ବାରବାଟୀ ଦିନିକିଆରେ ଭାରତ ବିଜୟୀ

202

ଭୁବନେଶ୍ବର: ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ରେ ରବିବାର ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତ ୪ ୱିକେଟ୍‌ରେ ଇଂଲଣ୍ଡକୁ ହରାଇ ଦେଇଛି। ଏହା ସହିତ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ଟିମ୍ ଇଣ୍ଡିଆ ୨-୦ର ଅଜେୟ ଅଗ୍ରଣୀ ଲାଭ କରିଛି। ଟସ୍ ଜିତି ବ୍ୟାଟିଂ ନେଇଥିବା ଇଂଲଣ୍ଡ ବେନ୍ ଡକେଟ୍ ଓ ଜୋ ରୁଟ୍‌ଙ୍କ ଅର୍ଦ୍ଧଶତକୀୟ ଇନିଂସ୍ ବଳରେ ୪୯.୫ ଓଭର୍‌ରେ ୩୦୪ ରନ୍ କରି ଅଲ୍‌ଆଉଟ୍ ହୋଇଥିଲା। ଜବାବରେ ଭାରତ କ୍ୟାପ୍‌ଟେନ୍ ରୋହିତ ଶର୍ମାଙ୍କ ଶତକୀୟ ଇନିଂସ୍ ବଳରେ ୪୪.୩ ଓଭର୍‌ରେ ୬ ୱିକେଟ୍ ବିନିମୟରେ ୩୦୮ ରନ୍ କରି ମ୍ୟାଚ୍ ନିଜ ନାମରେ କରିଛି। ଦୁଇ ଟିମ୍ ମଧ୍ୟରେ ତୃତୀୟ ତଥା ଅନ୍ତିମ ମ୍ୟାଚ୍ ୧୨ତାରିଖରେ ଅହମ୍ମଦାବାଦରେ ଖେଳାଯିବ। ଲକ୍ଷ୍ୟର ପିଛା କରୁଥିବା ଭାରତର ଆରମ୍ଭ ଚମତ୍କାର ଥିଲା। ରୋହିତ ଶର୍ମା ଓ ଶୁଭମନ ଗିଲ୍‌ଙ୍କ ମଧ୍ୟରେ ପ୍ରଥମ ୱିକେଟ୍ ପାଇଁ ୧୩୬ ରନ୍‌ର ଭାଗୀଦାରି ହୋଇଥିଲା। ଗିଲ୍‌ଙ୍କୁ ବୋଲ୍ଡ ଆଉଟ୍ କରି ଜାମି ଓଭର୍‌ଟନ୍ ଏହି ଯୋଡ଼ିରେ ବ୍ରେକ୍ ଲଗାଇଥିଲେ। ଗିଲ୍ ୫୨ ବଲ୍‌ରେ ୯ ଚୌକା ଓ ଗୋଟିଏ ଛକା ସହାୟତାରେ ୬୦ରନ୍ କରିଥିଲେ। ଗିଲ୍‌ଙ୍କର ଏହା ଲଗାତାର ଦ୍ୱିତୀୟ ଅର୍ଦ୍ଧଶତକ ଥିବାବେଳେ କ୍ୟାରିୟର୍‌ର ୧୫ଶ ଅର୍ଦ୍ଧଶତକ ସେ ୪୫ ବଲ୍‌ରୁ ପୂରଣ କରିଥିଲେ। ତୃତୀୟ ସ୍ଥାନରେ ବ୍ୟାଟିଂ ପାଇଁ ଆସିଥିବା ଷ୍ଟାର୍ ବ୍ୟାଟର୍ ବିରାଟ କୋହଲି ଓଡ଼ିଶା କ୍ରିକେଟ୍‌ପ୍ରେମୀଙ୍କୁ ନିରାଶ କରିଥିଲେ। ସେ ପୁଣିଥରେ ଅଫ୍ ଷ୍ଟମ୍ପ୍ ବାହାର ବଲ୍ ଖେଳିବାକୁ ଯାଇ ଆଉଟ୍ ହୋଇଥିଲେ। ୫ ରନ୍ କରିଥିବା ବେଳେ ଆଦିଲ୍ ରଶିଦ୍‌ଙ୍କ ବଲ୍‌ରେ ଫିଲ୍ ସଲ୍ଟଙ୍କୁ କ୍ୟାଚ୍ ଦେଇ ଫେରିଥିଲେ। ଏହାପରେ ଶ୍ରେୟସ୍ ଆୟର୍ ଇନିଂସ୍ ସମ୍ଭାଳି ହିଟ୍ ମ୍ୟାନ୍ ରୋହିତଙ୍କ ସହ ୩ୟ ୱିକେଟ୍ ପାଇଁ ୭୦ ରନ୍‌ର ଭାଗୀଦାରି କରିଥିଲେ। ଇତିମଧ୍ୟରେ ରୋହିତ ୭୬ ବଲ୍‌ରେ କ୍ୟାରିୟର୍‌ର ୩୨ତମ ଶତକ ପୂରଣ କରିଥିଲେ। ୯୦ ବଲ୍‌ରେ ସେ ୧୨ ଚୌକା ଓ ୭ ଛକା ସହାୟତାରେ ୧୧୯ ରନ୍‌ର ଚମତ୍କାର ଇନିଂସ୍ ଖେଳି ପ୍ୟାଭିଲିୟନ୍ ଫେରିଥିଲେ। ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍ ତାଙ୍କୁ ଆଦିଲ୍ ରଶିଦ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇଥିଲେ। ଶ୍ରେୟସ୍ ଆୟର୍ (୪୪), କେଏଲ୍ ରାହୁଲ (୧୦) ଓ ହାର୍ଦ୍ଦିକ ପାଣ୍ଡ୍ୟା (୧୦) ଆଉଟ୍ ହୋଇଥିଲେ। ରବୀନ୍ଦ୍ର ଜାଡ଼େଜା ଛକାମାରି ଟିମ୍‌କୁ ବିଜୟୀ କରାଇଥିଲେ। ଅକ୍ଷର ପଟେଲ୍ (୪୧)ଙ୍କ ସହ ସେ ୧୦ ରନ୍‌ରେ ଅପରାଜିତ ରହିଥିଲେ। ଇଂଲଣ୍ଡ ପକ୍ଷରୁ ଜାମି ଓଭରଟନ୍ ଦୁଇଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ଗସ୍ ଆଟ୍‌କିନ୍‌ସନ୍‌, ଆଦିଲ୍ ରଶିଦ୍ ଓ ଲିଆମ ଲିଭିଙ୍ଗ୍‌ଷ୍ଟୋନ୍ ୧-୧ ସଫଳତା ପାଇଥିଲେ। ପୂର୍ବରୁ ଟସ୍ ଜିତି ବ୍ୟାଟିଂ ନେଇଥିବା ଇଂଲଣ୍ଡ ପକ୍ଷରୁ ଦୁଇ ଓପ୍ନର୍ ବେନ୍ ଡକେଟ୍ ଓ ଫିଲ୍ ସଲ୍ଟ ଜୋରଦାର୍ ଆରମ୍ଭ କରିଥିଲେ। ଉଭୟ ପ୍ରଥମ ୱିକେଟ୍ ପାଇଁ ୮୧ ରନ୍ ଯୋଡ଼ିଥିଲେ। ଏକାଦଶ ଓଭର୍‌ରେ ଡକେଟ୍ ୩୬ ବଲ୍‌ରୁ କ୍ୟାରିୟର୍‌ର ୬ଷ୍ଠ ଅର୍ଦ୍ଧଶତକ ପୂରଣ କରିଥିଲେ। ତେବେ ଏହି ଓଭର୍‌ର ୫ମ ବଲ୍‌ରେ ସଲ୍ଟ (୨୬)ଙ୍କୁ ଆଉଟ୍ କରି ଡେବ୍ୟୁଟାଣ୍ଟ୍ ବରୁଣ ଚକ୍ରବର୍ତ୍ତୀ ଏହି ଯୋଡ଼ି ଭାଙ୍ଗିବା ସହିତ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ପରେ ରବୀନ୍ଦ୍ର ଜାଡ଼େଜାଙ୍କ ବଲ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାଚ୍‌ଦେଇ ଡକେଟ୍ ଫେରିଥିଲେ। ସେ ୫୬ ବଲ୍‌ରେ ୧୦ ଚୌକା ବଳରେ ୬୫ ରନ୍‌ର ଇନିଂସ୍ ଖେଳିଥିଲେ। ଏହାପରେ ଜୋ ରୁଟ୍ ଓ ହ୍ୟାରୀ ବ୍ରୁକ୍‌ଙ୍କ ମଧ୍ୟରେ ତୃତୀୟ ୱିକେଟ୍ ପାଇଁ ୬୬ ରନ୍‌ର ଅର୍ଦ୍ଧଶତକୀୟ ଭାଗୀଦାରି ହୋଇଥିଲା। ବ୍ରୁକ୍ ୩୧ ରନ୍ କରି ହର୍ଷିତ ରାଣାଙ୍କ ବଲ୍‌ରେ ଗିଲ୍‌ଙ୍କୁ କ୍ୟାଚ୍ ଦେଇ ଫେରିଥିଲେ। ପରେ ରୁଟ୍ ୬୦ ବଲ୍‌ରେ କ୍ୟାରିୟର୍‌ର ୪୦ତମ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୭୨ ବଲ୍‌ରେ ୬ ଚୌକା ସହାୟତାରେ ୬୯ରନ୍‌ର ଇନିଂସ୍ ଖେଳିଥିଲେ। କ୍ୟାପ୍‌ଟେନ୍ ଜୋସ୍ ବଟ୍‌ଲର୍ ୩୪ରନ୍ କରିଥିବା ବେଳେ ଲିଆମ ଲିଭିଙ୍ଗ୍‌ଷ୍ଟୋନ୍ ୪୧ରନ୍‌ରେ ରନ୍‌ଆଉଟ୍ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଦିଲ୍ ରଶିଦ୍ ୧୪ରନ୍ କରିଥିବା ବେଳେ ଜାମି ଓଭର୍‌ଟନ୍ ୬, ଗସ୍ ଆଟ୍‌କିନ୍‌ସନ୍ ୩ରନ୍ କରି ଫେରିଥିଲେ। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡ଼େଜା ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ଶମୀ, ହର୍ଷିତ ରାଣା, ହାର୍ଦ୍ଦିକ ପାଣ୍ଡ୍ୟା ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ୧-୧ ସଫଳତା ମିଳିଥିଲା।

Comments are closed, but trackbacks and pingbacks are open.