ରାଷ୍ଟ୍ରପତିଙ୍କୁ ଭେଟି କ୍ଷମା ମାଗିବି,କିନ୍ତୁ ଭଣ୍ଡ ମାନଙ୍କୁ ନୁହେଁ : କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ

20

ନୂଆଦିଲ୍ଲୀ ୨୮-୦୮ (ପି.ଏନ.ଏ) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ‘ରାଷ୍ଟ୍ରପତ୍ନୀ’ ବୋଲି ଟିପ୍ପଣୀ ଦେବା ପରେ ସଂସଦରେ ବିବାଦ ଘନେଇଥିଲା I ଏ ସମ୍ପର୍କରେ ନିଜର ଭୁଲ ସ୍ୱୀକାର କରିଛନ୍ତି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ। ଏହା ମଧ୍ୟରେ ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ସେ ରାଷ୍ଟ୍ରପତିଙ୍କୁ ଭେଟି କ୍ଷମା ମାଗିବେ। ହେଲେ ତାଙ୍କ ମନ୍ତବ୍ୟକୁ ନେଇ ନାରାବାଜି କରୁଥିବା ଏହି ପାଖଣ୍ଡି ମାନଙ୍କ ଆଗରେ କ୍ଷମା ମାଗିବି ନାହିଁ। ହିନ୍ଦୀ କମ ଜାଣିଥିବା କାରଣରୁ ସେ ଏମିତି ଭୁଲ୍ ଟିପ୍ପଣୀ କରିଥିବା ନିଜ ସଫେଇରେ କହିଛନ୍ତି କଂଗ୍ରେସ ସାଂସଦ।
ସେ କହିଛନ୍ତି, “ଭୁଲ ବଶତଃ ମୋ ପାଟିରୁ ରାଷ୍ଟ୍ରପତିଙ୍କ ପାଇଁ ଶବ୍ଦଟି ଖସି ଯାଇଥିଲା। ମୁଁ ଜଣେ ବେଙ୍ଗଲୀ। ମୁଁ ସାଧାରଣତଃ ହିନ୍ଦୀ ସହ ସେତେଟା ଜଡ଼ିତ ନୁହେଁ। ମୁଁ ଗୋଟିଏ ଭୁଲ କରିଥିବା ସ୍ୱୀକାର କରୁଛି। ନିର୍ବାଚନ ବେଳେ ସୋନିଆ ଗାନ୍ଧିଙ୍କ ସମ୍ପର୍କରେ କ’ଣ ସବୁ କୁହାଯାଇଥିଲା? ସାଂସଦ ଶଶି ଥରୁରଙ୍କ ପତ୍ନୀଙ୍କ ସମ୍ପର୍କରେ କି ଭଳି ଶବ୍ଦ ସବୁ ପ୍ରୟୋଗ ହୋଇଥିଲା? ସଂସଦ ଭିତରେ ସେମାନେ କେମିତି ରେଣୁକା ଚୌଧୁରୀଙ୍କ ସମ୍ପର୍କରେ ଶବ୍ଦ ପ୍ରୟୋଗ କରିଥିଲେ? ସେକଥା କାହାକୁ ବି ଦେଖାଯାଉନି। 

ଗୁରୁବାର ସଂସଦରେ ମୌସୁମୀ ଅଧିବେଶନର ଆଲୋଚନା ଚାଲିଥିବା ବେଳେ ଶ୍ରୀ ଚୌଧୁରୀ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ ବୋଲି ସମ୍ବୋଧନ କରିଥିଲେ। ଏହାପରେ ଗୃହରେ ହଙ୍ଗାମା ଆରମ୍ଭ ହୋଇଥିଲା। ଏହାପରେ ବିଜେପି ସାଂସଦମାନେ ଅଧୀର ରଞ୍ଜନଙ୍କୁ କ୍ଷମା ମାଗିବାକୁ କହିଥିଲେ। ବିଜେପି ସାଂସଦ ସ୍ମୃତି ଇରାନୀ ଏହି ଘଟଣାରେ ସୋନିଆ ଗାନ୍ଧୀଙ୍କ ନାଁକୁ ସାମିଲ୍ କରି ସେ ଲୋକଙ୍କୁ କ୍ଷମା ମାଗନ୍ତୁ ବୋଲି କହିଛନ୍ତି। ହୋହାଲ୍ଲା ଏତେ ହେଲା ଯେ ଶେଷରେ ଆଜିର କାର୍ଯ୍ୟଦିବସ ସ୍ଥଗିତ ରଖିବାକୁ ପଡ଼ିଲା। ତେବେ କ୍ଷମା ମାଗିବାକୁ ଚାପ ପଡ଼ିବା ପରେ ଅଧୀର ରଞ୍ଜନ ଚୌଧୁରୀ ନିଜ ଭୁଲ ସ୍ୱୀକାର କରି କହିଥିଲେ ଯେ ସେ ସ୍ୱପ୍ନରେ ବି ରାଷ୍ଟ୍ରପତିଙ୍କ ବିରୋଧରେ ଏଭଳି ମନ୍ତବ୍ୟ ଦେବେ ନାହିଁ।

Comments are closed, but trackbacks and pingbacks are open.