌ନୋଡ୍‌, ତାକୁ ରକ୍ତ ଯୋଗାଉଥିବା ଛୋଟ ଛୋଟ ଧମନୀ ଓ ଶିରା ସହିତ ସ୍ଥାନାନ୍ତରିତ କରାଯାଇ ପ୍ରଭାବିତ ଅଙ୍ଗରେ ପ୍ରତିରୋପଣ କରାଯାଇଥାଏ । ଗ୍ରହଣକାରୀ ଅଙ୍ଗର ଧମନୀ ଓ ଶିରା ସହିତ ଅସ୍ତ୍ରୋପଚାରରେ ବ୍ୟବହାର ହେଉଥିବା ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଏହି ସ୍ଥାନାନ୍ତରିତ ଲିମ୍ଫ୍‌ନୋଡ଼ର ଧମନୀ ଓ ଶିରାକୁ ସଂଯୋଗ କରାଯାଇଥାଏ । ରୋଗ ଆରମ୍ଭ ସମୟରୁ ଏହି ଅସ୍ତ୍ରୋପଚାର କରାଗଲେ ଅଧିକ ସଫଳତା ମିଳିଥାଏ ବୋଲି କିମ୍‌ସ ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି ।

Comments are closed, but trackbacks and pingbacks are open.