ବଢ଼ିଲା ରେଳଷ୍ଟେଶନ ପାର୍କିଂ ଫି’

245

ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ୍‌ସ୍ଥିତ ରେଳ ଷ୍ଟେଶନରେ ଗାଡ଼ି ପାର୍କିଂରେ ରଖି ପ୍ରତିଦିନ ହଜାର ହଜାର ଲୋକ ଟ୍ରେନ୍‌ରେ ଯିବାଆସିବା କରିଥାନ୍ତି। ଏବେ ମହଙ୍ଗା ହୋଇଛି। ପାର୍କିଂ ଫି’ ୮ଗୁଣା ବୃଦ୍ଧି କରାଯାଇଛି। ଅନେକ ଯାତ୍ରୀ ନିଜ ୨ ଚକିଆ ଯାନ ଓ ସାଇକେଲ ପାର୍କିଂ ସ୍ଥଳରେ ରଖିଥାନ୍ତି। ଏଥିସହ ସ୍ଥାନୀୟ ମାର୍କେଟକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଲୋକମାନେ ମଧ୍ୟ ଏଠାରେ ଗାଡ଼ି ପାର୍କିଂ କରିବାକୁ ସୁବିଧା ମନେକରନ୍ତି। ମାତ୍ର ଏହି ପାର୍କିଂସ୍ଥଳର ପରିଚାଳନା ଦାୟିତ୍ୱ ଠିକା ସଂସ୍ଥା ଦ୍ୱାରା କରାଯାଇଥାଏ। ପ୍ରତିଦିନ ୧୦୦୦ରୁ ୧୫୦୦ ସାଇକେଲ ଓ ମୋଟର ସାଇକେଲ ଏଠାରେ ରହୁଥିବାବେଳେ ହଠାତ୍‌ ପାର୍କିଂ ଦେୟ ବୃଦ୍ଧି ଲୋକଙ୍କ ହୋସ୍‌ ଉଡ଼ାଇଦେଇଛି। ଜୁନ୍‌ ୧୨ରୁ ନୂଆ ଠିକା ସଂସ୍ଥା ଡିଆଣ୍ଡ୍‌ଏସ୍‌ ଆସୋସିଏଟ୍ସ ହାତକୁ ରେଲ୍‌ଓ୍ବେ ପାର୍କିଂ ପରିଚାଳନା ଦାୟିତ୍ୱ ଯାଇଥିବାବେଳେ ଘଣ୍ଟା ପ୍ରତି ହାରରେ ପାର୍କିଂ ଫି’ ଆଦାୟ କରାଯାଉଛି। ପୂର୍ବରୁ ମୋଟର ସାଇକେଲ ପିଛା ଦିନକୁ(୨୪ଘଣ୍ଟା) ପାର୍କିଂ ଫି’ ୧୨ ଟଙ୍କା ଆଦାୟ କରାଯାଉଥିବାବେଳେ ବର୍ତ୍ତମାନ ୨ ଘଣ୍ଟାକୁ ୧୨ ଟଙ୍କା, ୨ରୁ ୬ ଘଣ୍ଟା ପାଇଁ ୨୪ ଟଙ୍କା, ୬ରୁ ୧୨ ଘଣ୍ଟା ପାଇଁ ୩୬ଟଙ୍କା, ୧୨ରୁ ୨୪ ଘଣ୍ଟା ପାଇଁ ୪୭ ଟଙ୍କା ଏବଂ ୨୪ ଘଣ୍ଟାରୁ ଅଧିକ ସମୟ ରଖିଲେ ଦିନ ପିଛା ୯୪ ଟଙ୍କା ଦେୟ ଦେବାକୁ ପଡ଼ୁଛି। ଅର୍ଥାତ୍‌ ପୂର୍ବର ଫି’ ତୁଳନାରେ ବର୍ତ୍ତମାନ ଫି’ ପ୍ରାୟ ୮ଗୁଣା ବୃଦ୍ଧି ପାଇଛି। କେବଳ ମୋଟରସାଇକେଲ ନୁହେଁ, ସାଇକେଲ କ୍ଷେତ୍ରରେ ମଧ୍ୟ ଦେୟ ବୃଦ୍ଧି କରାଯାଇଛି। ଏଣିକି ପ୍ରତି ସାଇକେଲ ପିଛା ୨ଘଣ୍ଟାକୁ ୨ଟଙ୍କା, ୨ରୁ ୬ ଘଣ୍ଟା ପାଇଁ ୫ଟଙ୍କା, ୬ରୁ ୧୨ ଘଣ୍ଟା ପାଇଁ ୭ଟଙ୍କା, ୧୨ରୁ ୨୪ ଘଣ୍ଟା ପାଇଁ ୧୨ ଟଙ୍କା ଏବଂ ଏହାଠାରୁ ଅଧିକ ସମୟ ରଖିଲେ ଦିନ ପିଛା ୨୪ ଟଙ୍କା ଦେବାକୁ ହେବ। ଏନେଇ ଏଠାରେ ଥିବା କର୍ମଚାରୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିବାବେଳେ ପୂର୍ବତଟ ରେଳପଥର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରେଳ ଷ୍ଟେଶନରେ ଥିବା ପାର୍କିଂ ବିଶେଷକରି ରେଳଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ। ମାତ୍ର ଅନ୍ୟ ଲୋକମାନେ ନିର୍ଦ୍ଧାରିତ ସ୍ଥାନରେ ପାର୍କିଂ ନ କରି ରେଳଷ୍ଟେଶନରେ ପାର୍କିଂ କରି ମାସ ମାସ ଗାଡ଼ି ନେଉନାହାନ୍ତି। ଫଳରେ ରେଳଯାତ୍ରୀ ଅନେକ ସମୟରେ ପାର୍କିଂ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। ତେଣୁ ଏହି ପାର୍କିଂ ଦର ଏଭଳି ପାର୍କିଂ ସଂଖ୍ୟା କମ୍‌ କରିବ। ତେବେ ଏହି ପାର୍କିଂ ପରିଚାଳନା ଦାୟିତ୍ୱ ଟେଣ୍ଡର ମାଧ୍ୟମରେ ଠିକା ସଂସ୍ଥାକୁ ଦିଅଯାଇଥିବା ସେ କହିଛନ୍ତି।

Comments are closed, but trackbacks and pingbacks are open.