୧୩ ହଜାର କ୍ଲବ୍‌ରେ କୋହଲି ଦ୍ରୁତତମ ବ୍ୟାଟ୍ସମ୍ୟାନ

26

ଦିନିକିଆ କ୍ରିକେଟ୍‌ରେ ୧୩ ହଜାର ରନ୍‌ ପୂରଣ କରିବାରେ ଭାରତୀୟ ବ୍ୟାଟର ବିରାଟ କୋହଲି ଦ୍ରୁତତମ ହୋଇଛନ୍ତି। ଏସିଆ କପ୍‌ ସୁପର-୪ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ କୋହଲି ଏହି ମାଇଲ୍‌ଖୁଣ୍ଟ ଅତିକ୍ରମ କରିଥିଲେ। ଏହି ସ୍କୋରରେ ପହଞ୍ଚିବା ପାଇଁ କୋହଲି ୨୬୭ ପାଳି ନେଇଥିଲେ। ଶତକଠୁ ୩ ରନ୍‌ ଦୂରରେ ଥିବା ବେଳେ ସାହିନ ଶାହ ଆଫ୍ରିଦିଙ୍କ ବଲ୍‌ରେ ୨ ରନ୍‌ ବାହାର କରି ସେ ଏହି ଉପଲବ୍ଧି ପାଇଥିଲେ। ତାଙ୍କ ପୂର୍ବରୁ କିଂବଦନ୍ତି କ୍ରିକେଟର ସଚିନ୍‌ ତେନ୍ଦୁଲକର ୩୨୧ ପାଳି ଓ ରିକି ପଣ୍ଟିଂ ୩୪୧ ପାଳିରେ ୧୩ ହଜାର ରନ୍‌ ମାଇଲଖୁଣ୍ଟ ପାର କରିଥିଲେ। ଏଥିସହିତ ମ୍ୟାଚ୍‌ରେ କୋହଲି ୪୭ତମ ଦିନିକିଆ ଏବଂ ୭୭ତମ ଅନ୍ତର୍ଜାତୀୟ ଶତକ ଅର୍ଜନ କରିଛନ୍ତି। ପୁଣି ଆର୍‌ ପ୍ରେମଦାସା ଷ୍ଟାଡିୟମ୍‌ରେ କୋହଲି ଲଗାତାର ୪ ଶତକ ମାରି ଆଉ ଏକ କୀର୍ତ୍ତିମାନ କରିଛନ୍ତି। ଏଥିପୂର୍ବରୁ ଶ୍ରୀଲଙ୍କା ବିପକ୍ଷରେ ୨୦୧୨ ଓ ୨୦୧୭ରେ ଏହି ଷ୍ଟାଡିୟମ୍‌ରେ ସେ ତିନିଟି ଶତକ ମାରିଥିଲେ। ଏହି ଶତକ ଦ୍ବାରା ଗୋଟିଏ ସ୍ଥାନରେ ଲଗାତାର ସର୍ବାଧିକ ଶତକ ମାରିବାରେ ସେ ଦକ୍ଷିଣ ଆଫ୍ରିକାର ହାସିମ ଆମ୍‌ଲାଙ୍କ ସମକକ୍ଷ ହୋଇଛନ୍ତି। କେବଳ ୧୩,୦୦୦ ଦିନିକିଆ ରନ୍‌ ନୁହେଁ ୮୦୦୦, ୯୦୦୦, ୧୦୦୦୦, ୧୧୦୦୦, ୧୨୦୦୦ ଦିନିକିଆ ରନ୍‌ ମାଇଲଖୁଣ୍ଟ ପୂର୍ଣ୍ଣ ବେ‌ଳେ ମଧ୍ୟ ବିରାଟ ଦ୍ରୁତତମ ଥିଲେ।

ବିରାଟ କୋହଲି ଓ କେଏଲ୍‌ ରାହୁଲଙ୍କ ମଧ୍ୟରେ ତୃତୀୟ ୱିକେଟ୍‌ରେ ହୋଇଥିବା ୨୩୩* ରନ୍‌ର ଭାଗୀଦାରି ଏସିଆ କପ୍‌ ଇତିହାସରେ ଯେ କୌଣସି ୱିକେଟ୍ ପାଇଁ ସର୍ବୋଚ୍ଚ ହୋଇଛି। ପାକିସ୍ତାନର ମହମ୍ମଦ ହାଫିଜ୍‌ ଓ ନାସିର ଜ‌ମସେଦ୍‌ଙ୍କ ୧୧ ବର୍ଷର କୀର୍ତ୍ତିମାନକୁ ଏହା ପଛରେ ପକାଇଦେଇଛି। କୋହଲି ଓ ରାହୁଲ୍‌ଙ୍କ ଏହି ଭାଗୀଦାରି ପାଇଁ ଉଭୟ ୧୯୪ ବଲ୍‌ର ସାମ୍ନା କରିଥିଲେ। କୋହଲି ୧୨୦* ଓ ରାହୁଲ ୧୧୧* ରନ୍‌ର ଭାଗ ରଖିଥିଲା ବେଳେ ଭାଗୀଦାରିରେ ମୋଟ୍‌ ୨୧ ଚୌକା ଓ ୫ ଛକା ସାମିଲ୍‌ ଥିଲା। ପ୍ରତିଟି ଶୀର୍ଷ ୫ଟି ‌ଭାଗୀଦାରିରେ ଭାରତ କିମ୍ବା ପାକିସ୍ତାନ ସାମିଲ ରହିଛି।

ବିରାଟ-ରାହୁଲଙ୍କ ୨୩୩* ରନ୍ ଭାଗୀଦାରି ମଧ୍ୟ ପାକିସ୍ତାନ ବିପକ୍ଷରେ ଭାରତ ପାଇଁ ଯେ କୌଣସି ୱିକେଟ୍‌ ପାଇଁ ସର୍ବୋଚ୍ଚ। ୧୯୯୬ରେ ନବଜୋତ ସିଂହ ସିଦ୍ଧୁ ଓ ସଚିନ ତେନ୍ଦୁଲକର ଦ୍ବିତୀୟ ୱିକେଟ୍ ପାଇଁ ୨୩୧ ରନ୍‌ ସଂଗ୍ରହ କରିଥିବାରୁ ଏହା ପଛରେ ପଡ଼ିଯାଇଛି। ବିରାଟଙ୍କ ୯୪ ବଲ୍‌ ୧୨୨* ରନ୍‌ ପାଳି ମଧ୍ୟ ଏସିଆ କପ୍‌ରେ ତାଙ୍କ ବ୍ୟକ୍ତିଗତ ଚତୁର୍ଥ। ବିରାଟ ଏବେ ଯୁଗ୍ମ ଦ୍ବିତୀୟରେ ଥିବା କୁମାର ସାଙ୍ଗାକାରା (୪ ଶତକ)ଙ୍କ ସହ ସମକକ୍ଷ ହୋଇଛନ୍ତି। ଏସିଆ କପ୍‌ରେ ସର୍ବାଧିକ ଶତକ କୀର୍ତ୍ତିମାନ ଏବେ ସନଥ୍ ଜୟସୁରିୟା (୬)ଙ୍କ ନାମରେ ରହିଛି। ଅନ୍ୟପକ୍ଷରେ ତୃତୀୟ ଥର ପାଇଁ ମଧ୍ୟ ଭାରତର ୩ ଓ ୪ ନମ୍ବର ବ୍ୟାଟର୍‌ ଶତକ ଜମାଇଛନ୍ତି। ପୂର୍ବରୁ ୧୯୯୯ରେ ବ୍ରିଷ୍ଟଲ୍‌‌ରେ କେନିୟା ବିପକ୍ଷରେ ରାହୁଲ ଦ୍ରାବିଡ଼-ସଚିନ ତେନ୍ଦୁଲକର ଏବଂ ୨୦୦୯ରେ‌ କୋଲକାତାରେ ଗୌତମ ଗମ୍ଭୀର ଓ ବିରାଟ କୋହଲି ଶତକ ହାସଲ କରିଥିଲେ।

Comments are closed, but trackbacks and pingbacks are open.