ଭାରତ-ଆମେରିକା ମିଳିତଭାବେ ତିଆରି କରିବେ ଯୁଦ୍ଧ ବିମାନ ଇଞ୍ଜିନ

1,022

ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଏକ ବଡ଼ ଅଗ୍ରଗତି । ଆମେରିକା ସଂସଦ, ଭାରତ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ବିମାନ ଇଞ୍ଜିନ୍ ଚୁକ୍ତିକୁ କରିଛି ଅନୁମୋଦନ । ମିଳିତ ଭାବେ ଯୁଦ୍ଧ ବିମାନ ଇଞ୍ଜିନ ଉତ୍ପାଦନ ପାଇଁ ଭାରତର ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ଏବଂ ଆମେରିକାର ଜିଇ ଏରୋସ୍ପେସ୍ ମଧ୍ୟରେ ଏକ ଚୁକ୍ତିନାମା ହୋଇଥିଲା । ଏହି ଚୁକ୍ତି ଅନୁମୋଦନ ସହିତ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ  ଆହୁରି ମଜବୁତ ହେବ।

ଚଳିତ ବର୍ଷ ଜୁନ୍ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ସମୟରେ ଭାରତ ଏବଂ ଆମେରିକା ମଧ୍ୟରେ ଏହି ଚୁକ୍ତି ହୋଇଥିଲା । ବାଇଡେନ ସରକାରଙ୍କ ଏହି ଚୁକ୍ତିକୁ ଆମେରିକା ସାଂସଦ ଅନୁମୋଦନ କରିଛି । ଏହି ଚୁକ୍ତି ଅନୁଯାୟୀ ଆମେରିକା ଟେକ୍ନୋଲୋଜି ହସ୍ତାନ୍ତର, ଜେଟ ଇଞ୍ଜିନ ଉତ୍ପାଦନ ଏବଂ ଲାଇସେନ୍ସ ସମ୍ବନ୍ଧରେ ଭାରତ ସହିତ ଏକ ରାଜିନାମା ସ୍ବାକ୍ଷର କରିଥିଲା ।

ଆମେରିକା ଭାରତକୁ ଟେକ୍ନୋଲୋଜି ହସ୍ତାନ୍ତର କରିବ

ଜିଇ ଏରୋସ୍ପେସ୍ କମ୍ପାନୀ F-414 ଯୁଦ୍ଧ ବିମାନ ଇଞ୍ଜିନ ଉତ୍ପାଦନ ପାଇଁ ଏହାର ୮୦ ପ୍ରତିଶତ ଟେକ୍ନୋଲୋଜି ଭାରତକୁ ହସ୍ତାନ୍ତର କରିବ । ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟ (LCA) MKII ର ଦକ୍ଷତା ବୃଦ୍ଧି ପାଇଁ  ଟେକ୍ନୋଲୋଜି ହସ୍ତାନ୍ତର ହେବ  । ଏହି ଯୁଦ୍ଧ ବିମାନ ଇଞ୍ଜିନଗୁଡ଼ିକ ‘ତେଜସ୍ ମାର୍କ-୨’ ପାଇଁ ଉଦ୍ଧିଷ୍ଟ ।  ମାର୍କ-୨ ହେଉଛି ତେଜସର ପରିବର୍ତ୍ତିତ ଉନ୍ନତ ମଡେଲ୍ ଏବଂ ଏଥିରେ  GE-F414 ଇଞ୍ଜିନ୍ ଲାଗିବ ।

ଭବିଷ୍ୟତ ପାଇଁ  ‘ଗେମ ଚେଞ୍ଜର୍’

ଏହି ସହଭାଗିତାକୁ HAL ମୁଖ୍ୟ ସିବି ଅନନ୍ତକୃଷ୍ଣନ୍ ଏକ ‘ଗେମ ଚେଞ୍ଜର୍’ ଭାବରେ ପ୍ରଶଂସା କରିଛନ୍ତି କାରଣ ଏହା ଭବିଷ୍ୟତରେ ସ୍ୱଦେଶୀ ଇଞ୍ଜିନ୍ ପାଇଁ ଆଧାର ସୃଷ୍ଟି କରିବ ଯାହା ସାମରିକ ଜେଟ ଶକ୍ତିକୁ ବୃଦ୍ଧି କରିବାରେ ସହାୟକ ହେବ । ଏହି ଚୁକ୍ତି ଅନୁଯାୟୀ ୯୯  ଟି ଜେଟ ଇଞ୍ଜିନ୍ ଉତ୍ପାଦନ ହେବ । ଯାହା ଟେକ୍ନୋଲୋଜି ହସ୍ତାନ୍ତର ହେତୁ କମ୍ ମହଙ୍ଗା ହେବ । F-414 ଇଞ୍ଜିନ୍ ସେମାନଙ୍କର ପ୍ରଦର୍ଶନ ଏବଂ କାର୍ଯ୍ୟଦକ୍ଷତା ପାଇଁ ପ୍ରସିଦ୍ଧ ।

ଜିଇ ଏରୋସ୍ପେସ୍ କମ୍ପାନୀ ଚାରି ଦଶନ୍ଧି ଧରି ଭାରତରେ କାର୍ଯ୍ୟ କରିଆସୁଛି ।  ଏହି ଡିଲର ଅନୁମୋଦନ ପରେ କମ୍ପାନୀ ବର୍ତ୍ତମାନ ଇଞ୍ଜିନ ଉତ୍ପାଦନ, ଆଭିଏନିକ୍ସ, ସେବା, ଇଞ୍ଜିନିୟରିଂ, ଉତ୍ପାଦନ ଏବଂ ସ୍ଥାନୀୟ ରୋଜଗାର ବୃଦ୍ଧିରେ ସହାୟତା କରିବ ।

ଭାରତର ଜେଟ ଉତ୍ପାଦନ କ୍ଷମତା ମଧ୍ୟ ବୃଦ୍ଧି କରିବ

ବିଶେଷଜ୍ଞମାନେ କହିଛନ୍ତି ଯେ ଏକ ସମୟରେ ପାକିସ୍ତାନ ଏବଂ ଚୀନ୍ ବିରୋଧରେ ଯୁଦ୍ଧ ପାଇଁ ଭାରତକୁ ଅତି କମରେ ୭୫୬ ଯୁଦ୍ଧ ବିମାନ କିମ୍ବା ୪୨  ଟି ସ୍କାଡ୍ରନ୍ ଆବଶ୍ୟକତା ରହିଛି । ବର୍ତ୍ତମାନ ବାୟୁସେନାରେ ପ୍ରାୟ ୫୬୦  ଟି ବିମାନ ଅଛି । ଆହୁରି ୧୯୬ ଯୁଦ୍ଧ ବିମାନର ଆବଶ୍ୟକତା ରହିଛି ।  ଏହି ଚୁକ୍ତି ପରେ ଭାରତ ଯୁଦ୍ଧ ବିମାନ ସଂଖ୍ୟାରେ ଶୀଘ୍ର ବୃଦ୍ଧି ଘଟିବ ।

Comments are closed, but trackbacks and pingbacks are open.