ରାଜ୍ୟ କ୍ୟାବିନେଟରେ ୮ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିଲା ମୋହର

174

ସରକାରୀ ନିଯୁକ୍ତି ପରୀକ୍ଷାରେ ଅନିୟମିତତା କଲେ ଜେଲ ସହ ଜୋରିମାନା

ଭୁବନେଶ୍ୱର : ବୁଧୁବାର ଅପରାହ୍ନରେ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନର ୩ୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା ବୈଠକ । ଏହି କ୍ୟାବିନେଟ୍‌ ବୈଠକରେ ୮ ପ୍ରସ୍ତାବରେ ବାଜିଲା ମୋହର ବାଜିଥିବାବେଳେ ରାଜ୍ୟ ସରକାରୀ ନିଯୁକ୍ତି ପରୀକ୍ଷା ନେଇ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଣିକି ସରକାରୀ ଚାକିରି ନିଯୁକ୍ତି ପରୀକ୍ଷାରେ ଅନିୟମିତତା କଲେ ଦୋଷୀଙ୍କୁ ୩ ରୁ ୫ ବର୍ଷ ଜେଲ୍ ଏବଂ ୧୦ ଲକ୍ଷ ଟଙ୍କା ଜରିମାନା ହେବ । ଏଥିପାଇଁ ଓଡ଼ିଶା ସାର୍ବଜନୀନ ପରୀକ୍ଷା(ଅନୁଚିତ୍ ସାଧନ ନିବାରଣ) ଆଇନ-୨୦୨୪କୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ପରୀକ୍ଷା କରୁଥିବା ସର୍ଭିସ ପ୍ରୋଭାଇଡରଙ୍କୁ ୧ କୋଟି ଟଙ୍କା ଜରିମାନା ହେବ । ଏହି ନିୟମ OPSC, OSSC, OSSSC ଆଦି ପରୀକ୍ଷା ପାଇଁ ଲାଗୁ ହେବ ବୋଲି କ୍ୟାବିନେଟ ବୈଠକ ପରେ କହିଛନ୍ତି ମୁଖ୍ୟ ସଚିବ ମନୋଜ ଆହୁଜା ।

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ହଜାର ହଜାର ପଦବି ଖାଲି ପଡ଼ିଛି । ଏହି ପଦବିଗୁଡ଼ିକ ପୂରା କରିବା ପାଇଁ ସରକାର ପର୍ଯ୍ୟାୟ କ୍ରମେ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛନ୍ତି । ସରକାରୀ ଚାକିରି ପାଇବା ପାଇଁ ଲକ୍ଷଲକ୍ଷ ପ୍ରାର୍ଥୀ ମଧ୍ୟ ଅପେକ୍ଷା କରିଛନ୍ତି । ଚାକିରି ଆଶାୟୀମାନେ ଅଭିଯୋଗ କରନ୍ତି ଯେ, ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ହେଉଛି । ଯୋଗ୍ୟ ପ୍ରାର୍ଥୀଙ୍କୁ ଚାକିରି ମିଳୁ ନାହିଁ । ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ ଚାକିରି ଆଶାୟୀଙ୍କ ମଧ୍ୟରେ ଖୁସି ଆଣିଛି ।

ଆଜି ସନ୍ଧ୍ୟାରେ ରାଜ୍ୟ ଲୋକସେବା ଭବନରେ ଆୟୋଜିତ କ୍ୟାବିନେଟ୍ ବୈଠକରେ ମୋଟ ୮ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏଥିରେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ୫ଟି, ସାଧାରଣ ପ୍ରଶାସନ ବିଭାଗର ଗୋଟିଏ ଓ ଜଳସମ୍ପଦ ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବ ରହିଥିବାବେଳେ ବିଧାନସଭା ଅଧିବେଶନ ଆହୂତ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ ମିଳିଛି ।

Comments are closed, but trackbacks and pingbacks are open.