ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଇଫୁ ମଲ୍ଲିକ

27

ନିଟ୍‌ ପରୀକ୍ଷାରେ କୃତୀତ୍ବ ହାସଲ କରି କୋରାପୁଟ ସହିଦ୍ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜରେ ପାଠ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବାଲିଗୁଡାର ଛାତ୍ର ଶ୍ରୀ ଇଫୁ ମଲ୍ଲିକ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସଠାରେ ଭେଟିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ଇଫୁଙ୍କ ପ୍ରତିଭାର ଉଚ୍ଚପ୍ରଶଂସା କରିବା ସହିତ ଆଗକୁ ଏହିପରି ଉଦ୍ୟମ ଜାରି ରଖି ଦେଶବାସୀଙ୍କ ସେବା କରିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରେରଣା ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଇଫୁଙ୍କ ସହିତ ସେଲ୍‌ଫି ଉଠାଇବା ସହିତ ଏକ ପୁସ୍ତକ ମଧ୍ୟ ଉପହାର ଦେଇଥିଲେ ।

ସୂଚନାଯୋଗ୍ୟ ଯେ ଇଫୁ ମଲ୍ଲିକ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଜଣେ ଗରିବ, ଆଦିବାସୀ ଯୁବକ। ନିଜର ପ୍ରତିଭା ଓ ଉଦ୍ୟମ ଯୋଗୁ ଅନେକ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେ ମେଡିକାଲ ପଢିବା ପାଇଁ ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । କିନ୍ତୁ ଅର୍ଥାଭାବ ଯୋଗୁ ତାଙ୍କର ଏ ଆଶା ପୂରଣ ହେବା ସଂପର୍କରେ ସେ ସନ୍ଦିହାନ ଥିଲେ ।

ସାମାଜିକ ଗଣମାଧ୍ୟମରୁ ଏ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ମେଡିକାଲ ପଢିବା ପାଇଁ ସମସ୍ତ ଆବଶ୍ୟକୀୟ ଖର୍ଚ୍ଚ ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ ଏବଂ ଇଫୁଙ୍କୁ ବ୍ୟକ୍ତିଗତ ଭାବେ ଭେଟିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ମଧ୍ୟ ଇଫୁଙ୍କ ସହିତ ଫୋନ୍‌ ଯୋଗେ କଥାବାର୍ତ୍ତା ହୋଇଥିଲେ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ SC/ ST DEVELOPMENT Dept ପକ୍ଷରୁ ତାଙ୍କୁ ତୁରନ୍ତ ସହାୟତା ଯୋଗାଇ ଦିଆଯାଇଥିଲା .

Comments are closed, but trackbacks and pingbacks are open.