ଶୀର୍ଷରେ ପହଞ୍ଚିବ ଭାରତ

109

 ଆସନ୍ତା ୫ଟି ଦଶକ ମଧ୍ୟରେ ଆମେରିକା ସହ ଜାପାନ ଓ ଜର୍ମାନୀକୁ ମଧ୍ୟ ପଛରେ ପକାଇଦେବ ଭାରତ । ଇନଭେଷ୍ଟମେଣ୍ଟ ବ୍ୟାଙ୍କ ଗୋଲ୍ଡ ସାକସ୍ ଆକଳନ ଅନୁସାରେ ଆମେରିକା, ଜାପାନ, ଜର୍ମାନୀକୁ ମଧ୍ୟ ପଛରେ ପକାଇବ ଭାରତ । ଆଇଏମଏଫ ରିପୋର୍ଟ ଅନୁସାରେ ୨୦୧୧ରେ ଭାରତୀୟ ଅର୍ଥବ୍ୟବସ୍ଥା ବିଶ୍ବର ୧୧ତମ ସ୍ଥାନରେ ଥିବାବେଳେ ମାତ୍ର ଗୋଟିଏ ଦଶକ ପରେ ୨୦୨୧ରେ ବ୍ରିଟେନକୁ ପଛରେ ପକାଇ ପଞ୍ଚମ ସ୍ଥାନରେ ପହଞ୍ଚିଥିଲା ଭାରତ । 

ବୈଷୟିକ ବିକାଶ, କର୍ମନିଯୁକ୍ତି ଓ ରୋଜଗାର ବୃଦ୍ଧି ଯୋଗୁ ଦ୍ରୁତଗତିରେ ଆଗକୁ ବଢୁଛି ଭାରତ । ଆସନ୍ତା ୨ ଦଶକ ମଧ୍ୟରେ ଆତ୍ମନିର୍ଭର ଭାରତ ପରି ଯୋଜନାର ସଫଳତା ଅନ୍ୟଦେଶ ଉପରେ ଭାରତର ନିର୍ଭରତାକୁ ହ୍ରାସ କରିବ । ଗୋଲ୍ଡମ୍ୟାନ ସାକସ ରିପୋର୍ଟ ଅନୁସାରେ ଦେଶରେ ବ୍ୟାପକ ବିଦେଶ ପୁଞ୍ଜିନିବେଶ ଆର୍ଥିକ ବିକାଶର ମୁଖ୍ୟ ସ୍ରୋତ ହେବାକୁ ଯାଉଛି । ମୁଖ୍ୟତ ଆଇଟି, ଏଆଇ ସହିତ ଅନ୍ୟାନ୍ୟ ବୈଷୟିକ କ୍ଷେତ୍ରରେ ଷ୍ଟାର୍ଟଅପ୍ ମାଧ୍ୟମରେ ଯୁବବର୍ଗର ଯୋଗଦାନ, ଉତ୍ପାଦନ ଓ ସେବା କ୍ଷେତ୍ରରେ ଉନ୍ନତି ଯୋଗୁଁ ଭାରତର ଜିଡିପି ଉର୍ଦ୍ଧ୍ବଗାମୀ ରହିଥିବା ଆଇଏମଏଫ କହିଛି । ଗୋଲ୍ଡ ସାକସ ରିପୋର୍ଟରେ ଦେଶର ଆର୍ଥିକ ବିକାଶ ଅନୁମାନ ସହିତ କିଛି ଦୁର୍ବଳ ଦିଗକୁ ମଧ୍ୟ ଚିହ୍ନଟ କରାଯାଇଛି । ଯେପରିକି ଭାରତରେ ଗତ ୧୫ ବର୍ଷ ମଧ୍ୟରେ ଶ୍ରମ ଶକ୍ତିର ଉପଯୋଗ ହ୍ରାସ ପାଇଛି । କର୍ମକ୍ଷେତ୍ରରେ ପୁରୁଷ ତୁଳନାରେ ମହିଳାଙ୍କ ଯୋଗଦାନ ବହୁତ କମ ରହିଛି । ସଡ଼କ, ରେଳ ବିକାଶ ସହିତ ଦେଶରେ ଉତ୍ପାଦନ ଓ ସେବା କ୍ଷେତ୍ର ପ୍ରତି ଅଧିକ ଦୃଷ୍ଟି ଦେବା ଆବଶ୍ୟକତା ରହିଥିବା ରିପୋର୍ଟରେ କୁହାଯାଇଛି ।

ଗତ ୧୦ ବର୍ଷର ଜିଡିପି ଉପରେ ନଜର ପକାଇଲେ ଦେଶର ଆର୍ଥିକ ବିକାଶ ସ୍ପଷ୍ଟ ସନ୍ଦେଶ ଦେଉଛି । ୨୦୧୯ରୁ ୨୦୨୧ ଯାଏ କୋଭିଡ-୧୯ ପ୍ରଭାବରେ ବିଶ୍ବର ଶକ୍ତିଶାଳୀ ଦେଶର ଅର୍ଥବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବାବେଳେ ତୁଳନାତ୍ମକ ଭାବେ ଭାରତର ଅଭିବୃଦ୍ଧି ହାର ସନ୍ତୋଷଜନକ ରହିଥିଲା । ୨୦୧୮-୧୯ରେ ଭାରତର ଜିଡିପି ୪.୫, ୨୦୧୯-୨୦ରେ ୩.୭ ରହିବା ପରେ ଗୋଟିଏ ବର୍ଷ ପରେ ୨୦୨୧-୨୨ରେ ଜିଡିପି ୮.୭ରେ ପହଞ୍ଚିଥିଲା । ଆର୍ଥିକ ବିକାଶକୁ  ନେଇ ବିଶ୍ବର ଶକ୍ତିଶାଳୀ ଦେଶ ସଂଘର୍ଷ କରୁଥିବାବେଳେ ଭାରତର କ୍ରମବିକାଶ ବିଶ୍ବକୁ ଚକିତ କରିଛି ।

Comments are closed, but trackbacks and pingbacks are open.