ନୂଆଦିଲ୍ଲୀ : ଭାରତ-EU ମଧ୍ୟରେ ଐତିହାସିକ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଉଭୟ ପକ୍ଷ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ । ୨୦୦୭ ମସିହାରୁ ୧୮ ବର୍ଷ ଧରି ଚାଲିଥିବା ଏହି ବାଣିଜ୍ୟ ଚୁକ୍ତିନାମା ପାଇଁ ଆଲୋଚନା ଶେଷରେ ସଫଳ ହୋଇଛି । ଐତିହାସିକ ଚୁକ୍ତିନାମା ଉପରେ ମୋହର ଲାଗିଥିବା ନେଇ ଆନୁଷ୍ଠାନିକ ଭାବେ ଘୋଷଣା ହୋଇଛି । “ମଦର ଅଫ୍ ଅଲ୍ ଡିଲ୍ “କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ଓ ୟୁରୋପ ଲୋକଙ୍କ ପାଇଁ ଏହା ବଡ଼ ସୁଯୋଗ ଆଣିବ । ଭାରତ ଓ ୟୁରୋପ ଫ୍ରି ଟ୍ରେଡ୍ ଏଗ୍ରିମେଣ୍ଟ ଫଳରେ ଶସ୍ତା ହେବ ବିଦେଶୀ ଗାଡ଼ି ଓ ମଦ । ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ପ୍ରାୟ ୧୩୬ ବିଲିୟନ ଡଲାରର ବ୍ୟବସାୟ ଚାଲିଛି । ଫ୍ରି ଟ୍ରେଡ ଏଗ୍ରିମେଣ୍ଟ ପରେ ୯୦ପ୍ରତିଶତରୁ ଅଧିକ ପଣ୍ୟଦ୍ରବ୍ୟ ଉପରୁ ଆଦାୟ ହେଉଥିବା ସୀମା ଶୁଳ୍କକୁ ଧୀରେ ଧୀରେ ହଟାଇ ଦିଆଯିବ । ଫଳରେ ଭାରତୀୟ ସାମଗ୍ରୀ ୟୁରୋପ ବଜାରରେ ଶସ୍ତା ହେବ ଏବଂ ଚାଇନା ଭଳି ଦେଶ ସହିତ ପ୍ରତିଯୋଗିତା କରିପାରିବ ।
ବର୍ତ୍ତମାନ ଭାରତର କପଡ଼ା, ଜୋତା ଏବଂ ଅଳଙ୍କାର ଉପରେ ୟୁରୋପରେ ପ୍ରାୟ ୧୦ପ୍ରତିଶତ ଟ୍ୟାକ୍ସ ଲାଗୁଛି । ଚୁକ୍ତି ପରେ ଏହା ଶୂନ ହୋଇଯିବ । ଏହାଦ୍ୱାରା ହସ୍ତତନ୍ତ ଓ କପଡ଼ା ଶିଳ୍ପ ବହୁତ ଲାଭ ପାଇବେ । ଭାରତର ଆଇଟି ଏବଂ ବିପିଓ କ୍ଷେତ୍ରର କର୍ମଚାରୀମାନେ ୟୁରୋପର ୨୭ଟି ଯାକ ଦେଶରେ କାମ କରିବା ପାଇଁ ସହଜରେ ଭିସା ଓ ଅନୁମତି ପାଇବେ । ଭାରତର ଜେନେରିକ୍ ଔଷଧ ୟୁରୋପ ବଜାରରେ ବିକ୍ରି କରିବା ପାଇଁ ପୂର୍ବ ଅପେକ୍ଷା ସହଜ ନିୟମ ଲାଗୁ ହେବ । ୟୁରୋପରୁ ଆସୁଥିବା ସାମଗ୍ରୀ ଉପରେ ଭାରତରେ ଟିକସ କମିବ । ୟୁରୋପୀୟ ଲକ୍ସୁରୀ କାର୍ ଉପରେ ବର୍ତ୍ତମାନ ୧୧୦% ପର୍ଯ୍ୟନ୍ତ ଟ୍ୟାକ୍ସ ଲାଗୁଛି । ଏହାକୁ ହ୍ରାସ କରି ୪୦% କରାଯିବ । ବିଶେଷ କରି ଇଲେକ୍ଟ୍ରିକ୍ ଗାଡ଼ି (EV) ଗୁଡ଼ିକ ଅଧିକ ଶସ୍ତା ହେବ । ସ୍କଚ୍ ହୁଇସ୍କି ଏବଂ ସାମ୍ପେନ୍ ଉପରୁ ଟ୍ୟାକ୍ସ କମିବା ଫଳରେ ଏହାର ଦାମ୍ ଯଥେଷ୍ଟ କମିବ । ୟୁରୋପୀୟ ମେସିନାରୀ, କଳକବଜା ଏବଂ ବିମାନର ପାର୍ଟସ୍ ଶସ୍ତା ହେବ, ଯାହାଦ୍ୱାରା ଭାରତର ଶିଳ୍ପାୟନ ତ୍ୱରାନ୍ୱିତ ହେବ । ତେବେ ବିଦେଶୀ ବିଦେଶୀ ସାମଗ୍ରୀ ଶସ୍ତା ହେଲେ ଭାରତୀୟ କମ୍ପାନୀ କ୍ଷତି ସହିବା ନେଇ ଆଶଙ୍କା ଦେଖାଯାଇଛି । ରିପୋର୍ଟ ଅନୁଯାୟୀ, ୟୁରୋପୀୟ ସଂଘ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA) ଅନୁଯାୟୀ, ଭାରତ ୟୁରୋପୀୟ ଯାନବାହନ ଉପରେ ଆମଦାନୀ ଶୁଳ୍କକୁ ବର୍ତ୍ତମାନର ୧୧୦ ପ୍ରତିଶତରୁ ୪୦ ପ୍ରତିଶତକୁ ହ୍ରାସ କରିବାକୁ ପ୍ରସ୍ତୁତ ହେଉଛି
Comments are closed, but trackbacks and pingbacks are open.