ଛଅଗାଁ ପଞ୍ଚାୟତରେ ନିର୍ବାଚନ ଲଢେଇ ଜୋରଦାର

20

ଗୁରୁଡ଼ିଝଟିଆ ଆଠଗଡ଼ ବ୍ଲକ ଅନ୍ତର୍ଗତ ଛଅଗାଁ ପଂଚାୟତ I ୧୬ଟି ୱାର୍ଡକୁ ନେଇ ଗଠିତ ଏହି ପଞ୍ଚାୟତରେ ଚଳିତ ନିର୍ବାଚନରେ ୩ଜଣ ସରପଞ୍ଚ ପ୍ରାର୍ଥୀଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ୩୨୮୯ଜଣ ଭୋଟର ମତଦାନ ସାବ୍ୟସ୍ତ କରିବାକୁ ଥିବା ଏହି ପଂଚାୟତ ରେ ଯଥାକ୍ରମେ ତୁଷାର ସାହୁ, ପ୍ରତିମା ପ୍ରଧାନ ଓ ପ୍ରଦୀପ କୁମାର ମହାନ୍ତି ୩ଜଣ ସରପଞ୍ଚ ପଦବୀକୁ ନେଇ ପ୍ରତିଦ୍ୱନ୍ଦିତା କରୁଥିଲେ ମଧ୍ୟ ମୁଖ୍ୟତଃ ଦିମୁଖି ପ୍ରତିଯୋଗିତା ହେବ। ରାଜନୀତିରେ ନୂତନ ହୋଇଥିଲେ ମଧ୍ୟ ସାମାଜିକ ସଂଗଠନ ଓ ସମାଜସେବାକୁ ନେଇ ତୁଷାର ସାହୁ ଭୋଟରଙ୍କ ପାଖରେ ପହଞ୍ଚି ଭୋଟ ଭିକ୍ଷା କରିବା ସହିତ ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତ ଭାବରେ ଗଢିତୋଳିବା ପାଇଁ ତୋଫାନି ପ୍ରଚାର ଆରମ୍ଭ କରିଦେଇଛନ୍ତି । ନିଜ ସମର୍ଥକଙ୍କ ସହିତ ପଞ୍ଚାୟତର ଛଅଗାଁ, ଶଶାଙ୍ଗ , ସରକୁଆଁ, ମାଣତ୍ରୀ, ବାଘୁଆ, ପର୍ବତିଆ ଓ ଚରାଭଉଁରୀ ଆଦି ଗାଁମାନଙ୍କରେ ନିଜ ସପକ୍ଷରେ ଜନମତ ସୃଷ୍ଟି କରିବା ପାଇଁ ଜୋରଦାର ପ୍ରଚାର ଚଳାଇଛନ୍ତି। ରାଜନୀତି ମଇଦାନରେ ନିଜର ସ୍ୱତନ୍ତ୍ର ପରିଚୟ ରଖିଥିବା ପ୍ରଦୀପ କୁମାର ମହାନ୍ତି ରାଜନୀତିରେ ବେଶ ପରିଚିତ । ତୃଣମୂଳସ୍ତରରେ ପଞ୍ଚାୟତର ପ୍ରତ୍ୟେକ ଜନସାଧାରଣ ଶ୍ରୀ ମହାନ୍ତିଙ୍କୁ ଜାଣିଛନ୍ତି । ପ୍ରାଥମିକ ସେବା ସମବାୟ ସମିତିର ସଭାପତି ହେଉ କି ଗାଁର ବିଭିନ୍ନ ଉନ୍ନୟନମୂଳ କାର୍ଯ୍ୟରେ ଶ୍ରୀ ମହାନ୍ତିଙ୍କ ପ୍ରଭାବ ରହିଛି । ତେଣୁ ନିଜ ବ୍ୟକ୍ତିତ୍ୱକୁ ନେଇ ସରପଞ୍ଚ ନିର୍ବାଚନରେ ବିଜୟୀ ହେବା ନିମନ୍ତେ ଆଶାବାନ୍ଧିଥିବା ବେଳେ ଜୋରଦାର ପ୍ରଚାର ମଧ୍ୟ ଚଳାଇଛନ୍ତି । ତେଣୁ ଛଅଗାଁ ପଞ୍ଚାୟତରେ ତୁଷାର ସାହୁଙ୍କ ସହିତ ପ୍ରଦୀପ କୁମାର ମହାନ୍ତିଙ୍କ ଲଢେଇ ଜୋରଦାର ହେଉଛି । ପ୍ରତିମା ପ୍ରଧାନ ମଧ୍ୟ ନିଜର ଉଦ୍ୟମ ଚଳାଇଛନ୍ତି । ହେଲେ ଲଢେଇ ମୁଖ୍ୟତଃ ଶ୍ରୀ ମହାନ୍ତି ଓ ଶ୍ରୀ ସାହୁଙ୍କ ମଧ୍ୟରେ ଅନୁଷ୍ଠିତ ହେବ । ଆସନ୍ତା ୨୨ ତାରିଖରେ ଏହି ପଞ୍ଚାୟତରେ ନିର୍ବାଚନ ଅନୁଷ୍ଠିତ ହେବ ।

Comments are closed, but trackbacks and pingbacks are open.