ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତି ଏବେ ଭାରତର ରୋଷେଇ ଶାଳ ଉପରେ ପ୍ରଭାବ ପକାଇବା ଆରମ୍ଭ କଲାଣି। ଯୁଦ୍ଧ ଯୋଗୁଁ ଆନ୍ତର୍ଜାତିକ ସ୍ତରରେ ଏଲ୍ପିଜି ଯୋଗାଣ ବାଧାପ୍ରାପ୍ତ ହେବାରୁ ଚଳିତ ମାର୍ଚ୍ଚ ମାସର ପ୍ରଥମାର୍ଦ୍ଧରେ ଦେଶରେ ରନ୍ଧନ ଗ୍ୟାସ୍ ବ୍ୟବହାର ପ୍ରାୟ ୧୭.୭ ପ୍ରତିଶତ ହ୍ରାସ ପାଇଛି। ବିଶେଷ କରି ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଯୋଗୁଁ ଗ୍ୟାସ୍ ଆମଦାନି ବହୁଳ ଭାବେ ପ୍ରଭାବିତ ହୋଇଛି।ସରକାରୀ ତଥ୍ୟ ଅନୁଯାୟୀ, ମାର୍ଚ୍ଚ ମାସର ପ୍ରଥମ ୧୫ ଦିନ ମଧ୍ୟରେ ଏଲ୍ପିଜି ବ୍ୟବହାର ୧.୧୪୭ ନିୟୁତ ଟନ୍କୁ ଖସି ଆସିଛି। ଗତ ବର୍ଷ ଏହି ସମୟ ମଧ୍ୟରେ ଏହା ୧.୩୮୭ ନିୟୁତ ଟନ୍ ରହିଥିଲା। ଅର୍ଥାତ୍ ବର୍ଷକ ମଧ୍ୟରେ ଚାହିଦା ପ୍ରାୟ ୧୭.୩ ପ୍ରତିଶତ କମିଛି। ସେହିପରି ଫେବ୍ରୁଆରି ମାସର ତୁଳନାରେ ଏହି ହ୍ରାସର ପରିମାଣ ପ୍ରାୟ ୨୬.୩ ପ୍ରତିଶତ ବୋଲି ଜଣାପଡ଼ିଛି। ଭାରତ ନିଜର ଆବଶ୍ୟକ ମୋଟ ଏଲ୍ପିଜିର ପ୍ରାୟ ୬୦ ପ୍ରତିଶତ ବିଦେଶରୁ ଆମଦାନି କରିଥାଏ। ଏହାର ଏକ ବଡ଼ ଅଂଶ ହର୍ମୁଜ୍ ପ୍ରଣାଳୀ ଦେଇ ଭାରତରେ ପହଞ୍ଚିଥାଏ। ମାତ୍ର ସାଉଦି ଆରବ ଓ ସଂଯୁକ୍ତ ଆରବ ଏମିରେଟ୍ସରୁ ଯୋଗାଣ ବ୍ୟାହତ ହେବା ଫଳରେ ଏବେ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଘରୋଇ ଗ୍ରାହକଙ୍କୁ ଅବ୍ୟାହତ ଯୋଗାଣ ଜାରି ରଖିବା ପାଇଁ ସରକାର ବାଧ୍ୟ ହୋଇ ହୋଟେଲ ଏବଂ ବୃହତ ଶିଳ୍ପ ଭଳି ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକୁ ଗ୍ୟାସ୍ ଯୋଗାଣ ପରିମାଣ କମାଇ ଦେଇଛନ୍ତି। ଯୁଦ୍ଧ ଯୋଗୁଁ କେବଳ ରନ୍ଧନ ଗ୍ୟାସ୍ ନୁହେଁ, ବରଂ ବିମାନ ଇନ୍ଧନ ବ୍ୟବହାର ମଧ୍ୟ ୪ ପ୍ରତିଶତ ହ୍ରାସ ପାଇଛି। ଅନେକ ଉପସାଗରୀୟ ଦେଶ ନିଜର ଆକାଶ ମାର୍ଗ ବନ୍ଦ କରିଥିବାରୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଅନ୍ୟପଟେ, ଗ୍ୟାସ୍ ଚାହିଦା କମିଥିବା ବେଳେ ପେଟ୍ରୋଲ ଓ ଡିଜେଲ ବ୍ୟବହାରରେ ବୃଦ୍ଧି ପରିଲକ୍ଷିତ ହୋଇଛି। ପେଟ୍ରୋଲ ବ୍ୟବହାର ୧୩.୨ ପ୍ରତିଶତ ବଢ଼ି ୧.୫ ନିୟୁତ ଟନ୍ ହୋଇଥିବା ବେଳେ ଡିଜେଲ ବ୍ୟବହାର ୮.୨ ପ୍ରତିଶତ ବୃଦ୍ଧି ପାଇ ୩.୩୮୪ ନିୟୁତ ଟନ୍ରେ ପହଞ୍ଚିଛି।
Comments are closed, but trackbacks and pingbacks are open.