ବ୍ରହ୍ମପୁର: ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ଗତକାଲି ସାମାନ୍ୟ ଆହତ ହୋଇ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି ହୋଇଥିଲେ। ତେବେ ସେଠାରେ ଚିକିତ୍ସା ହେବା ପରେ ତାଙ୍କର ପଞ୍ଜରା ହାଡ଼ ଓ ଫୁସ୍ଫୁସ୍ରେ ଆଘାତ ଲାଗିଥିବା ଜଣାପଡିଛି। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି।
ସୂଚନା ଅନୁସାରେ ଗତକାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଚାଲିଥିବା ବେଳେ ସ୍ବାଧୀନ ବିଧାୟକ ଶିବସୁନ୍ଦର ଦାସ ପ୍ରଦୀପଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଉତ୍କଳମଣି ୟୁପି ସ୍କୁଲର ବୁଥରେ ମତଦାନ ଚାଲିଥିବା ବେଳେ ପ୍ରଦୀପ ପାଣିଗ୍ରାହୀ ଓ ଶିବଶଙ୍କର ଦାସ ଗୋଷାଣୀ ନୂଆଗାଁରେ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ବିଧାୟକ ପ୍ରାର୍ଥୀ ସାଂସଦ ପ୍ରାର୍ଥୀଙ୍କୁ ମୁହଁ ଏବଂ ଛାତିରେ ମାଡ଼ ମାରିଥିଲେ। ଏହି ସଂଘର୍ଷରେ ପ୍ରଦୀପ ପାଣିଗ୍ରାହୀ ସାମାନ୍ୟ ଆହତ ହୋଇଥିଲେ। ଏହାପରେ ତାଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ତାଙ୍କର ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଥାଉକି ଗତକାଲି ଏହି ଘଟଣା ପରେ ଶିବସୁନ୍ଦର ଦାସଙ୍କୁ ଗୋଷାଣୀ ନୂଆଗାଁ ଥାନାରେ ଅଟକ ରଖାଯିବା ପରେ ତାଙ୍କ ସମର୍ଥକମାନେ ହୋ ହାଲ୍ଲା କରିଥିଲେ। ତାଙ୍କ ସମର୍ଥକମାନେ ବୁଥ୍ ଜାଲିଆତି କରାଯାଉଥିବା ଅଭିଯୋଗ କରିଥିବା ବେଳେ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକମାନେ ଇଭିଏମ୍ ସିଲ୍ କୁ ନେଇ ଆପତ୍ତି ଉଠାଇଥିଲେ। ଏହାକୁ ନେଇ ଥାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।
Comments are closed, but trackbacks and pingbacks are open.