ରେଭେନ୍ସା ଇଷ୍ଟ ହଷ୍ଟେଲରେ ଝାଡ଼ାବାନ୍ତି: ଅସୁସ୍ଥ ଛାତ୍ର ଏସ୍‌ସିବିରେ ଭର୍ତ୍ତି

259

କଟକ: ରେଭେନ୍ସା ବିଶ୍ଵବିଦ୍ୟାଳୟ ଇଷ୍ଟ ହଷ୍ଟେଲରେ ଝାଡ଼ାବାନ୍ତି ଆତଙ୍କ। ୧୫ରୁ ଉର୍ଦ୍ଧ୍ଵ ଛାତ୍ର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଏସସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କର ଚିକିତ୍ସା ଚାଲିଛି। ଖବର ପାଇବା ପରେ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗର ଏକ ଟିମ୍ ସ୍ଥିତି ଅନୁଧ୍ୟାନ ପାଇଁ ରେଭେନ୍ସାରେ ପହଞ୍ଚିଥିଲେ ।
ମିଳିଥିବା ଖବର ଅନୁସାରେ, ରେଭେନ୍ସା ବିଶ୍ଵବିଦ୍ୟାଳୟ ଇଷ୍ଟ୍ ହଷ୍ଟେଲର ୧୫ଜଣ ଛାତ୍ର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇପଡ଼ିଥିଲେ। ସହପାଠୀମାନେ ଆଜି ସକାଳେ ସେମାନଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରିଥିଲେ। ଏସସିବି ପକ୍ଷରୁ ମେଡିସିନି ବିଭାଗ ଡାକ୍ତରମାନେ ଛାତ୍ରମାନଙ୍କୁ ଚିକିତ୍ସା କରିଛନ୍ତି। ଖବର ପାଇ ରେଭେନ୍ସା କର୍ମଚାରୀ ଏସସିବିରେ ପହଁଚି ଅସୁସ୍ଥ ଛାତ୍ରମାନଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଥିଲେ। ଝାଡାବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି। ତେବେ ନିର୍ଦ୍ଧିଷ୍ଟ ଗୋଟିଏ ହଷ୍ଟେଲରେ ଏକ ସମୟରେ ଏତେ ସଂଖ୍ୟକ ଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତ ହେବାର ସଠିକ୍ କାରଣ ଜଣାପଡିନାହିଁ। ପାଣି କିମ୍ବା ଦୂଷିତ ଖାଦ୍ୟ ଖାଇ ଅନ୍ତେବାସୀମାନେ ଆକ୍ରାନ୍ତ ହୋଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ଅନ୍ୟପକ୍ଷରେ ଝାଡାବାନ୍ତି ବ୍ୟାପିବା ଖବର ପାଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ସ୍ଥିତି ଅନୁଧ୍ୟାନ ପାଇଁ ରେଭେନ୍ସାରେ ପହଞ୍ଚିଥିଲା।

Comments are closed, but trackbacks and pingbacks are open.