ଅବିବାହିତ ମହିଳାମାନେ କରିପାରିବେ ଗର୍ଭପାତ: ସୁପ୍ରିମକୋର୍ଟ

34

ନୂଆଦିଲ୍ଲୀ : ଏବେ ଦେଶରେ ସମସ୍ତ ମହିଳାମାନେ ଗର୍ଭପାତ କରିବାର ଅଧିକାର ପାଇବେ । ମହିଳାମାନଙ୍କ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି ନକରିବା ପାଇଁ ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି । ରାୟ ଅନୁସାରେ, ଦେଶରେ ସମସ୍ତ ମହିଳା ସୁରକ୍ଷିତ ଓ ବୈଧ ଉପାୟରେ କରିପାରିବେ ଗର୍ଭପାତ । ବିବାହିତ ମହିଳାମାନଙ୍କ ପରି ଅବିବାହିତ ମହିଳା ମଧ୍ୟ ଏହି ଉପାୟ ଅବଲମ୍ବନ କରିପାରିବେ । ମହିଳାମାନଙ୍କ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରିବା ଅସାମ୍ବିଧାନିକ । ମେଡିକାଲ୍‌ ଟର୍ମିନେସନ୍‌ ଅଫ୍‌ ଗର୍ଭଧାରଣ (ଏମ୍‌ଟିପି) ଅଧିନିୟମ ଅନୁଯାୟୀ ୨୪ ସପ୍ତାହରେ ସମସ୍ତଙ୍କର ଗର୍ଭପାତ କରିବାର ଅଧିକାର ରହିଛି । ଏହି ଅଧିକାରରେ ମହିଳା ବିବାହିତ କି ଅବିବାହିତ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ଭାରତରେ ପ୍ରଚଳିତ ଗର୍ଭପାତ ଆଇନରେ ମଧ୍ୟ ବିବାହିତ ଓ ଅବିବାହିତ ମହିଳାଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ ।

ଏନେଇ ଜଷ୍ଟିସ୍‌ ଡି.ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଏକ ତିନିଜଣିଆ ଖଣ୍ଡପୀଠ ଶୁଣାଣି ହୋଇଥିଲା । ଏହି ଖଣ୍ଡପୀଠ ମାଧ୍ୟମରେ ଘୋଷଣା ହୋଇଥିଲା ଯେ, ବିବାହିତ ମହିଳାମାନେ ମଧ୍ୟ ଦୁଷ୍କର୍ମ ପୀଡିତା ହୋଇପାରନ୍ତି । ସହମତି ବିନା ବଳପୂର୍ବକ ଶାରୀରିକ ସମ୍ବନ୍ଧ ରଖିବା ମାମଲା ବୃଦ୍ଧିପାଉଛି । ଏଭଳି ମାମଲାରେ ମହିଳା କିମ୍ବା ଯୁବତୀ ଜୋରଜବରଦସ୍ତ ଗର୍ଭବତୀ ହୁଅନ୍ତି । ତେଣୁ ଏଭଳି ମାମଲା ସାମ୍ନାକୁ ଆସିଲେ ତାହା ଦୁଷ୍କର୍ମ ଭାବେ ଧରାଯିବ । ଯଦି ପୀଡିତା ମହିଳା କିମ୍ବା ଯୁବତୀ ଅଭିଯୋଗ କରନ୍ତ, ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯଦି ଜଣେ ମହିଳା ନିଜର ସ୍ୱାମୀ କିମ୍ବା ଅନ୍ୟ ଯେକୌଣସି ବ୍ୟକ୍ତିଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଦାବି କରୁଛନ୍ତି, ତାହେଲେ ବିନା ଏଫଆଇଆରରେ ସୁରକ୍ଷିତ ଗର୍ଭପାତ କରାଯାଇ ପାରିବ । ସେହିଭଳି ପୋକ୍‌ସୋ କୋର୍ଟ ଅନୁଯାୟୀ ନାବାଳିକା ଗର୍ଭପାତକୁ ମଧ୍ୟ ଆଇନ ସମ୍ମତ କରିଛନ୍ତି ।

ଏହାସହିତ ସୁପ୍ରିମକୋର୍ଟ ଆହୁରୀ ମଧ୍ୟ କହିଛନ୍ତି ଯେ, ୨୦୨୧ର ସଂଶୋଧନ ପରେ ଗର୍ଭବତୀ ଆଇନର ମେଡିକାଲ ଟର୍ମିନେସନ୍‌ ଧାରା-୩ରେ ସ୍ୱାମୀଙ୍କ ବଦଳରେ ପାର୍ଟନର ଶବ୍ଦ ବ୍ୟବହାର କରାଯାଉଛି । ଭାରତରେ ୬୦ ପ୍ରତିଶତ ମହିଳା ଅସୁରକ୍ଷିତ ଭାବେ ଗର୍ଭପାତ କରୁଛନ୍ତି । ଭାରତରେ ମାତୃମୃତ୍ୟୁହାର ବୃଦ୍ଧି ପାଇବାରେ ଅସୁରକ୍ଷିତ ଗର୍ଭପାତ ତୃତୀୟ ବଡ କାରଣ ସାଜିଛି । ଗର୍ଭପାତ ଆଇନ ଅନୁଯାୟୀ, ଗର୍ଭଧାରଣର ୨୪ ସପ୍ତାହ ପର୍ଯ୍ୟନ୍ତ ମହିଳାମାନଙ୍କୁ ଗର୍ଭପାତ କରିବାକୁ ଅନୁମତି ଦିଆଯାଇଛି ।

ସୂଚନା ଥାଉଯେ, ଗତ ମାସରେ ସୁପ୍ରିମକୋର୍ଟ ଜଣେ ୨୫ ବର୍ଷୀୟ ଅବିବାହିତ ଯୁବତୀଙ୍କୁ ୨୪ ସପ୍ତାହ ପରେ ଗର୍ଭପାତ ଅନୁମତି ଦେଇ ଚର୍ଚ୍ଚାକୁ ଆସିଥିଲେ । ଏହାକୁ ବିରୋଧ କରି ଅଭିଯୋଗ କରାଯାଇଥିଲା । ସେହି ସମୟରେ ଦିଲ୍ଲୀ ହାଇକୋର୍ଟ ଗର୍ଭପାତ କରାଇବାର ଅନୁମତି ଦେଇ ନଥିଲେ । ଏହାପରେ ସେ ସର୍ବୋଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ଯାହାର ଶୁଣାଣୀ କରି ସୁପ୍ରିମକୋର୍ଟ ଉପରୋକ୍ତ ଶୁଣାଣୀ କରିଛନ୍ତି ।

Comments are closed, but trackbacks and pingbacks are open.