ଯୁବକଙ୍କୁ ବାଇକ୍‌ରେ ବାନ୍ଧି ଦୌଡ଼ାଇବା ଘଟଣା: ୨ ଗିରଫ

33

ଭୁବନେଶ୍ବର: ଯୁବକଙ୍କୁ ସ୍କୁଟିରେ ବାନ୍ଧି ଦୌଡ଼ାଇବା ଘଟଣାରେ ଆଜି କଟକ ସହର ଲାଲବାଗ ପୁଲିସ ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି । ଅଭିଯୁକ୍ତ ଦ୍ୱୟ ହେଲେ ସ୍ଥାନୀୟ ସୂତାହାଟର ସେକ୍ ହୁସେନ୍‌(୨୪) ଓ ସେକ୍ ଛୋଟୁ(୧୮) । ପଇସା ଫେରସ୍ତକୁ ନେଇ ଏଭଳି କାଣ୍ଡ ଅଭିଯୁକ୍ତଦ୍ୱୟ ଭିଆଇଛନ୍ତି ବୋଲି ଆଜି ଏକ ସାମ୍ବଦିକ ସମ୍ମିଳନୀରେ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ପୂର୍ବରୁ ଏମାନେ କୌଣସି ଅପରାଧରେ ଲିପ୍ତ ରହିଛନ୍ତି କି ନାହିଁ ତାହାର ପୁଲିସ ତଦନ୍ତ କରୁଛି ବୋଲି ଶ୍ରୀ ମିଶ୍ର କହିଛନ୍ତି । ପୁଲିସ ଦୁହିଁଙ୍କୁ ଗିରଫ କରିବା ସହ ଏକ ସ୍କୁଟିକୁ ଜବତ କରିଛି । ଯେଉଁ ଅଞ୍ଚଳରେ ଏମାନଙ୍କୁ ସ୍କୁଟିରେ ଟାଣି ନିଆଯାଉଥିଲା ଉକ୍ତ ଅଞ୍ଚଳର ସିସିଟିଭି ଯାଞ୍ଚ କରାଯାଉଛି । ଅଭିଯୁକ୍ତ ଏଭଳି କାଣ୍ଡ ଭିଆଇବା ସମୟରେ ଯଦି କୌଣସି ଟ୍ରାଫିକ ପୋଷ୍ଟ ଅତିକ୍ରମ କରିଥିବେ ଓ ଏହି ଘଟଣାକୁ ଯଦି ଟ୍ରାଫିକ ପୁଲିସ ଅଣଦେଖା କରିଥିବେ, ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି । ସୂଚନାଯୋଗ୍ୟ ଗତକାଲି ରାତିରେ ଶିକାରୀ ସାହିର ବାବୁ ଓରଫ ଜଗନ୍ନାଥ ବେହେରା (୨୨)ଙ୍କର ଦୁଇ ହାତକୁ ଦଉଡ଼ିରେ ବାନ୍ଧି ଛୋଟୁ ଓ ହୁସେନ୍ ଏକ ଅକ୍ଟିଭା ସ୍କୁଟି ( ନଂ-ଓଆର୍‌-୦୨-ଭି-୮୮୪୧)ରେ ଟାଣି ଟାଣି ଷ୍ଟିୱାଟ୍‌ପାଟନା ଛକଠାରୁ ପ୍ରାୟ ୨ କିଲୋମିଟର ଅତି ବର୍ବରତା ସହ ଘୋଷଡ଼ି ଘୋଷାଡ଼ି ନେଇଥିଲେ । ଯୁବକଙ୍କୁ ବାଇକ୍ ପଛରେ ବାନ୍ଧି ୨କିଲୋମିଟରରୁ ଅଧିକ ଦୂର ଦୌଡ଼ାଇବାବେଳେ ପ୍ରତିରୋଧ କରିବାକୁ ଆସୁଥିବା ଲୋକଙ୍କୁ ସେମାନେ ମାରଣାସ୍ତ୍ର ଦେଖାଇ ଦୁଇ ଅଭିଯୁକ୍ତ ଭୟଭୀତ କରାଇଥିଲେ । ବାବୁ ସେମାନଙ୍କଠାରୁ ୧୫ ଶହ ଟଙ୍କା ଧାର ଆଣି ଶୁଝି ନ ଥିବାରୁ ଅଭିଯୁକ୍ତ ଦ୍ୱୟ ଏଭଳି କରିଥିଲେ । ଏଭଳି ବର୍ବରକାଣ୍ଡ ଚାଲିଥିଲେ ବି ପୁଲିସ ଜାଣି ନ ପାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା । ତେବେ ଏହି ଘଟଣାର ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ପୁଲିସ ଘଟଣାକୁ ଗୁରୁତର ସହ ଗ୍ରହଣ କରି ତଦନ୍ତ ଆରମ୍ଭ କରିଥିଲା । ଆଜି ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Comments are closed, but trackbacks and pingbacks are open.