ଅନ୍ତରୀକ୍ଷରେ ସ୍ଥାପନ ହେବ ଭାରତୀୟ ସ୍ପେଶ୍ ଷ୍ଟେସନ୍‌

58

ନୂଆଦିଲ୍ଲୀ : ମହାକାଶରେ ଆଉ ଏକ କୀର୍ତ୍ତିମାନ ରଚିବାକୁ ପ୍ରସ୍ତୁତ ହେଉଛି ଭାରତ। ମହାକାଶରେ ଏକ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ (ବିଏଏସ୍‌) ସ୍ଥାପନ ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଉଦ୍ୟମ ଆରମ୍ଭ ହୋଇଛି। ପ୍ରଥମ ପଦକ୍ଷେପ ଅର୍ନ୍ତଗତ ପରୀକ୍ଷାମୂଳକ ଭାବେ ଇନ୍‌-ସ୍ପେଶ୍ ଡକିଂ କରିବ ଇସ୍ରୋ। ସିଧାଅର୍ଥରେ କହିବାକୁ ଗଲେ ମହାକାଶକୁ ଇସ୍ରୋ ଏବେ ଦୁଇଟି ନୂଆ ସ୍ପେସ୍‌କ୍ରାଫ୍ଟକୁ ପଠାଇବ। ପିଏସଏଲ୍‌ଭି ସ୍ପାଡେକ୍ସ ମିଶନ ଅନ୍ତର୍ଗତ ପିଏସ୍‌ଏଲ୍‌ଭି ଅର୍ବିଟାଲ୍ ଏକ୍ସିପେରିମେଣ୍ଟ ମୋଡ୍ୟୁଲ୍‌-୪ (ପୋଏମ୍‌-୪) ଜରିଆରେ ଏହି ଐତିହାସିକ ପଦକ୍ଷେପ ଲାଗି ଜୋରଦାର ପ୍ରସ୍ତୁତି ଚଳାଇଛି ଇସ୍ରୋ। ରିପୋର୍ଟ ଅନୁସାରେ ଇସ୍ରୋ ଅନ୍ତରୀକ୍ଷରେ ଏବେ ୨୪ଟି ବୈଜ୍ଞାନିକ ପରୀକ୍ଷଣ ଆରମ୍ଭ କରିବାକୁ ପ୍ରସ୍ତୁତି ଚଳାଇଛି। ଏହି ୨୪ଟି ପରୀକ୍ଷଣ ମଧ୍ୟରେ ୧୪ଟି ପରୀକ୍ଷଣ ଇସ୍ରୋ ପେଲୋଡ୍ ରୋବୋଟିକ୍ସ, ସେନ୍ସର ଏବଂ ସ୍ପେସ୍ ସାଇନ୍ସ ଉପରେ ଧ୍ୟାନ ଦେଉଥିବା ବେଳେ ବାକି ୧୦ଟି ପରୀକ୍ଷଣ ବେସରକାରୀ ପେଲୋଡ୍ ଜୈବ ବିଜ୍ଞାନ, ପ୍ରବୃତ୍ତି ଏବଂ ଏଆଇକୁ ଅନ୍ତର୍ଭୁକ୍ତ କରୁଛି। ତେବେ ଏହିକ୍ରମେ ଏହି ଦୁଇଟି ସ୍ପେଶ୍‌କ୍ରାଫ୍ଟକୁ ମହାକାଶକୁ ପଠାଇବ। ପିଏସ୍‌ଏଲ୍‌ଭି-ସି ୬୦ ଅନ୍ତରୀକ୍ଷ ଯାନ ସହାୟତାରେ ଏହି ୨୨୦ କେଜି ଓଜନର ଦୁଇଟି ସ୍ପେଶକ୍ରାଫ୍ଟକୁ ମହାକାଶ ଅଭିମୂଖେ ଉତ୍‌କ୍ଷେପଣ କରାଯିବ ଏବଂ ଆଉ ମହାକାଶରେ ହିଁ ଏହି ଦୁଇଟି ସ୍ପେସ୍‌କ୍ରାଫ୍ଟକୁ ଯୋଡାଯିବା ପାଇଁ ଇସ୍ରୋ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଏହି ଟେକ୍ନୋଲଜି ଆଗାମୀ ଚନ୍ଦ୍ର ମିଶନ (ଚନ୍ଦ୍ରରୁ ସାମ୍ପଲ ସଂଗ୍ରହ କରିବା ଏବଂ ଭାରତକୁ ଆଣିବା) ଏବଂ ମହାକାଶରେ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ନିର୍ମାଣ ଲାଗି ସହାୟକ ହେବ ବୋଲି କୁହାଯାଉଛି। ପିଏସ୍‌ଏ୍‌ଭି ମିଶନ ଲାଗି ପିଏସଏଲ୍‌ଭି-ସି୬୦ ଅନ୍ତରୀକ୍ଷା ଯାନ (ରକେଟ୍‌)କୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରେ ପହଞ୍ଚା ଯାଇସାରିଛି। ତେବେ ଇସ୍ରୋ ପକ୍ଷରୁ ଏନେଇ ଦିଆଯାଇଥିବା ସୂଚନାନୁସାରେ ମହାକାଶ ଯାନ ନିର୍ମାଣ ପ୍ରକ୍ରିୟା ଶେଷ ହୋଇସାରିଛି। ଆସନ୍ତା ୩୦ରେ ସ୍ପାଡେକ୍ସ ଲଞ୍ଚ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଇସ୍ରୋ। ଏହି ମିଶନରେ ସଫଳତା ମିଳିଲେ ଭାରତ ଆମେରିକା, ରୁଷ ଏବଂ ଚୀନ୍ ପରେ ଅନ୍ତରୀକ୍ଷ ଡକିଂ ଜ୍ଞାନକୌଶଳରେ ସଫଳତା ଲାଭ କରିଥିବା ଚତୁର୍ଥ ଦେଶ ଭାବେ ଗଣାହେବ। ପ୍ରକାଶ, ୨୦୩୫ ସୁଦ୍ଧା ମହାକାଶରେ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ନିର୍ମାଣ ପାଇଁ ଟାର୍ଗେଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେହିପରି ଅନ୍ୟ ଏକ ରିପୋର୍ଟ ଅନୁସାରେ ୨୦୨୫ ମାର୍ଚ୍ଚରେ ଇସ୍ରୋ ଓ ନାସାର ମିଳିତ ମିଶନ୍ ଲଞ୍ଚ୍ ହେବ ବୋଲି ସୂଚନା ମିଳିଛି। ଏହି ମିଶନ୍ ଅନ୍ତର୍ଗତ ମହାକାଶକୁ ଯିବ ନାସା-ଇସ୍ରୋ ସିନ୍ଥେଟିକ୍ ଆପରଚର୍ ରାଡାର୍ ବା ନିସାର୍ ସାଟେଲାଇଟ୍‌। ଏଥିପାଇଁ ଖର୍ଚ୍ଚ ହେବ ୫ ହଜାର କୋଟି ଟଙ୍କା। ଭୂପୃଷ୍ଠରେ ପରିବର୍ତ୍ତନ ଉପରେ ନଜର ରଖିବ ଏହି ଆର୍ଥ ଅବଜର୍ଭିଂ ସାଟେଲାଇଟ୍‌। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟ୍ଟା ସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ ଜିଏସ୍‌ଏଲ୍‌ଭି ମାର୍କ-୨ ସାଟେଲାଇଟ୍ ସହାୟତାରେ ଏହାକୁ ଲଞ୍ଚ କରିବ ଇସ୍ରୋ। ନିସାର୍ ସାଟେଲାଇଟର ଓଜନ ପ୍ରାୟ ୨.୮ ଟନ୍ ଥିବା ବେଳେ, ଏହା ଭୂପୃଷ୍ଠରୁ ୭୪୭ କିଲୋମିଟର ଉପରେ ଅବସ୍ଥାପିତ ହେବ। ଏଥିପାଇଁ ଗତ ଅକ୍ଟୋବରରେ ଆମେରିକାରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ତଥା ସୂକ୍ଷ୍ମ ଯନ୍ତ୍ରାଂଶ ଆସିଥିବା ସୂଚନା ମିଳିଛି। ଏହି ସାଟେଲାଇଟ୍ ଭୂଭାଗ ଓ ବରଫର ପରିବର୍ତ୍ତନକୁ ପ୍ରତି ୧୨ ଦିନରେ ଦୁଇଥର ଲେଖାଏଁ ସ୍କାନ୍ କରିବ ଓ ହାଇରିଜଲ୍ୟୁସନ୍ ଫଟୋ ଉଠାଇବ। ଯାହାଦ୍ୱାରା ଭୂପୃଷ୍ଠ ସଂରଚନାର ପରିବର୍ତ୍ତନ, ବରଫ ତରଳିବା ବା ନୂଆ ତିଆରି ହେବା, ଜୈବ ବିବିଧତା ଆଦି ଉପରେ ନିଖୁଣତାର ସହ ନଜର ରଖି ହେବ। ଅନ୍ଧାର ଓ ଖରାପ ପାଗରେ ବି ଏହା ଭୂପୃଷ୍ଠର ଗୋଟିଏ ଇଞ୍ଚ ଜାଗାରେ କିଛି ପରିବର୍ତ୍ତନ ହେଲେ, ତାକୁ ଚିହ୍ନଟ କରିପାରିବ ବୋଲି କୁହାଯାଉଛି।

Comments are closed, but trackbacks and pingbacks are open.