ଭୁବନେଶ୍ୱର: ନାଇଡୁ କମିଶନ ଫାଇଲ୍ ଗୃହ ବିଭାଗ କାର୍ଯ୍ୟାଳୟରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାର ଫାଇଲ୍ ହଜିବା ଘଟଣାରେ କ୍ରାଇମବ୍ରାଞ୍ଚ ୩ ଜଣଙ୍କ ବୟାନ ରେକର୍ଡ କରିଛି । କ୍ରାଇମବ୍ରାଞ୍ଚ ନୋଟିସ୍ କରିଥିବା ୩ ଜଣଙ୍କ ବୟାନ ରେକର୍ଡ କରାଯାଇଥିବା ସୂଚନା ରହିଛି। ଏନେଇ ଆଇଜିପି ସାର୍ଥକ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । କମିଶନ ରିପୋର୍ଟ ଗୃହ ବିଭାଗରେ ପହଞ୍ଚିଥିଲା। ଏହି ଫାଇଲ କେଉଁଆଡ଼େ ଗଲା ତାହାର ତଦନ୍ତ ଚାଲିଛି। ଭିକେ ପାଣ୍ଡିୟାନ, ମନୋଜ ମିଶ୍ର ଓ ରାଜେଶ ବର୍ମାଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ନୋଟିସ କରାଯାଇଥିଲା । ଏହି ୩ ଜଣ ପୂର୍ବ ସରକାର ସମୟରେ ସିଏମ୍ଓରେ କାର୍ଯ୍ୟରତ ଥିଲେ । ବୟାନରେ ଫାଇଲ ରିସିଭ୍ ହୋଇଥିବା ନେଇ ସେମାନେ କହିଥିବା ସୂଚନା ମିଳିଛି । ଫାଇଲ ରିସିଭ୍ ହେବା ପରେ ଏହାର ରିସିଭିଂ ରସିଦ ମଧ୍ୟ ରହିଥିବା ତଦନ୍ତ ବେଳେ କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି । ତେବେ ଏଯାଏଁ ଫାଇଲ ହଜିଛି ବୋଲି କୁହାଯାଇପାରେ । ଫାଇଲ ଚୋରି ହୋଇଛି କି ନାହିଁ, ସେନେଇ ଏବେବି କ୍ରାଇମବ୍ରାଞ୍ଚର ତଦନ୍ତ ଜାରି ରହିଛି । ତଦନ୍ତ ଶେଷ ନ ହେବା ଯାଏଁ ଫାଇଲ ଚୋରି ବୋଲି କହିବା ଠିକ୍ ହେବନି ବୋଲି କହିଛି କ୍ରାଇମବ୍ରାଞ୍ଚ। ସୂଚନା ଥାଉ କି, ୨୦୦୮ ମସିହାରେ ହୋଇଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲାରେ ବିଚାରପତି ଶରତ ଚନ୍ଦ୍ର ନାଇଡୁ ତଦନ୍ତ କରିଥିଲେ । ୨୦୧୬ ସେପ୍ଟେମ୍ବର ୧୯ ତାରିଖରେ ଏହାର ତଦନ୍ତ ରିପୋର୍ଟ ଗୃହ ବିଭାଗକୁ ହସ୍ତାନ୍ତର କରାଯାଇଥିଲା । ସେହିପରି ସମ୍ ହସ୍ପିଟାଲ୍ ଆର୍ଡିସି ତଦନ୍ତ ରିପୋର୍ଟ ମେ’ ୨୩, ୨୦୧୮ରେ ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟକୁ ଦିଆଯାଇଥିବାବେଳେ ସେଠାରୁ ମେ’ ୨୪, ୨୦୧୮ରେ ସିଏମ୍ଓକୁ ଯାଇଥିଲା। କିନ୍ତୁ ଏହି ଦୁଇଟି ଫାଇଲ୍ ବିର୍ତ୍ତମାନର ସରକାରଙ୍କୁ ମିଳୁ ନାହିଁ ।
Comments are closed, but trackbacks and pingbacks are open.