ଗୃହ ବିଭାଗରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ଗାଏବ୍

46

୧୯୩୬ ମସିହାରୁ ୧୯୯୯ ମସିହା ପର୍ଯ୍ୟନ୍ତ ୬୩ ବର୍ଷର ବିଚାର ବିଭାଗୀୟ ତଦନ୍ତ (Judicial Commission of Inquiry) ଗଠନ ସମ୍ପର୍କିତ କୌଣସି ତଥ୍ୟ ରାଜ୍ୟ ସରକାରଙ୍କ ନିକଟରେ ନାହିଁ। ସରକାରଙ୍କ ଏଭଳି ଦାୟୀତ୍ବହୀନ ସୂଚନା ସାମ୍ନାକୁ ଆସିଛି। ଚିନ୍ତାର ବିଷୟ ହେଲା ରାଜ୍ୟ ଗୃହ ବିଭାଗ ସୂଚନା କମିଶନଙ୍କୁ ଆଫିଡେଭିଟ୍ କରି ଏହି ତଥ୍ୟ ପ୍ରଦାନ କରିଛି।

ଗତ ୨୦୨୦ ମସିହାରେ ଓଡିଶା ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ ସୂଚନା ଅଧିକାର ଆଇନ ବଳରେ ୧୯୩୬ ମସିହାରୁ ୨୦୧୮ ମସିହା ମଧ୍ୟରେ ରାଜ୍ୟ ସରକାର କେଉଁ କେଉଁ ଘଟଣାରେ Judicial Commission ବସେଇଥିଲେ ଏବଂ ଉକ୍ତ କମିଶନ ଗୁଡିକ କେବେ କେବେ ରିପୋର୍ଟ ଦେଇଥିଲେ ଉତ୍ୟାଦି ତଥ୍ୟ ରାଜ୍ୟ ଗୃହ ବିଭାଗକୁ ମାଗିଥିଲେ।

ତେବେ ଗୃହ ବିଭାଗ ୨୦୦୦ ରୁ ୨୦୧୮ ମସିହା ମାଧ୍ୟରେ ରାଜ୍ୟରେ ଗଠିତ ହୋଇଥିବା ବିଚାର ବିଭାଗୀୟ ତଦନ୍ତ କମିଶନ ସମ୍ପର୍କରେ ତଥ୍ୟ ଦେଇଥିଲେ । ମାତ୍ର ୧୯୩୬ ମସିହାରୁ ୧୯୯୯ ମସିହା ମଧ୍ୟରେ ହୋଇଥିବା କୌଣସି ବିଚାର ବିଭାଗୀୟ ତଦନ୍ତ କମିଶନ ସମ୍ପର୍କିତ ତଥ୍ୟ ଉପଲବ୍ଧ ନାହିଁ ବୋଲି ଜଣାଇଥିଲେ । ଏହି ଉତ୍ତରେ ଅସନ୍ତୁଷ୍ଟ ହୋଇ ଶ୍ରୀ ପ୍ରଧାନ ସୂଚନା କମିଶନଙ୍କ ନିକଟରେ ଅପିଲ କରିଥିଲେ।

ଏହାପରେ ମୁଖ୍ୟ ସୂଚନା କମିଶନର ଶ୍ରୀ ଜଳଦ ତ୍ରିପାଠୀ ଦ୍ବିତୀୟ ଅପିଲ ସଂଖ୍ୟା ୧୪୭୩/୨୦୨୧ର ଶୁଣାଣି କରି ଗୃହ ବିଭାଗକୁ ନୋଟିସ କରିଥିଲେ । ଶୁଣାଣି ସମୟରେ ପ୍ରଦୀପ ପ୍ରଧାନ ନିଜର ପକ୍ଷ ରଖି ଉକ୍ତ ତଥ୍ୟ କିପରି ସରକାର ନିକଟରେ ନାହିଁ ଓ ଅଧିକାରୀମାନେ ତଥ୍ୟ ଲୁଚାଇଛନ୍ତି ବୋଲି ଅଭିଯୋଗ କରିଥିଲେ ।ଗୃହ ବିଭାଗର ଅଧିକାରୀ ଉକ୍ତ ତଥ୍ୟ ସରକାରଙ୍କ ପାଖରେ ନାହିଁ ବୋଲି ଦର୍ଶାଇବାରୁ କମିଶନ ତଥ୍ୟ ନଥିବା ସମ୍ପର୍କରେ ଆଫିଡେଭିଟ୍ ବା ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।ସୂଚନା କମିଶନଙ୍କ ନିର୍ଦ୍ଦେଶ ପରେ ବାଧ୍ୟହୋଇ ଗୃହ ବିଭାଗର ଅଣ୍ଡର ସେକ୍ରେଟେରୀ କେ. ରବି କୁମାର ସତ୍ୟପାଠ ଜରିଆରେ ସୂଚନା ଉପଲବ୍ଧ ନାହିଁ ବୋଲି ଜଣାଇଛନ୍ତି।

ତେବେ ସରକାରୀ ଦପ୍ତରରୁ ଏଭଳି ଗୁରୁତ୍ବପୂର୍ଣ ଫାଇଲ୍ କିଭଳି ଗାଏବ ହେଉଛି ଓ ଏହାକୁ କିଏ ଗାଏବ କରୁଛି ତାହା ଏବେ ସବୁଠୁ ବଡ ପ୍ରଶ୍ନ।

Comments are closed, but trackbacks and pingbacks are open.