ସେନ୍‌ସେକ୍ସ ସୂଚକାଙ୍କ ହ୍ରାସର ପ୍ରଭାବ: ଶ୍ରେଷ୍ଠ ୫ କମ୍ପାନୀର କ୍ଷତି୧.୬୭ ଲକ୍ଷ କୋଟି

29

ମୁମ୍ବାଇ : ଗତ ସପ୍ତାହରେ (ଡିସେମ୍ବର ୫-୧୦) ଷ୍ଟକ୍ ଏକ୍ସଚେଞ୍ଜ୍ କାରବାରରେ ସେନ୍‌ସେକ୍ସ ସୂଚକାଙ୍କ ହ୍ରାସ (ହାରାହାରି ୬୮୬.୮୩ ପଏଣ୍ଟ) ପାଇଥିବାରୁ ଦେଶର ଶ୍ରେଷ୍ଠ ୧୦ଟି ମଧ୍ୟରୁ ୫ଟି କମ୍ପାନୀ ମୋଟ ୧.୬୭ ଲକ୍ଷ କୋଟି ଟଙ୍କା ହରାଇଥିବା ଜଣାପଡିଛି । ଏହି ୫ଟି କମ୍ପାନୀ ହେଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌, ଟିସିଏସ୍ (ଟାଟା କନ୍‌ସଲଟାନ୍ସି ସର୍ଭିସେସ୍‌), ଇନ୍‌ଫୋସିସ୍‌, ଭାରତୀ ଏୟାରଟେଲ ଓ ଆଇସିଆଇସିଆଇ ବ୍ୟାଙ୍କ । ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସବୁଠାରୁ ଅଧିକ ୭୬,୮୨୧.୦୧ କୋଟି ଟଙ୍କାର କ୍ଷତି ସହିଛି । ଫଳରେ ରିଲାଏନ୍ସର ମୋଟ ସମ୍ପତ୍ତି ପରିମାଣ ୧୭,୬୫,୧୭୩.୪୭ କୋଟିକୁ ଖସିଆସିଛି । ରିଲାଏନ୍ସ ପଛକୁ କ୍ଷତିଗ୍ରସ୍ତ ତାଲିକାର ଦ୍ୱିତୀୟ ସ୍ଥାନରେ ଟିସିଏସ୍ ରହିଛି । ଟିସିଏସ୍ ୫୩,୬୪୧.୬୯ କୋଟି କ୍ଷତିର ସମ୍ମୁଖୀନ ହୋଇଥିବାବେଳେ ଏହାର ସମ୍ପତ୍ତି ପରିମାଣ ୧୨,୦୪,୭୯୭.୫୫ କୋଟିକୁ ହ୍ରାସ ପାଇଛି । ଇନ୍‌ଫୋସିସ୍‌ର କ୍ଷତି ପରିମାଣ ୨୯,୩୩୦.୩୩ କୋଟି ଥିବାବେଳେ ସମ୍ପତ୍ତି ପରିମାଣ ୬,୬୦,୧୮୪.୭୬ କୋଟିକୁ ଖସିଥିବା ଜଣାପଡିଛି । ଭାରତୀ ଏୟାରଟେଲ ୭୭୦୫.୦୮ କୋଟି ଟଙ୍କା କ୍ଷତି ସହିଥିବାବେଳେ ଏହାର ସମ୍ପତ୍ତି ପରିମାଣ ୪,୬୪,୫୨୯.୮୪ କୋଟିରେ ପହଞ୍ଚିଛି । ଶେଷରେ ଆଇସିଆଇସିଆଇ ବ୍ୟାଙ୍କ ସବୁଠାରୁ କମ ୧୦୪.୬୨ କୋଟି କ୍ଷତିର ସମ୍ମୁଖୀନ ହୋଇଥିବାବେଳେ ଏହାର ସମ୍ପତ୍ତି ପରିମାଣ ୬,୪୯,୧୦୨.୮୪ କୋଟିକୁ ହ୍ରାସ ପାଇଛି । ଅପରପକ୍ଷରେ ଶ୍ରେଷ୍ଠ ୧୦ ମଧ୍ୟରେ ସ୍ଥାନ ପାଇଥିବା ଅନ୍ୟ ୫ଟି କମ୍ପାନୀ ଯଥା ହିନ୍ଦୁସ୍ତାନ ୟୁନିଲିଭର, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଅଦାନି ଏଣ୍ଟରପ୍ରାଇଜେସ୍‌, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍‌ବିଆଇ) ଏବଂ ଏଚଡିଏଫ୍‌ସି ସେନ୍‌ସେକ୍ସ ଯୋଗୁଁ ଲାଭବାନ ହୋଇଛନ୍ତି । ହିନ୍ଦୁସ୍ତାନ ୟୁନିଲିଭର ୨୪,୮୮୨.୧୭ କୋଟି ଲାଭ କରିଥିବାବେଳେ ଏହାର ସମ୍ପତ୍ତି ପରିମାଣ ୬,୩୯,୩୭୦.୭୭ କୋଟିକୁ ବୃଦ୍ଧି ପାଇଛି । ଏଚ୍‌ଡିଏଫ୍‌ସି ବ୍ୟାଙ୍କ ୧୩,୪୯୩.୭୩ କୋଟି ଲାଭ ସହ ସମ୍ପତ୍ତି ପରିମାଣ ୯,୦୯,୬୦୦.୧୧ କୋଟିକୁ ବୃଦ୍ଧି କରିପାରିଛି । ଅଦାନି ଏଣ୍ଟରପ୍ରାଇଜେସ୍ ୮୪୭୫.୯୧ କୋଟି, ଏସ୍‌ବିଆଇ ୭୯୪୨.୯୦ କୋଟି ଏବଂ ଏଚ୍‌ଡିଏଫ୍‌ସି ୧୧୨୯.୫୫ କୋଟି ଟଙ୍କା ଲାଭ କରିଥିବାବେଳେ ସେମାନଙ୍କର ସମ୍ପତ୍ତି ପରିମାଣ ଯଥାକ୍ରମେ ୪,୫୫,୫୨୧.୬୫ କୋଟି, ୫,୫୦,୧୫୭.୬୯ କୋଟି ଏବଂ ୪,୮୬,୭୫୫.୭୭ କୋଟି ଟଙ୍କାକୁ ବୃଦ୍ଧି ପାଇଥିବା ଜଣାପଡିଛି । ସର୍ବାଧିକ କ୍ଷତି ସତ୍ତ୍ୱେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଶ୍ରେଷ୍ଠ ୧୦ କମ୍ପାନୀ ତାଲିକାରେ ଶୀର୍ଷ ମାନ୍ୟତା ବଜାୟ ରଖିଥିବାବେଳେ ଏହାପଛକୁ ଟିସିଏସ୍‌, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଇନ୍‌ଫୋସିସ୍‌, ଆଇସିଆଇସିଆଇ ବ୍ୟାଙ୍କ, ହିନ୍ଦୁସ୍ତାନ ୟୁନିଲିଭର, ଏସ୍‌ବିଆଇ, ଏଚ୍‌ଡିଏଫ୍‌ସି, ଭାରତୀ ଏୟାରଟେଲ ଓ ଅଦାନି ଏଣ୍ଟରପ୍ରାଇଜେସ୍ ଯଥାକ୍ରମେ ୨ୟରୁ ୧୦ମ ସ୍ଥାନ ଅଧିକାର କରିଛନ୍ତି ।

Comments are closed, but trackbacks and pingbacks are open.