ଗୁଜରାଟରେ ‘ଆପ୍‌’କୁ ଶକ୍ତ ଧକ୍କା, ମେଣ୍ଟରୁ ଓହରିଲା ଭାରତୀୟ ଟ୍ରାଇବଲ୍ ପାର୍ଟି

47

ଅହମ୍ମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପୂରା ଶକ୍ତି ଲଗାଇ ପ୍ରସ୍ତୁତି ଚଳାଇଥିବା ଆମ୍ ଆଦ୍‌ମୀ ପାର୍ଟି (ଆପ୍‌)କୁ ଏକ ଶକ୍ତ ଧକ୍କା ଲାଗିଛି । ଆପ୍ ସହିତ ମେଣ୍ଟରୁ ଭାରତୀୟ ଟ୍ରାଇବଲ୍ ପାର୍ଟି ଓହରି ଯାଇଛି । ଏହାକୁ ନେଇ ଔପଚାରିକ ଘୋଷଣା ମଧ୍ୟ କରାଯାଇଛି । ପାର୍ଟି ପକ୍ଷରୁ ତର୍କ ଦିଆଯାଇଛି ଯଦି ଆପ୍ ସହିତ ମେଣ୍ଟ୍ କରାଯାଏ, ତେବେ ନିଜର ସଂଗଠନର କ୍ଷତି ହେବ । ପାର୍ଟିକୁ ଭାଙ୍ଗିବା ପାଇଁ ଉଦ୍ୟମ କରାଯିବ । ଏହି କାରଣରୁ ଭାରତୀୟ ଟ୍ରାଇବଲ୍ ପାର୍ଟି ଏବେ ଏକାକୀ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତି ଚଳାଇଛି । ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପିକୁ ଟକ୍କର୍ ଦେବାପାଇଁ ଆମ୍ ଆଦ୍‌ମୀ ପାର୍ଟି ଜୋର୍‌ସୋର୍‌ରେ ଉଦ୍ୟମ ଚଳାଇଥିବା ବେଳେ ଏହି ଘଟଣାକ୍ରମର ବହୁ ରାଜନୈତିକ ଗୁରୁତ୍ୱ ରହିଛି । ଏହାଦ୍ୱାରା ତୃଣମୂଳ ସ୍ତରରେ ବହୁ ସମୀକରଣରେ ମଧ୍ୟ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଗୁଜରାଟର ୧୮୨ ବିଧାନସଭା ଆସନ ମଧ୍ୟରୁ ୨୭ରେ ଆଦିବାସୀଙ୍କ ଅଧିକ ପ୍ରଭାବ ରହିଛି । କେତେକ ଆସନରେ ଏହି ଆଦିବାସୀ ଭୋଟର୍ ବିଜୟ-ପରାଜୟ ସ୍ଥିର କରିଥାନ୍ତି । ଏହି କାରଣରୁ ସେହି ଭୋଟ୍‌ବ୍ୟାଙ୍କ ହାତେଇବା ପାଇଁ ଆପ୍ ଭାରତୀୟ ଟ୍ରାଇବଲ୍ ପାର୍ଟି ସହିତ ହାତ ମିଳାଇଥିଲା । ମାତ୍ର ନିର୍ବାଚନ ପୂର୍ବରୁ ମେଣ୍ଟ୍ ଭାଙ୍ଗିଯିବା କାରଣରୁ ଏହି ଉଦ୍ୟମ ଏବେ ଫେଲ୍ ହୋଇଛି । ଏହାକୁ ନେଇ ବର୍ତ୍ତମାନ ସୁଦ୍ଧା ଆପ୍ ପକ୍ଷରୁ କୌଣସି ପ୍ରକ୍ରିୟା ମିଳିପାରି ନାହିଁ ।

Comments are closed, but trackbacks and pingbacks are open.