କିଟ୍‍ ଓ କିସରେ ସ୍ୱାଧୀନତା ଦିବସ

665

କିଟ୍‍, କିସ, କିମ୍‍ସ ଓ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲରେ ମଙ୍ଗଳବାର ୭୭ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କିସରେ ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାଟନା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍‍ ସନ୍ଦୀପ କୁମାର ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ଜଷ୍ଟିସ୍‍ କୁମାର କହିଲେ, ସମାଜର ଦୁର୍ବଳ ବର୍ଗ ତଥା ଜନଜାତି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଜରିଆରେ ସେମାନଙ୍କର ବିକାଶ ସହ ଦେଶର ବିକାଶ ହୋଇପାରିବ। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଯେଉଁ ଭଲ କାମ କରାଯାଉଛି ସେଥିପାଇଁ ଆଜି କିସ୍‍ ସମଗ୍ର ବିଶ୍ୱରେ ଆଦରଲାଭ କରିପାରିଛି। ପ୍ରତିଷ୍ଠାତା ଶ୍ରୀ ସାମନ୍ତ କହିଲେ, ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କ ଭାଷଣରେ ଶିକ୍ଷାକୁ ଗୁରୁତ୍ୱ ପ୍ରଦାନ କରିଥିଲେ। କିଟ୍‍ ଓ କିସ୍‍ ମାଧ୍ୟମରେ ଆମେ ଦୀର୍ଘ ୩୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଏହି କାର୍ଯ୍ୟ କରିଆସୁଛୁ। ଛାତ୍ରଛାତ୍ରୀମାନେ ଉତ୍ତମ ଶିକ୍ଷା ଲାଭ କରିପାରିଲେ ସ୍ୱାଧୀନତାର ମୂଲ୍ୟ ବୁଝିପାରିବେ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ଓ କିସ୍‍ ସମ୍ପାଦକ ଆର ଏନ୍‍ ଦାଶ, କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ ବେହେରା, କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ଓ ଅନ୍ୟ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହି ଅବସରରେ କିସ୍‍ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ପ୍ୟାରେଡ ସହ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିପରି କିଟ୍‍ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠାତା ଶ୍ରୀ ସାମନ୍ତ ଜାତୀୟ ପତାକା ଉତ୍ତୋଳନ କରି ଛାତ୍ରଛାତ୍ରୀଙ୍କୁ ଉଦ୍‍ବୋଧନ ଦେଇଥିଲେ। ଏଠାରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ, ଉପକୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ଡ. ଜ୍ଞାନରଞ୍ଜନ ମହାନ୍ତିଙ୍କ ସମେତ ବହୁ ଅଧ୍ୟାପକ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। କିମ୍‍ସରେ ଉପକୁଳପତି ଡା. ସିବିକେ ମହାନ୍ତି ପତାକା ଉତ୍ତୋଳନ କରିଥିବା ବେଳେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ରେ ସ୍କୁଲ୍‍ର ଚେୟାରପର୍ସନ ଡ. ମୋନାଲିସା ବଳ ପତାକା ଉତ୍ତୋଳନ କରିଥିଲେ।

Comments are closed, but trackbacks and pingbacks are open.