ବିଶ୍ବକପ ଜିତିଲେ ପ୍ରତି ଭାରତୀୟ ହକି ଖେଳାଳିଙ୍କୁ ମିଳିବ ୧ କୋଟି ଟଙ୍କା ପୁରସ୍କାର : ମୁଖ୍ୟମନ୍ତ୍ରୀ

37

ରାଉରକେଲା : ଭାରତୀୟ ହକି ଟିମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ବିଶ୍ବକପ ଜିତିଲେ ପ୍ରତି ଖେଳାଳିଙ୍କୁ ୧ କୋଟି ଲେଖାଏଁ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜି ରାଉରକେଲା ଗସ୍ତରେ ଯାଇ ବିଶ୍ବର ସର୍ବବୃହତ ବିର୍ସା ମୁଣ୍ଡା ହକି ଷ୍ଟାଡିଅମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ I ଏହି ଅବସରରେ ଉପସ୍ଥିତ ଜନସାଧାରଣ ଓ କ୍ରୀଡାପ୍ରେମୀ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ହେଉଛି ଓଡିଶାର ସମଗ୍ର ଦେଶକୁ ସବୁଠାରୁ ଶ୍ରେଷ୍ଠ ଉପହାର। ଏହା ଭାରତକୁ ହକି କ୍ଷେତ୍ରରେ ଏକ ବଡ ଶକ୍ତି ଭାବରେ ଗଢି ତୋଳିବ ଏବଂ ଆଗାମୀ ଅନେକ ଦଶକ ପର୍ଯ୍ୟନ୍ତ ହକି ଖେଳରେ ଦେଶ ଏକ ମଜବୁତ ଦଳ ଭାବରେ ପ୍ରତିଷ୍ଠା ଲାଭ କରିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହକିର ସ୍ବର୍ଣ୍ଣକ୍ଷେତ୍ର ସୁନ୍ଦରଗଡରେ ଆଜି ବିଶ୍ବର ସବୁଠାରୁ ବଡ ଷ୍ଟାଡିଅମ ଓଡିଶା ମାଟିର ଗୌରବ ଗାନ କରୁଛି। ଏ ଷ୍ଟାଡିଅମ ସାରା ବିଶ୍ବ ପାଇଁ ହକିର ମୁଖ୍ୟ କେନ୍ଦ୍ର ହୋଇରହିବ ଏବଂ ଦେଶର ପ୍ରମୁଖ ଟିମ୍‌ ମାନଙ୍କୁ ସେମାନଙ୍କ ପ୍ରଦର୍ଶନ ପାଇଁ ସୁଯୋଗ ଦେଇଚାଲିବ। ଆମର ଏହି ଉଦ୍ୟମ ଦେଶର ଯୁବ ଖେଳାଳୀ ମାନଙ୍କୁ ପ୍ରେରଣା ଦେବ ବୋଲି ସେ କହିଥିଲେ। ଦେଶରେ ଅନେକ ଚମ୍ପିଆନ ସୃଷ୍ଟି କରିବ ଏବଂ ଦେଶ ତଥା ରାଜ୍ୟର ଗୌରବ ବୃଦ୍ଧି କରିଚାଲିବ ବୋଲି ସେ କହିଥିଲେ।

ଏଥିସହ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖେଳାଳିମାନେ ଓଡିଶା ସରକାରଙ୍କୁ ପ୍ରଶଂସା କରିବା ସହ ଦେଶର ଖେଳାଳିଙ୍କ ପାଇଁ ହକି ପାଇଁ ଏକ ଇକୋସିଷ୍ଟମ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Comments are closed, but trackbacks and pingbacks are open.