ନୂଆଦିଲ୍ଲୀ: ଜାପାନକୁ ପଛରେ ପକାଇ ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି (World’s 4th Largest Economy India) ହୋଇପାରିଛି। ଏହି ସୂଚନା ଶନିବାର (୨୪ ମଇ, ୨୦୨୫) ନୀତି ଆୟୋଗର ସିଇଓ ବିଭିଆର ସୁବ୍ରମଣ୍ୟମ ଦେଇଛନ୍ତି। ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲର ଦଶମ ବୈଠକ ପରେ ସେ କହିଛନ୍ତି ଯେ, ଭାରତ ପାଇଁ ବୈଶିକ ଏବଂ ଅର୍ଥନୈତିକ ପରିବେଶ ଅନୁକୂଳ ରହିଛି। ବିଭିଆର ସୁବ୍ରମଣ୍ୟମ କହିଛନ୍ତି ଯେ, “ଆମେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି। ଆଜି ଆମେ ୪ ଟ୍ରିଲିୟନ ଡଲାରର ଅର୍ଥନୀତି ହୋଇପାରିଛୁ।” ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF)ର ତଥ୍ୟକୁ ଉଦ୍ଧୃତ କରି ସେ ଆହୁରି କହିଛନ୍ତି ଯେ, “ଭାରତୀୟ ଅର୍ଥନୀତି ଏବେ ଜାପାନଠାରୁ ବଡ଼ ହୋଇଗଲାଣି। ଏହି ମାଇଲଖୁଣ୍ଟ ହାସଲ କରି ଭାରତ ଇତିହାସ ସୃଷ୍ଟି କରିଛି। ଏବେ କେବଳ ଆମେରିକା, ଚୀନ୍ ଏବଂ ଜର୍ମାନୀର ଅର୍ଥନୀତି ଭାରତଠାରୁ ଆଗରେ ଅଛି। ମୁଁ ଆଶା କରୁଛି ଯେ, ଆମେ ମଧ୍ୟ ଶୀଘ୍ର ତୃତୀୟ ସ୍ଥାନରେ ପହଞ୍ଚିବୁ।” ନୀତି ଆୟୋଗର ସିଇଓ କହିଛନ୍ତି ଯେ, ଆମେ ଆମର ଯୋଜନାରେ ମଜବୁତ ଏବଂ ଯଦି ସବୁକିଛି ଠିକ୍ ରହେ, ତେବେ ଆଗାମୀ ଅଢ଼େଇରୁ ତିନି ବର୍ଷ ମଧ୍ୟରେ ଆମେ ଜର୍ମାନୀକୁ ପଛରେ ପକାଇ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହୋଇଯିବୁ। ସେ କହିଛନ୍ତି ଯେ, ଆମେରିକାର ଶୁଳ୍କ ଯୋଗୁଁ ବିଶ୍ୱରେ ଅଶାନ୍ତି ଥିବା ସମୟରେ ଭାରତ ଏହି ସ୍ଥାନ ହାସଲ କରିଛି, କିନ୍ତୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଭାରତର ଅଭିବୃଦ୍ଧିକୁ ରୋକିବାରେ ସକ୍ଷମ ହୋଇନାହାଁନ୍ତି। ଆମେରିକା ରାଷ୍ଟ୍ରପତି ଆପଲ୍ ଆଇଫୋନ ଉପରେ ଶୁଳ୍କ ଲାଗୁ କରିବା ସମ୍ପର୍କିତ ଏକ ପ୍ରଶ୍ନରେ ସିଇଓ ବିଭିଆର ସୁବ୍ରମଣ୍ୟମ କହିଛନ୍ତି ଯେ, “ଆମେ ଆଶା କରୁଛୁ ଯେ ଆମେରିକାରେ ବିକ୍ରି ହେଉଥିବା ଆପଲ୍ ଆଇଫୋନଗୁଡ଼ିକ ଭାରତ କିମ୍ବା ଅନ୍ୟ କୌଣସି ସ୍ଥାନରେ ନୁହେଁ ବରଂ ଆମେରିକାରେ ଉତ୍ପାଦନ ହେବ। ଭବିଷ୍ୟତର ଶୁଳ୍କ କ’ଣ ହେବ ତାହା ଏବେ କହିବା କଷ୍ଟକର। ତଥାପି ଆମେ ନିଶ୍ଚିତ ଭାବରେ ଉତ୍ପାଦନ ପାଇଁ ଏକ ଶସ୍ତା ସ୍ଥାନ ହେବୁ।”
Comments are closed, but trackbacks and pingbacks are open.