ରଥଯାତ୍ରା ଶ୍ରଦ୍ଧାଳୁଙ୍କ ସେବାରେ ଭାରତୀୟ ରେଳ: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

315

ଭୁବନେଶ୍ଵର: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଜେସ୍ଥଳୀ ପବିତ୍ର ଶ୍ରୀକ୍ଷେତ୍ର ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତ ହୋଇସାରିଛି। ଶ୍ରୀଗୁଣ୍ଡିଚା ଯାତ୍ରା ହେଉଛି ସାରା ବିଶ୍ୱରୁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ଆସ୍ଥାର ଏକ ଯାତ୍ରା। ଏହି ତୀର୍ଥଯାତ୍ରୀମାନଙ୍କ ସେବାରେ ଭାରତୀୟ ରେଳ ସମ୍ପୂର୍ଣ୍ଣ ସମର୍ପିତ ଭାବେ ନିୟୋଜିତ ରହିଛି। ଶ୍ରୀକ୍ଷେତ୍ର ପୁରୀରେ ସେମାନଙ୍କର ଦିବ୍ୟ ଅନୁଭୂତି ଲାଗି ସବୁପ୍ରକାର ସୁବିଧା ଯୋଗାଇ ଦେଉଛି ରେଳବାଇ। ଗତ ୧୧ ବର୍ଷ ମଧ୍ୟରେ ଓଡ଼ିଶାର ରେଳ ଭିତ୍ତିଭୂମିରେ ଐତିହାସିକ ବିକାଶ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବୋଦୟ ନୀତି ଅନ୍ତର୍ଗତ, ଓଡ଼ିଶାର ରେଳ ବଜେଟ୍‌ ଆବଣ୍ଟନ ପରିମାଣ ୨୦୦୯-୧୪ ତୁଳନାରେ ୧୨ ଗୁଣ ବୃଦ୍ଧି ପାଇ ୨୦୨୫-୨୬ରେ ୧୦ ହଜାର ୫୦୦ କୋଟିରୁ ଅଧିକ ଟଙ୍କାରେ ପହଞ୍ଚିଛି। ୨୦୧୪ ପରଠାରୁ ଓଡ଼ିଶାରେ ୨,୧୦୦ କିଲୋମିଟର ନୂଆ ରେଳ ଲାଇନ୍‌ ନିର୍ମାଣ ହୋଇଛି। ଏହା ମାଲେସିଆର ସମ୍ପୂର୍ଣ୍ଣ ରେଳ ନେଟୱର୍କ ଠାରୁ ଅଧିକ ଲମ୍ବା। ଓଡ଼ିଶାରେ ନୂଆ ରେଳ ଟ୍ରାକ୍‌ ନିର୍ମାଣ ପାଇଁ ପ୍ରାୟ ୭୩ ହଜାର କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ କାମ ଜାରି ରହିଛି। ୫୯ଟି ଅମୃତ ଷ୍ଟେସନ ବିକଶିତ କରାଯାଉଛି। ଏଥିମଧ୍ୟରୁ ୧୬ଟି ଷ୍ଟେସନ ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ରହିଛି। ୬ଟି ବନ୍ଦେ ଭାରତ ଟ୍ରେନ୍‌ ରାଜ୍ୟର ୧୭ଟି ଜିଲ୍ଲାରେ ଯାତ୍ରୀ ସେବା ଯୋଗାଇ ଦେଉଛନ୍ତି। ରଥଯାତ୍ରା ସମୟରେ ଭାରତୀୟ ରେଳବାଇ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାଏ। ପ୍ରତ୍ୟେକ ବର୍ଷ ରେଳବାଇ ଲକ୍ଷ ଲକ୍ଷ ରଥ ଯାତ୍ରା ତୀର୍ଥଯାତ୍ରୀଙ୍କୁ ସେବା ଯୋଗାଇଦିଏ। ତୀର୍ଥଯାତ୍ରୀଙ୍କ ପାଇଁ ସୁଗମ ଯାତ୍ରା ସୁବିଧା ଗତ ୧୧ ବର୍ଷ ମଧ୍ୟରେ ରଥଯାତ୍ରା ସ୍ୱତନ୍ତ୍ର ଟ୍ରେନ ସଂଖ୍ୟା ଚାରି ଗୁଣ ବୃଦ୍ଧି ପାଇଛି। ଚଳିତ ବର୍ଷ ପୁରୀକୁ ୮୫୦ଟି ନିୟମିତ ଏବଂ ୩୬୫ଟି ସ୍ୱତନ୍ତ୍ର ଟ୍ରେନ୍‌ ସେବା ସମେତ ମୋଟ୍‌ ୧୨୧୫ଟି ଟ୍ରେନ୍‌ ସେବା ଯୋଗାଇ ଦିଆଯାଉଛି। ଏହି ରେଳ ସେବା ଆକାଂକ୍ଷୀ ଜିଲ୍ଲା କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, କୋରାପୁଟ, ରାୟଗଡ଼ା, ଗଜପତି ଓ ଢେଙ୍କାନାଳ ସମେତ ରାଜ୍ୟର ବିଭିନ୍ନ ଉପାନ୍ତ ଆଦିବାସୀ କ୍ଷେତ୍ରରୁ ଶ୍ରୀକ୍ଷେତ୍ର ପୁରୀକୁ ଶ୍ରଦ୍ଧାଳୁଙ୍କ ଯାତାୟାତ ପାଇଁ ଯୋଗାଇ ଦିଆଯିବ।

Comments are closed, but trackbacks and pingbacks are open.