ରାଜ୍ୟରେ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ: ଗଣଶିକ୍ଷା ମନ୍ତ୍ରୀ

31

ଭୁବନେଶ୍ୱର: ରାଜ୍ୟରେ ପ୍ରାଥମିକ ଠାରୁ ଆରମ୍ଭ କରି ଉଚ୍ଚପ୍ରାଥମିକ, ମାଧ୍ୟମିକ ଶିକ୍ଷାରେ ବିକାଶ ଆଣିବା ସହ ସ୍କୁଲଗୁଡିକର ଭିତ୍ତିଭୂମି ସୁଧାର ଏବଂ ପିଲାଙ୍କ ଦକ୍ଷତା ବୃଦ୍ଧି କରିବା ଲାଗି ସରକାର ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରୁଛନ୍ତି । ଅନେକ ସମୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଏବଂ ସ୍କୁଲର ଭିତ୍ତିଭୂମିକୁ ନେଇ ଅଭିଯୋଗ ହେଉଥିବା ବେଳେ ସ୍କୁଲକୁ ପ୍ରଦାନ କରାଯାଉଥିବା ଅନୁଦାନ ପ୍ରଦାନ ଏବଂ ବ୍ୟୟ ଉପରେ ମଧ୍ୟ ଅଭିଯୋଗ ଆସୁଛି । ତେଣୁ ସ୍କୁଲ ପରିଚାଳନା ବ୍ୟବସ୍ଥାରେ ଅଭିଭାବକଙ୍କୁ ସାମିଲ କରାଯାଇ ଅଭିଭାବକଙ୍କ ମତାମତକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଫଳରେ ଗତ କିଛି ବର୍ଷ ହେବ ସ୍କୁଲସ୍ତରରେ ଶିଧାଦାନ ବ୍ୟବସ୍ଥାରେ ପରିବର୍ତ୍ତନ ଘଟିଛି ବୋଲି ରବିବାର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚା ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ, ପିଲାଙ୍କ ଦକ୍ଷତା ଏବଂ ଗୁଣାତ୍ମକ ଶିକ୍ଷାପ୍ରଦାନକୁ ନଜର ଦେଇ ୨୦୨୨-୨୩ ଶିକ୍ଷାବର୍ଷରେ ପାଠ୍ୟଖସଡାରେ କୌଣସି ନୂଆ ପାଠ୍ୟକ୍ରମ ସାମିଲ କରାଯିବ ନାହିଁ । ଗତ ୨ବର୍ଷ ହେବ କରୋନା ଲାଗି ଶ୍ରେଣୀ ପାଠପଢ଼ାରେ ଯେଉଁ ବ୍ୟାଘାତ ସୃଷ୍ଟି ହୋଇଥିଲା ତାହା ପୂରଣ କରିବାକୁ ସ୍ୱତନ୍ତ୍ର ଶିକ୍ଷାଦାନ ବ୍ୟବସ୍ଥା ସ୍କୁଲୱାରୀ ଆରମ୍ଭ ହୋଇଯାଇଛି । ପୂର୍ବବର୍ଷର ପାଠ୍ୟକ୍ରମକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଶେେ କରିବା ସହ ବର୍ତ୍ତମାନର ଶ୍ରେଣୀ ପାଠପଢ଼ାକୁ ମଧ୍ୟ ଧାର୍ଯ୍ୟ ହୋଇଥିବା ସମୟ ମଧ୍ୟରେ ଶେଷ କରି ପରୀକ୍ଷା କରାଯିବ । ସେହିପରି ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟବସ୍ଥା, ଭିତ୍ତିଭୂମି ଏବଂ ପିଲାଙ୍କ ବିକାଶ ସମ୍ପର୍କରେ ଅଭିଭାବକମାନେ ସ୍କୁଲ ମ୍ୟାନେଜମେଣ୍ଟ କମିଟି ସହ ଆଲୋଚନା କରିପାରିବେ । ବିଶେଷକରୀ ସ୍କୁଲସ୍ତରରେ ଅଭିଭାବକ ବୈଠକ ମାଧ୍ୟମରେ ଅନେକ ସମସ୍ୟାର ସମାଧାନ ହୋଇପାରୁଥିବାରୁ ହେବନି । ପୂର୍ବରୁ ବର୍ଷକୁ ଦୁଇଥର ଅଭିଭାବକ ଓ ଶିକ୍ଷକ ବୈଠକ ବସୁଥିଲା । ତେବେ ଏହି ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇ ଏଣିକି ବର୍ଷକୁ ଚାରିଥର ବୈଠକ ବସିବ । ଉଭୟ ଅଭିଭାବକ ଓ ଶିକ୍ଷକ ବୈଠକ ସମଗ୍ର ରାଜ୍ୟରେ ସବୁ ସ୍କୁଲରେ ଗୋଟିଏ ଦିନରେ ଅନୁଷ୍ଠିତ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଚନ୍ତି । ତେବେ ଅଭିଭାବକ ବୈଠକ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ, ଏହାର ମୂଳ ଉଦେଶ୍ୟ ହେଉଛି, ପିଲାମାନେ ସ୍କୁଲରେ ଯେତେ ସମୟ ରହୁଛନ୍ତି ପଢୁଛନ୍ତି, ହେଲେ ଘରେ ଅଧିକ ସମୟ ରହୁଛନ୍ତି । ଅଭିଭାବକ ଘରେ କିପରି ପିଲାଙ୍କୁ ଅଧିକ ଫୋକସ ଦେଇପାରିବେ, ଘରେ ଶିକ୍ଷାର ବାତାବରଣ ଦେଇପାରିବେ, ତା’ଉପରେ ଗୁରୁତ୍ୱ ଦେବାକୁ ଏହି ବୈଠକ ହେଉଛି । ପିଲାଙ୍କ ପଢ଼ା ପ୍ରତି ସ୍କୁଲ ଯେତିକି ଯତ୍ନବାନ, ଅଭିଭାବକ ମଧ୍ୟ ସେତିକି ଯତ୍ନବାନ ହେବା ଦରକାର । ବର୍ତ୍ତମାନ ସବୁ ବର୍ଗର ପିଲାଙ୍କ ଲାଗି ପାଠପଢ଼ିବା ଅତ୍ୟନ୍ତ ସରଳ ହୋଇପଡିଛି । ପାଠପଢ଼ା ଲାଗି ଆର୍ଥିକ ସମସ୍ୟା ବାଧକ ସାଜିବ ନାହିଁ । ସରକାର ଏ ଦିଗରେ ଅଧିକ ଯନ୍ତ୍ରବାନ ରହିଥିବା ସେ କହିଛନ୍ତି ।

Comments are closed, but trackbacks and pingbacks are open.