୧୭ ପ୍ରସ୍ତାବରେ କ୍ୟାବିନେଟ ମୋହର: ୧୫ ବର୍ଷ ପୁରୁଣା ଗାଡ଼ି ଏଣିକି ଅଲୋଡ଼ା

32

ଭୁବନେଶ୍ୱର: ପନ୍ଦର ବର୍ଷରୁ ଅଧିକ ଦିନର ପୁରୁଣା ଗାଡ଼ି ଥିଲେ ଆଉ ରାସ୍ତାରେ ଚାଲିପାରବ ନାହିଁ । ସେସବୁକୁ ହଟାଇ ଦିଆଯିବ । ଯେଉଁ ବ୍ୟକ୍ତିଙ୍କ ପାଖରେ ପୁରୁଣା ଗାଡ଼ି ଥିବ ସେମାନେ ସ୍କ୍ରାପିଂ କେନ୍ଦ୍ରରେ ଗାଡ଼ି ନେଇ ସ୍କ୍ରାପ୍ କରିପାରିବେ । ପରେ ନୂଆ ଗାଡ଼ି କିଣିଥିବା ବ୍ୟକ୍ତିଙ୍କୁ ସରକାର ପ୍ରୋତ୍ସାହନ ଯୋଗାଇଦେବେ । ରାଜ୍ୟ ସରକାର ନୂତନ ସ୍କ୍ରାପ୍ ନୀତି-୨୦୨୨ରେ କ୍ୟାବିନେଟ୍ ମୋହର ବାଜିଛି । ସେହିପରି ନୂତନ ପର୍ଯ୍ୟଟନ ନୀତି-୨୦୨୨, ଓଡ଼ିଶା ଶିଳ୍ପ ନୀତି-୨୦୨୨,ଓଡ଼ିିଶା ଅକ୍ଷୟ ଶକ୍ତି ନୀତ-୨୦୨୨ ଓ ଓଡ଼ିଶା ପୋଷାକ ଓ ବୈଷୟିକ ବୟନଶିଳ୍ପ ନୀତି-୨୦୨୨ କୁ ବି ମଞ୍ଜୁରୀ ମିଳିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ର ୧୨ଟି ବିଭାଗର ୧୭ଟି ପ୍ରସ୍ତାବ କ୍ୟାବିନେଟ୍‌ର ଅନୁମୋଦନ ଲାଭ କରିଛି । ମଙ୍ଗଳବାର ଏହି ବୈଠକ ବସିଥିଲେ ହେଁ ବିଧାନସଭା ଶୀତ ଅଧିବେଶନ କାରଣରୁ ତାହା ପ୍ରକାଶ କରାଯାଇ ନ ଥିଲା । ବୁଧବାର ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ବାଚସ୍ପତିଙ୍କ ଅନୁମତି କ୍ରମେ ଏହା ଘୋଷଣା କରିଛନ୍ତି । ଶ୍ରୀମତି ମଲ୍ଲିକ କହିଛନ୍ତି ଯେ, ରାଜ୍ୟ କ୍ୟାବିନେଟ୍ ବୈଠକରେ ନୂତନ ‘ରେଜିଷ୍ଟର ଭେଇକିଲ୍ ସ୍କ୍ରାପିଂ ପଲିସି-୨୦୨୨’କୁ ଅନୁମୋଦନ ମିଳିଛି । ଯାନବାହନ ଜନିତ ବାୟୁ ପ୍ରଦୁଷଣ କମ୍ କରିବାରେ ଏହି ନୀତି ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହାଦ୍ୱାରା ୧୫ ବର୍ଷ ପୂରଣ କରିଥିବା ସମସ୍ତ ପୁରୁଣା ଗାଡ଼ିକୁ ସ୍କ୍ରାପିଂ କେନ୍ଦ୍ରରେ ସ୍କ୍ରାପ୍ କରିବାକୁ ପଡ଼ିିବ । ସ୍କ୍ରାପିଂ କରିଥିବା ବ୍ୟକ୍ତିମାନଙ୍କୁ ନୂଆ ଗାଡି କିଣିବା ପାଇଁ ପ୍ରୋତ୍ସାହନର ବ୍ୟବସ୍ଥା ରହିଛି । ସେହପରି ନୂତନ ପର୍ଯ୍ୟଟନ ନୀତି-୨୦୨୨କୁ ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ ମିଳିଛି । ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ପୋତ୍ସାହିତ କରାଯିବା ସହିତ ହେଲ୍‌ଥ, ୱେଲ୍‌ନେସ୍ ଓ ମେଡିକାଲ ଟୁରିଜିମ୍‌କୁ ପର୍ଯ୍ୟଟନ ଉଦ୍ୟୋଗ ଭାବେ ଅନୁମୋଦନ ଦେବା ପାଇଁ ବ୍ୟବସ୍ଥା ରହିଛି । ରାଜସ୍ୱ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟକୁ ଅଧିକ ପୁଞ୍ଜି ନିବେଶ କରିବାର ସୁଯୋଗ ସୃଷ୍ଟି ପାଇଁ ଶିଳ୍ପ ନୀତି-୨୦୨୨କୁ ମଧ୍ୟ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ରାଜ୍ୟରେ ବଡ଼ ଧରଣର ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଓଡ଼ିିଶାକୁ ପୂର୍ବ ଭାରତର ଶିଳ୍ପ ହବ୍ କରିବା ଉପରେ ଏଥିରେ ଗୁରୁତ୍ୱ ଆରୋପ କରାଯାଇଛି । ଏହି ନୀତି ଅନୁଯାୟୀ ଶିଳ୍ପଗୁଡିକୁ ଥ୍ରଷ୍ଟ ସେକ୍ଟର, ପ୍ରାଓରିଟି ସେକ୍ଟର ଭାବରେ ବର୍ଗୀକୃତ କରାଯାଇଛି । ଏହି ନୂଆ ନୀତି ଅନୁଯାୟୀ ଏହି ଦୁଇ କ୍ଷେତ୍ରରେ ପ୍ରତିଷ୍ଠିତ ଶିଳ୍ପ ପାଇଁ ସର୍ବୋତ୍ତମ ପ୍ରୋତ୍ସାହନ ବ୍ୟବସ୍ଥା କରାଯାଇଛି । ସେହିପରି ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଓ ଭୂଅର୍ଜନ ପୂନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ୍‌-୨୦୦୩ର ଧାରା-୨ର ଉପଧାରା-୨, ଧାରା-୧୪, ୧୯, ୨୪, ୨୫, ୪୬ ଓ ୮୭ର ସଂଶୋଧନକୁ ରାଜ୍ୟ ସରକାର ଲାଗୁ କରିଛନ୍ତି । ରାଜ୍ୟ କ୍ୟାବିନେଟ୍‌ର ତାହା ଅନୁମୋଦନ ଲାଭ କରିଛି । ଏହାସହିତ ଉକ୍ତ ଆଇନ୍‌ରେ ଏକ ନୂତନ ଅଧ୍ୟାୟ ୩-ଏ, ନୂତନ ଧାରା ୧୦-ଏ ଓ ୩୩-ଏ କୁ ଅନ୍ତର୍ଭୁକ୍ତ କରିବାପାଇଁ ମଧ୍ୟ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଏହାଦ୍ୱାରା ରାଜ୍ୟର ସାମାଜିକ, ଅର୍ଥନୈତିକ ଅଭିବୃଦ୍ଧି, ଦ୍ରୁତ ଶିଳ୍ପାୟନ ତଥା ଅଧିକରୁ ଅଧିକ ନିବେଶକ ମାନଙ୍କ ପାଇଁ ପୁଞ୍ଜି ନିବେଶ କରିବାର ସୁଯୋଗ ସୃଷ୍ଟି ହୋଇପାରିବ । ସେହିପରି ଓଡ଼ିିଶା ଅକ୍ଷୟ ଶକ୍ତି ନୀତି-୨୦୨୨ କ୍ୟାବିନେଟର ଅନୁମୋଦନ ଲାଭ କରିଛି । ଏହି ନୀତି ଜରିଆରେ ୨୦୩୦ ସୁଦ୍ଧା ରାଜ୍ୟରେ ବିଭିନ୍ନ ଉତ୍ସରୁ ପ୍ରାୟ ୧୧ ହଜାର ମେଗାୱାଟ ଅକ୍ଷୟ ଶକ୍ତି କ୍ଷମତା ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ଓଡ଼ିିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୨୨ କ୍ୟାବିନେଟର ଅନୁମୋଦନ ଲାଭ କରିଛି । ଏହି ନୀତି ଅନୁଯାୟୀ ଖାଦ୍ୟ ପ୍ରକ୍ରିୟାକରଣ ସହ ଜଡ଼ିିତ ଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡିକୁ ଆବଶ୍ୟକ ଭିତ୍ତିଭୂମି ସହାୟତା ଓ ଆର୍ôଥକ ପ୍ରୋତ୍ସାହନ ଯୋଗାଇଦେବା ଏହି ନୀତିର ଲକ୍ଷ୍ୟ । ଓଡ଼ିଶା ରପ୍ତାନୀ ପଲିସି-୨୦୨୨ କ୍ୟାବିନେଟର ଅନୁମୋଦନ ଲାଭ କରିଛି । ଏହି ନୀତି ଅନୁଯାୟୀ ରପ୍ତାନୀ ପ୍ରତିଯୋଗିତାରେ ଉନ୍ନତି ଆଣିବା ସହ ଓଡିଶାକୁ ଭାରତର ୫ଟି ଶ୍ରେଷ୍ଠ ରାଜ୍ୟରେ ସାମିଲ କରିବା ଏବଂ ୨୦୨୬-୨୭ ସୁଦ୍ଧା ୩.୫ ଲକ୍ଷ କୋଟି ଟଙ୍କାର ରପ୍ତାନୀ ଲକ୍ଷ୍ୟ ରଖାଯାଇଛି ବୋଲି ସେ ଗୃହକୁ ଅବଗତ କରିଛନ୍ତି ।
ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ, ଓଡ଼ିଶା ପୋଷାକ ଓ ବୈଷୟିକ ବୟନଶିଳ୍ପ ନୀତି-୨୦୨୨ କ୍ୟାବିନେଟ୍‌ରେ ଅନୁମୋଦନ ଲାଭ କରିଛି । ଏହି ନୀତି ଓଡ଼ିିଶାରେ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଆନୁସଙ୍ଗିକ ଶିଳ୍ପ ପ୍ରତିଷ୍ଠାରେ ସହାୟକ ହେବ । ଏହି ନୀତିରେ ପୁଞ୍ଜି ବିନିଯୋଗ ସହାୟତା, ନିଯୁକ୍ତି ସହାୟତା ତଥା ବଜାର ବିକାଶ ସହାୟତା ନିମନ୍ତେ ପ୍ରୋତ୍ସାହନର ବ୍ୟବସ୍ଥା ରଖାଯାଇଛି । ସେହିପରି ଓଡ଼ିଶା କାରଖାନା ଓ ବାଷ୍ପିୟ ନିରୀକ୍ଷଣ ସେବା ନିଯୁକ୍ତି ଓ ସେବା ସର୍ତ୍ତାବଳୀ ସଂଶୋଧନ ନିୟମାବଳୀ-୨୦୨୨ କ୍ୟାବିନେଟ୍‌ର ଅନୁମୋଦନ ଲାଭକରିଛି । ତଦନୁଯାୟୀ ଏହି ସେବାର ମୂଳ ପଦବୀ ଆସିଷ୍ଟାଣ୍ଟ୍ ଡାଇରେକ୍ଟର ଚୟନ ଲାଗି ଲିଖିତ ଓ ସାକ୍ଷାତକାର ପରୀକ୍ଷା ଲୋକସେବା ଆୟୋଗ ଦ୍ୱାରା କରାଯିବ । ଜୁନିଅର ଷ୍ଟେନୋଗ୍ରାଫର, ଜୁନିଅର ଟାଇପିଷ୍ଟ, ଡାଟା ଏଣ୍ଟ୍ରି ଅପରେଟର ଓ ଜୁନିଅର କ୍ଳର୍କ-କମ୍‌-ଟାଇପିଷ୍ଟ ପଦବୀ ପାଇଁ ମିଳିତ ନିଯୁକ୍ତି ପରୀକ୍ଷା ନିୟମାବଳୀ-୨୦୨୨କୁ ରାଜ୍ୟ କ୍ୟାବିନେଟର ଅନୁମୋଦନ କରିଛି । ଏହାଦ୍ୱାରା ଏହି ପରୀକ୍ଷା ଗୁଡିକ ସୁବ୍ୟବସ୍ଥିତ ହେବା ସହିତ ପରୀକ୍ଷାର୍ଥୀ ଓ ରାଜ୍ୟ ସରକାରଙ୍କ ବ୍ୟୟ ଭାର ହ୍ରାସ ପାଇବ ।
ଶ୍ରମତୀ ମଲ୍ଲିକ କହିଛନ୍ତି ଯେ, ଅମଳ ପରବର୍ତ୍ତୀ କ୍ଷତି ଓ ଉଦ୍ୟାନ କୃଷି ଉତ୍ପାଦର ବ୍ରାଣ୍ଡିଂ, ପ୍ୟାକେଜିଂ ଓ ମାର୍କେଟିଂ କ୍ଷେତ୍ରକୁ ସହାୟତା ଯୋଗାଇବା ସହ କୃଷକ ମାନଙ୍କୁ ଆର୍ôଥକ ସହାୟତା ଦେବା ଉଦ୍ଦେଶ୍ୟରେ ଅମଳ ପରବର୍ତ୍ତୀ ପରିଚାଳନା ଏବଂ ଉଦ୍ୟାନ କୃଷିର ଅମଳ ପରବର୍ତ୍ତୀ ବିପଣନରେ ସହାୟତା ଯୋଜନାଟି କ୍ୟାବିନେଟର ଅନୁମୋଦନ ଲାଭ କରିଛି । ଏହା ଗ୍ରାମାଞ୍ଚଳରେ ଚାଷୀଙ୍କ ରୋଜଗାର ବୃଦ୍ଧି ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ଉଦ୍ୟାନ କୃଷିର ଦ୍ରୁତ ଆଧୁନିକୀକରଣରେ ସହାୟକ ହେବ । ବିଭିନ୍ନ ପଦବୀରେ ଭର୍ତ୍ତି ନିମନ୍ତେ ଥିବା ଶାରୀରିକ ମାନକ ମାପ ଏବଂ ଶାରୀରିକ ଦକ୍ଷତା ପରୀକ୍ଷା ପାଇଁ ସମନ୍ୱିତ ନିଯୁକ୍ତି ପ୍ରକ୍ରିୟାର ନିୟମାବଳୀ-୨୦୨୨କୁ ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ କରିଛି । ରାଜ୍ୟ ସରକାରଙ୍କ ଅଧୀନରେ ଥିବା ‘ଖ’ ଓ ‘ଗ’ ବର୍ଗ ଅନ୍ତର୍ଗତ ବିଭିନ୍ନ ପଦବୀର ନିଯୁକ୍ତି ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଏହାର ଲକ୍ଷ୍ୟ । ଓଡ଼ିିଶା ବେସାମରିକ ବିମାନ ଚଳାଚଳ ନୀତି-୨୦୨୨ କ୍ୟାବିନେଟ୍‌ର ଅନୁମୋଦନ ଲାଭ କରିଛି । ଏହା ଆଞ୍ଚଳିକ, ଘରୋଇ ତଥା ଆନ୍ତର୍ଜାତିକ ବିମାନ ସଂଯୋଗକୁ ସୁଦୃଢ କରିବା ସହ ରାଜ୍ୟରେ ଉତ୍ତମ ବ୍ୟବସାୟିକ ଓ ନିଯୁକ୍ତି ପରିବେଶ ସୃଷ୍ଟି କରିବ । ଓଡ଼ିିଶାରେ ସଂଯୋଜନ କ୍ଷେତ୍ରର ବିକାଶ ପାଇଁ ଓଡ଼ିିଶା ଲଜିଷ୍ଟିକ୍ ପଲିସି-୨୦୨୨ କ୍ୟାବିନେଟ୍‌ର ଅନୁମୋଦନ ଲାଭକରିଛି । ଏହା ବାଣିଜ୍ୟ ଓ ବାଣିଜ୍ୟ ପାଇଁ ଉପଯୁକ୍ତ ଗନ୍ତବ୍ୟସ୍ଥଳ ଭାବରେ ରାଜ୍ୟର ସ୍ଥିତିକୁ ସୁଦୃଢ କରିବ ଓ ଯୋଗାଣ ଶୃଙ୍ଖଳକୁ ମଧ୍ୟ ମଜବୁତ କରିବ । ଏଥିରେ ସବୁଜ ଇନ୍ଧନର ବ୍ୟବହାରକୁ ମଧ୍ୟ ଉତ୍ସାହିତ କରାଯାଇଛି । ଶେଷରେ ଓଡ଼ିିଆ ଚଳଚ୍ଚିତ୍ର ‘ଦମନ’କୁ ଟିକସମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପୂର୍ବ ନିଷ୍ପତ୍ତିକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି ବୋଲି ରାଜସ୍ୱ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ ସ୍ପଷ୍ଟ କରିଛନ୍ତି ।

Comments are closed, but trackbacks and pingbacks are open.