ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କିମ୍‍ସ କଲରାବାଙ୍କ ଗ୍ରାମାଞ୍ଚଳ ହସ୍‍ପିଟାଲ୍‍ ଓ କଲରାବାଙ୍କ ସ୍ମାର୍ଟ ଗ୍ରାମ ଲୋକାର୍ପଣ

421

କଲରାବାଙ୍କ,୧୨ ।୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଲରାବାଙ୍କଠାରେ ନବନିର୍ମିତ କିମ୍‍ସ କଲରାବାଙ୍କ ଗ୍ରାମାଞ୍ଚଳ ହସପିଟାଲର ଉଦ୍‍ଘାଟନ କରିବା ସହ କଲରାବାଙ୍କ ସ୍ମାର୍ଟ ଗ୍ରାମର ଲୋକାର୍ପଣ କରିଛନ୍ତି ।  ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଲେ, ନିଜ ଗାଁ ଓ ନିଜ ଜନ୍ମମାଟି ପାଇଁ କିଛି କରିବା ହେଉଛି ପ୍ରତ୍ୟେକ ବ୍ୟକ୍ତିର କର୍ତ୍ତବ୍ୟ। ଅଚ୍ୟୁତ ସାମନ୍ତ ଉତ୍ସର୍ଗୀକୃତ ଭାବେ ନିଜ ଗାଁ ଓ ଜନ୍ମମାଟି ପାଇଁ କାର୍ଯ୍ୟ କରୁଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ସାମନ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଆମ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହା ହେଉଛି ଆମର ମନ୍ତ୍ର। ଓଡ଼ିଶାବାସୀଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଓଡ଼ିଶା ସରକାରଙ୍କୁ କିମ୍‌ସ ଭଳି ଘରୋଇ ଅନୁଷ୍ଠାନଗୁଡ଼ିକ ସହଯୋଗ ଓଡ଼ିଶାରେ ସ୍ୱାସ୍ଥ୍ୟସେବାକୁ ଆହୁରି ମଜଭୂତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସ୍ୱାଗତ ଭାଷଣ ଦେଇ କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ଶିକ୍ଷା, ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ ପ୍ରଗତିର ରଥ ଆଗେଇ ଛାଲିଛି। ପ୍ରତ୍ୟେକ ଗାଁରେ ସହରୀ ସୁବିଧା କରାଇବା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ। ଏଥିରେ ଅନୁପ୍ରାଣୀତ ହୋଇ ଆମେ କଲରାବାଙ୍କରେ କିମ୍‌ସ ଗ୍ରାମାଞ୍ଚଳ ହସ୍‌ପିଟାଲ୍ ପ୍ରତିଷ୍ଠା କରିଥିଲୁ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହାସହ ଓଡ଼ିଶାର ୧୯ଟି ସ୍ଥାନରେ କିମ୍‌ସ ଗ୍ରାମାଞ୍ଚଳ ହସ୍‌ପିଟାଲ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ସେହିପରି କଲରାବାଙ୍କ ସ୍ମାର୍ଟ ଗ୍ରାମକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଆଜି ଲୋକାର୍ପଣ କରିଛନ୍ତି। ଏଥିରେ ସମସ୍ତ ପ୍ରକାର ସହରୀ ସୁବିଧା ଯଥା ପ୍ରାଥମିକ ବିଦ୍ୟାଳୟ, କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟ (ଆବାସିକ), କଲରାବାଙ୍କ ଉଚ୍ଚ ବିଦ୍ୟାଳୟ(ଆବାସିକ), +୨ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ପ୍ରମୋଦ ଉଦ୍ୟାନ, ସର୍ବସାଧାରଣ ପାଠାଗାର, ଏଟିଏମ୍‍ ଓ ଲକର ସୁବିଧା ଥାଇ ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ଡ଼ାକଘର, ଥାନା, ଆଧ୍ୟାତ୍ମିକ କେନ୍ଦ୍ର, କମୁନିଟି ହଲ୍‍, ପାନୀୟ ଜଳ ସୁବିଧା, ମନ୍ଦିର ସମୂହ, ପିଚୁରାସ୍ତା, ରାସ୍ତାପାଶ୍ୱର୍ ଉଜ୍ଜ୍ୱଳ ଆଲୋକ, ମିଶନ ଶକ୍ତି କେନ୍ଦ୍ର ଆଦି ଥିବା ବେଳେ ଗ୍ରାମବାସୀଙ୍କ ପାଇଁ ସ୍ୱାସ୍ଥ୍ୟବୀମା ଓ ୱାଇ-ଫାଇ ସୁବିଧା ରହିଛି । ଏଥିରେ ୩୫୦ଜଣ ପ୍ରତ୍ୟକ୍ଷ ନିଯୁକ୍ତି ପାଇଥିବା ବେଳେ ୧୦୦ରୁ ଊର୍ଦ୍ଧ୍ୱ ପରୋକ୍ଷ ରୋଜଗାର ପାଇପାରିଛନ୍ତି ବୋଲି ଶ୍ରୀ ସାମନ୍ତ କହିଥିଲେ ।

ସୂଚନାଯୋଗ୍ୟ ଓଡ଼ିଶାର ୧୯ଟି ସ୍ଥାନରେ ହେବାକୁ ଥିବା ପ୍ରତ୍ୟେକ ହସ୍‍ପିଟାଲ୍‍ ୧୦୦ ଶଯ୍ୟା ବିଶିଷ୍ଟ ହେବାକୁ ଥିବାବେଳେ ପ୍ରତି ହସ୍‍ପିଟାଲ୍‍ ନିର୍ମାଣରେ ୫୦ କୋଟି ଟଙ୍କା ଲେଖାଏଁ ଖର୍ଚ୍ଚ ହେବ। ଏହିସବୁ ହସ୍‍ପିଟାଲ୍‍ଗୁଡ଼ିକ ଶୀତତାପ ନିୟନ୍ତ୍ରିତ ଓ ସେଠାରେ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଉପଲବ୍‍ଧ ହେବ। ପ୍ରତ୍ୟେକ ଗ୍ରାମାଞ୍ଚଳ ହସ୍‍ପିଟାଲ୍‍ରେ ସଂପୃକ୍ତ ଜିଲ୍ଲାର ୧୫୦ଜଣ ଯୁବକଯୁବତୀ ନିଯୁକ୍ତି ପାଇବେ। ସମସ୍ତ କିମ୍‍ସ ଗ୍ରାମାଞ୍ଚଳ ହସ୍‍ପିଟାଲ୍‍ କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡ଼ିକାଲ୍‍ ସାଇନ୍‍ସେସ୍‍ (କିମ୍‍ସ) ଦ୍ୱାରା ପରିଚାଳିତ ହେବ।

ଏହି ଅବସରରେ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ପାଇଁ ଓଡ଼ିଶା ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ ଓ କୃଷି ଆଦି ସମସ୍ତ କ୍ଷେତ୍ରରେ ଅଗ୍ରଗତି କରିଛି। ଅଚ୍ୟୁତ ସାମନ୍ତଙ୍କ ପାଇଁ ଆଜି କଲରାବାଙ୍କ ପାଇଁ ଆମ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ଓଡ଼ିଶାରେ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଶ୍ରୀ ସାମନ୍ତଙ୍କ କାର୍ଯ୍ୟ ପ୍ରଶଂସନୀୟ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ୫ଟି ତଥା ନୂଆ-ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତିକ ପାଣ୍ଡିଆନ ଅଧ୍ୟକ୍ଷତା କରିଥିବା ବେଳେ କଟକ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ମାଣପୁର ପଂଚାୟତ ସମେତ ଆଖପାଖ ଅଂଚଳର ୨ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ଯୋଗଦେଇଥିଲେ।

Comments are closed, but trackbacks and pingbacks are open.