ଅଷ୍ଟମ ଦିନରେ ଭାରତ ଯୋଡ଼ ଯାତ୍ରା: ରାଜ୍ୟବାସୀ ପରିବର୍ତ୍ତନର ସ୍ୱପ୍ନ ଦେଖନ୍ତୁ: ଶରତ

24

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଭାରତ ଯୋଡ଼ ଯାତ୍ରା- ଓଡ଼ିଶା ଅଷ୍ଟମ ଦିନରେ ପହଞ୍ଚିଛି । ସୋର ନିର୍ବାଚନମଣ୍ଡଳୀର ସିରା ପଡ଼ିଆଠାରୁ ବୁଧବାର ସକାଳେ ଯାତ୍ରା ଆରମ୍ଭ ହୋଇଥିଲା । ମ୍ୟୁନିସିପାଲିଟି ପରିକ୍ରମା କରି ଏହି ଯାତ୍ରା ମଧ୍ୟାହ୍ନରେ ଦହିଷଡ଼ାରେ ପହଞ୍ଚିଥିଲା । ମଧ୍ୟାହ୍ନ ପରେ ଅଷ୍ଟମ ଦିନର ପଦଯାତ୍ରା ବାହାନଗା ଠାରେ ଶେଷ ହୋଇଛି । ଏହି ଅବସରରେ ଗଣମାଧ୍ୟମକୁ ସମ୍ବୋଧିତ କରି ପ୍ରଦେଶ କଂଗ୍ରେସ ସଭାପତି କହିଛନ୍ତି, ରାଜ୍ୟବାସୀ ପରିବର୍ତ୍ତନର ସ୍ୱପ୍ନ ଦେଖନ୍ତୁ । ମୋଦୀ ଓ ନବୀନ ଶାସନରେ ଦେଶ ଓ ରାଜ୍ୟର ଜନସାଧାରଣ ଏକ ସଂକଟମୟ ପରିସ୍ଥିତି ଦେଇ ଗତି କରୁଛନ୍ତି । ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ ଯାତ୍ରା ଭାଙ୍ଗିରୁଜି ଯାଉଥିବା ଭାରତବର୍ଷକୁ ଯୋଡ଼ିବା ପାଇଁ ଅଭିପ୍ରେତ । ମୋଦୀଙ୍କର ହିଟଲରୀ ଶାସନର ତ୍ରାହି ତ୍ରାହି ଡାକୁଥିବା ଦେଶର ଜନସାଧାରଣଙ୍କୁ ଉଦ୍ଧାର କରିବା ପାଇଁ ଏକ ଅତୁଳନୀୟ ଜନ ଆନ୍ଦୋଳନ ଗଣତନ୍ତ୍ର ଓ ସମ୍ବିଧାନକୁ ଅକାମୀ କରିବାକୁ ଷଡ଼ଯନ୍ତ୍ର କରୁଥିବା ଗୈରୀକ ଶକ୍ତି ବିରୁଦ୍ଧରେ ଭାରତ ଯୋଡ଼ ଯାତ୍ରା ସାଧାରଣ ଜନତାର ସମବେତ ସ୍ୱର । ୨୨ବର୍ଷ ଧରି ଓଡ଼ିଶାକୁ ଲୁଣ୍ଠନ କରୁଥିବା ନବୀନ ସରକାରର ପତନ ହିଁ ଭାରତ ଯୋଡ଼ ଯାତ୍ରା-ଓଡ଼ିଶାର ଲକ୍ଷ୍ୟ । ଏଠାରେ ଖାଇ ପିଇ କେବଳ ଜୀବନ ବଞ୍ଚାଇବାକୁ ହିଁ ବିକାଶ କୁହାଯାଉଛି । ନବୀନ ସରକାରରେ ବିକାଶ ଏକ ପ୍ରତାରଣା ପୂର୍ଣ୍ଣ ଶବ୍ଦ । ୨୨ବର୍ଷ ଭିତରେ ଚାଷୀର ସର୍ବନାଶ ହୋଇଛି । ଯୁବକମାନଙ୍କର ସ୍ୱପ୍ନ ଧୂଳିସାତ ହୋଇଯାଇଛି । ଦୁଷ୍କର୍ମପୀଡ଼ିତା ନ୍ୟାୟ ପାଉନାହାନ୍ତି, ସମସ୍ତ ସରକାରୀ କାର୍ଯ୍ୟରେ ଦୁର୍ନୀତିର ଗନ୍ଧ ବାରି ହୋଇପଡ଼ିଛି । ସର୍ବୋପରି ଏହା ଏକ ପିସି ସରକାରର ଅପବାଦ ମୁଣ୍ଡାଇଛି । ନିର୍ବାଚନବେଳେ ଭୋଟର୍‌ଙ୍କ ଗରିବୀକୁ କିଣିନିଆଯାଉଛି । ଶାସକଦଳର ବିଧାୟକ, ସାଂସଦ ଓ ନେତାମାନେ ଦୁର୍ନୀତି, ଭ୍ରଷ୍ଟାଚାର, ହତ୍ୟା ଓ ଲୁଣ୍ଠନରେ ଲିପ୍ତ ରହିଥିଲେ ମଧ୍ୟ ସେମାନେ ଦଣ୍ଡିତ ହେଉନାହାନ୍ତି । ସରକାରୀ ଅନୁଷ୍ଠାନଗୁଡ଼ିକୁ ଦଳୀୟ କାର୍ଯ୍ୟାଳୟ ଭାବରେ ବ୍ୟବହାର କରାଯାଉଛି । ଶିକ୍ଷା ଓ ସ୍ୱାସ୍ଥ୍ୟସେବା ପ୍ରଭୃତି କ୍ଷେତ୍ରରେ ୨୨ବର୍ଷ ଧରି ଚରମ ବିଫଳତା ପରିଦୃଷ୍ଟ ହେଉଛି । ଭାରତ ଯୋଡ଼ ଯାତ୍ରା –ଓଡ଼ିଶାର ମୁଖ୍ୟବାର୍ତ୍ତା ହେଲା ପରିବର୍ତ୍ତନ । ପରିବର୍ତ୍ତନ ନହେଲେ ମହାମାରୀର ରୂପ ନେଇଥିବା ଦୁର୍ନୀତି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ବେକାରି ଓ ଦାରିଦ୍ର‌୍ୟ କବଳରୁ ମୁକ୍ତି ମିଳିବ ନାହିଁ । ଏହି ପଦଯାତ୍ରାରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଅନନ୍ତ ସେଠୀ, ନବଜ୍ୟୋତି ପଟ୍ଟନାୟକ, ମାନସ ଚୌଧୁରୀ, ଅଶୋକ ଦାସ, ସଞ୍ଜୀବ ଗିରି, ମଧୁମିତା ସେଠୀ, ସୁରେନ୍ଦ୍ର ପରମାଣିକ, ଚିତ୍ତ ଷଡ଼ଙ୍ଗୀ ଓ ବିଶ୍ୱରଞ୍ଜନ ମହାନ୍ତି ପ୍ରମୁଖ କଂଗ୍ରେସ କର୍ମୀ ଅଂଶଗ୍ରହଣ କରିଥିଲେ । ଶୁକ୍ରବାର ବାଲେଶ୍ୱରର କୁରୁଡ଼ା ଛକଠାରୁ ପ୍ରଭାତରେ ପୁଣି ଯାତ୍ରା ଆରମ୍ଭ ହେବ ବୋଲି ମିଡିଆ ଇନ୍‌ଚାର୍ଜ ପ୍ରକାଶ ମିଶ୍ର ଜଣାଇଛନ୍ତି ।

Comments are closed, but trackbacks and pingbacks are open.