ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଓ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟ, ନୂଆଦିଲ୍ଲୀ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଯାଇଛି। ଏହି ବୁଝାମଣା ପତ୍ର ଅନୁଯାୟୀ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟ(IGNOU)ର ସ୍ନାତକ, ସ୍ନାତକୋତ୍ତର ପାଠ୍ୟକ୍ରମ ସହିତ ସ୍ନାତକୋତ୍ତର ଡିପ୍ଲୋମା, ଡିପ୍ଲୋମା ଓ ସାର୍ଟିଫିକେଟ ପାଠ୍ୟକ୍ରମ, ସ୍ନାତକ (ଭୋକେସ୍ନାଲ୍ ଷ୍ଟଡ଼ିଜ), ଟ୍ରାଭେଲ ଓ ଟୁରିଜିମ୍ ମ୍ୟାନେଜମେଣ୍ଟ, ବିବିଏ, ଏମବିଏ ଆଦି ବିଭିନ୍ନ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ପ୍ରଦାନ କରାଯିବ। ଏହି ବୁଝାମଣା ପତ୍ର ସ୍ଵାକ୍ଷର ସମାରୋହରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ କହିଥିଲେ ଯେ, ଏହି ବୁଝାମଣା ପତ୍ର ସ୍ଵାକ୍ଷର ମାଧ୍ୟମରେ ଆମ ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷାରେ ଉଚ୍ଚଶିକ୍ଷା ଲାଭ କରିପାରିବେ। ଏହା ଏକ ଐତିହାସିକ ପଦକ୍ଷେପ। ଉଚ୍ଚଶିକ୍ଷା ଲାଭ କରିବାରେ ପାଠ୍ୟକ୍ରମର ଭାଷା ବା ମାଧ୍ୟମ ଆଉ ବାଧକ ସାଜିବ ନାହିଁ। “ସମସ୍ତଙ୍କ ପାଇଁ ଶିକ୍ଷା ଓ ସମସ୍ତଙ୍କ ପାଇଁ ଉଚ୍ଚଶିକ୍ଷା” ଏହାକୁ ସୁନିଶ୍ଚିତ କରାଯାଇପାରିବ। ଏଥିସହିତ ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ଶିକ୍ଷାଦାନର ମାଧ୍ୟମ ଓ ପାଠ୍ୟକ୍ରମକୁ ମାତୃଭାଷାରେ ପ୍ରଦାନ କରିବା ନିମନ୍ତେ ପ୍ରାଧାନ୍ୟ ଦିଆଯାଇଛି। ଏହି ବୁଝାମଣା ପତ୍ର ସ୍ଵାକ୍ଷର ହେବା ଦ୍ୱାରା ଉଚ୍ଚଶିକ୍ଷାର ପାଠ୍ୟକ୍ରମକୁ ମାତୃଭାଷାରେ ପ୍ରଦାନ କରାଯିବାର ଲକ୍ଷ୍ୟକୁ ପୂରଣ କରାଯାଇପାରିଛି। ମାତୃଭାଷାରେ ଉଚ୍ଚଶିକ୍ଷା ଲାଭ କଲେ ଛାତ୍ରଛାତ୍ରୀମାନଙ୍କର ସୃଜନଶୀଳତାର ବିକାଶ ହୋଇପାରିବ। ଏହିସହିତ ଏହା ଉଚ୍ଚଶିକ୍ଷା କ୍ଷେତ୍ରରେ ଡ୍ରପ୍ ଆଉଟ୍ ସଂଖ୍ୟାକୁ କମାଇବା ସହ ସାମଗ୍ରିକ ନାମଲେଖା ଅନୁପାତ (Gross Enrollment Ratio)କୁ ବୃଦ୍ଧି କରିବାରେ ନିଶ୍ଚିତ ରୂପେ ସହାୟକ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ମତପ୍ରକାଶ କରିଛନ୍ତି। ବୁଝାମଣା ପତ୍ର ସ୍ଵାକ୍ଷର ସମାରୋହରେ ବାଲେଶ୍ୱର ଠାରୁ ନେଇ ମାଲକାନଗିରି ପର୍ଯ୍ୟନ୍ତ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଭାସୀ ମାଧ୍ୟମରେ ଯୋଗଦେଇ ଉଚ୍ଚଶିକ୍ଷା ବିଭାଗର ଏହି ପଦକ୍ଷେପକୁ ସ୍ୱାଗତ ଜଣାଇବା ସହ ଏହି ପଦକ୍ଷେପ ଦ୍ୱାରା ଉଚ୍ଚଶିକ୍ଷା ଲାଭ କରିବା ଦିଗରେ ବହୁ ଛାତ୍ରଛାତ୍ରୀମାନେ ଉପକୃତ ହେବେ ବୋଲି ନିଜର ମତପୋଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ରମାକାନ୍ତ ନାୟକ, ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଉମା କାଞ୍ଜିଲାଲ, ରେଜିଷ୍ଟାର ଡ଼.ଆଲୋକ ଚୌବେ ପ୍ରମୁଖ ଉପସ୍ଥିତ ଥିଲେ।
Prev Post
Next Post
Comments are closed, but trackbacks and pingbacks are open.