ଓଡିଶାକୁ ଠିକ୍ ନକଲେ, ଦେଶ ଠିକ୍ ହେଇପାରିବନି : ଧର୍ମେନ୍ଦ୍ର ପ୍ରଧାନ

98

“ମୁଁ ସମ୍ବାଦର ଅନେକ କାର୍ଯ୍ୟକ୍ରମକୁ ଆଗରୁ ଆସିଛି । ହେଲେ ଏଥରର କାର୍ଯ୍ୟକ୍ରମ ଟିକେ ଅଲଗା । ଏଠି ପ୍ରାୟୋଜିତ ଲୋକମାନେ ନାହାଁନ୍ତି । ଖାଣ୍ଟି ଲୋକମାନେ ଅଛନ୍ତି, ଖାଣ୍ଟି ମାଆମାନେ ଅଛନ୍ତି ।”, ସୋମବାର ଆମ ଓଡିଶା ଏବଂ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଓଡିଶା ଆଟ୍ ୫୦ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରାଜ୍ୟର ନାରୀମାନଙ୍କୁ ପ୍ରଂଶସା କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ସମାଜ ବଦଳୁଛି, ଦୁନିଆ ବଦଳୁଛି । ଆମ ରାଜ୍ୟରେ ମହିଳାମାନଙ୍କର ସ୍ୱତନ୍ତ୍ର ସ୍ଥାନ ଆଦି ଅନନ୍ତକାଳରୁ ରହିଛି । ଦେଶସାରା ମହିଳାମାନଙ୍କର ନିଜସ୍ୱ ସମ୍ମାନ ଅଛି, ହେଲେ ଆମ ରାଜ୍ୟରେ କିନ୍ତୁ ଏହା ନିଆରା । ମାର୍ଗଶୀର ଗୁରୁବାର କେଉଁଠି ହୁଏନି, କେବଳ ଆମ ଓଡିଶାରେ ହୁଏ ଆଉ ମାଆମାନଙ୍କ ଦ୍ୱାରା ହୁଏ । ଏହା କେବଳ ଏକ ପୂଜା ନୁହେଁ, ଏହା ଏକ ସଂସ୍କାର, ସ୍ୱଚ୍ଛତାର ସଂସ୍କାର, ସମର୍ପଣର ସଂସ୍କାର । ତେବେ ସମ୍ବାଦର ପ୍ରୟାସରେ ମହିଳା ସଶକ୍ତୀକରଣର ସଙ୍ଗଠନ ତିଆରି ହେଇଛି । ଏହି ଆୟୋଜନ ଏକ ନିରନ୍ତର ସଙ୍ଗଠନର ରୂପ ନେଉ, ଏହା ଘରେ ଘରେ ପହଞ୍ଚୁ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଅନ୍ୟପଟେ ଆଗାମୀ ୨ ବର୍ଷ ଭିତରେ ଦେଶର ୬ ଲକ୍ଷ ଗାଁ ଏବଂ ଆମ ରାଜ୍ୟର ୫୦ ହଜାର ଗାଁରେ ଅପ୍ଟିକାଲ ଫାଇବର ଲାଗିଯିବ । ଏହା ମାଧ୍ୟମରେ ୫ଜି ଆସିବ, ଆଗାମୀ ଦିନରେ ୬ଜି ଆସିବ । ତେଣୁ ଓଡିଶାର ମାଆମାନେ ସ୍ୱପ୍ନ ଦେଖିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ ନିଜର ଅଭିଭାଷଣରେ ଉଲ୍ଲେଖ କରିଛନ୍ତି । ସେହିପରି ଓଡିଶାରେ ସଂଶାଧନର ଅଭାବ ନାହିଁ, ବୁଦ୍ଧିମତାର ଅଭାବ ନାହିଁ । ହେଲେ ଆମକୁ ଦାୟିତ୍ୱ ନେବାକୁ ପଡିବ, ସଚେତନତା ବଢାଇବାକୁ ପଡିବ । ଆଜି ଇନଷ୍ଟିଚ୍ୟୁସନାଲ ଡେଲିଭରୀ ପାଇଁ ସବୁ ବ୍ୟବସ୍ଥା ଅଛି, କିନ୍ତୁ ତା ପାଇଁ ଦାୟିତ୍ୱ ନେବାକୁ ପଡିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଓଡିଶାକୁ ଠିକ୍ ନକଲେ, ଦେଶ ଠିକ୍ ହେଇପାରିବନି । ଆଉ କିଛି ବର୍ଷ ପରେ ଓଡିଶାକୁ ଶହେ ବର୍ଷ ପୂରିବ, ତେଣୁ ମାଆମାନଙ୍କୁ ନେତୃତ୍ୱ ନେବାକୁ ପଡିବ । ମାଆମାନେ ଦାୟିତ୍ୱ ନେଲେ, ଘରର ଛୁଆ ସୁସ୍ଥ ହେବ ଆଉ ସେହି ଛୁଆ ଓଡିଶାକୁ ପରିବର୍ତ୍ତନ କରିବ । ଆଗାମୀ ଦିନରେ ମାତୃଶକ୍ତି ଗୋଟିଏ ବଡ ସ୍ଥାନକୁ ଯିବେ ବୋଲି ଓଡିଶା ଆଟ୍ ୫୦ କାର୍ଯ୍ୟକ୍ରମରେ ଯୋଗ ଦେଇ ଧର୍ମେନ୍ଦ୍ର କହିଛନ୍ତି ।

Comments are closed, but trackbacks and pingbacks are open.