‘ମୁଁ ଗୋମାଂସ ଖାଏନି କି କୌଣସି ମାଂସ ଖାଏନି’: କଙ୍ଗନା

47

ନୂଆଦିଲ୍ଲୀ: କଂଗ୍ରେସ ନେତା ବିଜୟ ୱାଡେଟିୱରଙ୍କ ଅଭିଯୋଗକୁ ନେଇ ମୁହଁ ଖୋଲିଲେ କଙ୍ଗନା । ହିମାଚଳ ପ୍ରଦେଶର ମାଣ୍ଡି ଲୋକସଭା ଆସନର ବିଜେପି ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଗୋମାଂସ ଖାଉଥିବା ନେଇ ଅଭିଯୋଗ କରିଥିଲେ କଂଗ୍ରେସ ନେତା ବିଜୟ । ଏହି ଅଭିଯୋଗକୁ ବର୍ତ୍ତମାନ ଖଣ୍ଡନ କରିଛନ୍ତି କଙ୍ଗନା । ସେ କହିଛନ୍ତି ଯେ, ମୁଁ ଗୋମାଂସ ଖାଏନି କୁ କୌଣସି ମାଂସ ଖାଏନି ।

ଏନେଇ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଏକ ପୋଷ୍ଟ କରିଛନ୍ତି କଙ୍ଗନା । ପୋଷ୍ଟରେ କଙ୍ଗନା ଲେଖିଛନ୍ତି ଯେ, ନା ମୁଁ ଗୋମାଂସ ଖାଏ ନା ଅନ୍ୟ କୌଣସି ମାଂସ । ଏହା ଅତ୍ୟନ୍ତ ଲଜ୍ଜାଜନକ କଥା । କଂଗ୍ରେସ ନେତା ମୋତେ ନେଇ ଯେଉଁ ଅଭିଯୋଗ କରିଛନ୍ତି ତାହା ସମ୍ପୁର୍ଣ୍ଣ ଭିତ୍ତିହୀନ । ମୋ ନାମରେ ଗୁଜବ ପ୍ରଚାରିତ କରୁଛନ୍ତି ବିରୋଧୀ । ମୁଁ ଗତ ଦଶନ୍ଧି ଧରି ଯୋଗ ଏବଂ ଆୟୁର୍ବେଦିକ ଜୀବନଶୈଳୀକୁ ପ୍ରୋତ୍ସାହିତ କରିଆସୁଛି ।

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଏଭଳି ରଣନୀତି ଦ୍ଵାରା ମୋ ଭାବମୂର୍ତ୍ତିକୁ ଖରାପ କରିବା ସମ୍ଭବ ହେବ ନାହିଁ । କାରଣ ଲୋକମାନେ ମୋତେ ଭଲଭାବରେ ଜାଣନ୍ତି । ମୁଁ ଜଣେ ହିନ୍ଦୁ, ଆଉ ଏଥିପାଇଁ ମୁଁ ଗର୍ବୀତ । ତେଣୁ ଏପରି କୌଣସି ଭ୍ରାନ୍ତ ଅଭିଯୋଗ ଲୋକମାନଙ୍କୁ କେବେ ବି ବିଭ୍ରାନ୍ତ କରିପାରିବ ନାହିଁ ।

ସୂଚନାଯୋଗ୍ୟ ଯେ, କଂଗ୍ରେସ ନେତା ବିଜୟ ୱାଡେଟିୱର କଙ୍ଗନାଙ୍କ ଉପରେ ଏକ ଆରୋପ ଲଗାଇ କହିଥିଲେ ଯେ, ବିଜେପି ପ୍ରାର୍ଥୀ କଙ୍ଗନା ରଣାୱତ ନିକଟରେ କହିଥିଲେ ଯେ ସେ ଗୋମାଂସ ଖାଆନ୍ତି ଏବଂ ଗୋମାଂସ ତାଙ୍କୁ ପସନ୍ଦ । ଏହାର ଏକ ପୋଷ୍ଟ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହାପରେ ମଧ୍ୟ ବିଜେପି ତାଙ୍କୁ କେମିତି ଟିକେଟ ଦେଇ ପ୍ରାର୍ଥୀ କରିଛି ବୋଲି କହିଥିଲେ କଂଗ୍ରେସ ନେତା ବିଜୟ । ସେପଟେ କଂଗ୍ରେସ ନେତାଙ୍କ ଏହିଭଳି ମନ୍ତବ୍ୟରେ ଉତ୍ତର ଦେଇ ବିଜେପି କହିଛି ଯେ, କଂଗ୍ରେସ ଯେଉଁ ଆରୋପ ଆଣିଛି ,ତାହା ତା’ର ନୀଚ ମନଭାବକୁ ଦର୍ଶାଉଛି। ସେ ଆମ ସହ ଲଢେଇ କରିପାରିବେ ନାହିଁ। ତେଣୁ ଏହିଭଳି କିଛି ପ୍ରସଙ୍ଗ ଆଣି ନିଜର ବିଜୟୀର ଆଶାକୁ ସୃଦୁଢ କରିପାରିବ ବୋଲି ଭାବୁଛି ।

Comments are closed, but trackbacks and pingbacks are open.