ମାତ୍ରାଧିକ ଆଣ୍ଟିବାଓଟିକ୍ ବ୍ୟବହାର କରନ୍ତି ଭାରତୀୟ

28

ନୂଆଦିଲ୍ଲୀ : ଭାରତୀୟମାନେ ଅତ୍ୟଧିକ ପରିମାଣରେ ଆଣ୍ଟିବାଓଟିକ୍ ବ୍ୟବହାର କରନ୍ତି ବୋଲି ଲାନ୍‌ସେଟ୍ ରିଜିଓନାଲ ହେଲ୍‌ଥ-ସାଉଥ୍‌ଇଷ୍ଟ ଏସିଆ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛିି । ଏପରିକି କୋଭିଡ୍ ମହାମାରୀ ସମୟରେ ଭାରତୀୟଙ୍କ ମଧ୍ୟରେ ଆଣ୍ଟିବାଓଟିକ୍‌ର ବ୍ୟବହାର ଯଥେଷ୍ଟ ବୃଦ୍ଧି ପାଇଥିଲା ବୋଲି ଜଣାପଡିଛି । ଏଥିମଧ୍ୟରୁ ଆଜିଥ୍ରୋମାଇସିନ୍ ତାଲିକାର ସର୍ବାଗ୍ରେ ରହିଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି, ଏହି ଆଣ୍ଟିବାଓଟିକ୍ ମଧ୍ୟରୁ ଅଧିକାଂଶ ଔଷଧକୁ ଡିସିଜିଆ (ଡ୍ରଗ୍‌ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ) ଅନୁମୋଦନ କରିନାହାନ୍ତି । ଏହା ନିହାତି ଉଦ୍‌ବେଗଜନକ ହୋଇଥିବାରୁ ଏ ପ୍ରସଙ୍ଗରେ ନିର୍ଦ୍ଦିଷ୍ଟ ନୀତି ନିୟମ ପ୍ରଣୟନ କରାଯିବା ଉଚିତ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏକ ଖ୍ୟାତିସମ୍ପନ୍ନ ମେଡିକାଲ ଜର୍ଣ୍ଣାଲର ସେପ୍ଟମ୍ବର ୧ରେ ସଂସ୍କରଣରେ ପ୍ରକାଶିତ ଏହି ରିପୋର୍ଟରେ ଆହୁରି କୁହାଯାଇଛି ଯେ ଆଣ୍ଟିବାଓଟିକ୍‌ର ମାତ୍ରାଧିକ ବ୍ୟବହାର ଶରୀର ଉପରେ କୁପ୍ରଭାବ ପକାଇଥାଏ । ଏପରିକି ଅତ୍ୟଧିକ ଆଣ୍ଟିବାଓଟିକ୍ ସେବନ କରିବା ଦ୍ୱାରା ମଣିଷର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ । କେନ୍ଦ୍ର ଓ ରାଜ୍ୟସ୍ତରୀୟ ସଂସ୍ଥା ମଧ୍ୟରେ ସମନ୍ୱୟ ରହୁନଥିବାରୁ ଆଣ୍ଟିବାଓଟିକ୍‌ର ବିକ୍ରି ଓ ସେବନ ଉପରେ ନିୟନ୍ତ୍ରଣ ରହୁନଥିବା କୁହାଯାଇଛି । ଅଧିକାଂଶ ଭାରତୀୟ ଡାକ୍ତରଙ୍କ ବିନା ସୁପାରିସରେ ଆଣ୍ଟିବାଓଟିକ୍ ବ୍ୟବହାର କରୁଥିବା ଜଣାପଡିଛି । ସାମାନ୍ୟ ଥଣ୍ଡା, ଜ୍ୱର କିମ୍ବା କାଶ ହେଲେ ଡାକ୍ତରଙ୍କ ନିକଟକୁ ନଯାଇ କେବଳ ଔଷଧ ଦୋକାନୀଙ୍କ କହିବା ମୁତାବକ ଲୋକେ ଆଣ୍ଟିବାଓଟିକ୍ ବ୍ୟବହାର କରୁଛନ୍ତି । ଘରୋଇ ଉଦ୍ୟୋଗରେ ପରିଚାଳିତ ଫାର୍ମା ଟ୍ରାକ୍ ନାମକ ଡ୍ରଗ୍ ସେଲ୍‌ସ ଡାଟାବେସ୍‌କୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ପ୍ରାୟ ୯ ହଜାର ଔଷଧ କମ୍ପାନୀ ପକ୍ଷରୁ ଉପଲବ୍ଧ ତଥ୍ୟ ଅନୁଯାୟୀ ଭାରତରେ ଲୋକେ ଆଜିଥ୍ରୋମାଇସିନ୍‌କୁ ଅଧିକ ବ୍ୟବହାର କରୁଥିବାବେଳେ ଏହାପଛକୁ ସେଫିକ୍ସସାଇମ୍ ରହିଛି ।

Comments are closed, but trackbacks and pingbacks are open.