ଭୁବନେଶ୍ୱର:ଘର ଭଡ଼ା ବ୍ୟବସ୍ଥାରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ। ବଦଳିବ ୫୯ ବର୍ଷର ପୁରୁଣା ଆଇନ । ଏଣିକି ଖାଲି କଥାବାର୍ତ୍ତା କରି, ଆଗୁଆ ଟଙ୍କା ଦେଇ କିମ୍ବା ନେଇ, ଆପଣ ଦେଇପାରିବେନି କିମ୍ବା ନେଇପାରିବେନି ଘରଭଡା । ଓଡ଼ିଶାର ସହରାଞ୍ଚଳରେ ଘରଭଡ଼ା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ଆଧୁନିକ ଓ ଜବାବଦେହୀ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ଅର୍ବାନ୍ ରେଣ୍ଟ କଣ୍ଟ୍ରୋଲ୍ ଆକ୍ଟ-୨୦୨୬’ ର ଖସଡ଼ା ପ୍ରସ୍ତୁତ କରିଛନ୍ତି। ଏହି ନୂଆ ଆଇନ ଲାଗୁ ହେଲେ ୫୯ ବର୍ଷ ପୁରୁଣା ହାଉସ୍ ରେଣ୍ଟ କଣ୍ଟ୍ରୋଲ୍ ଆକ୍ଟ-୧୯୬୭ ଏବଂ ଏହାର ୧୯୭୪ ସଂଶୋଧନକୁ ରଦ୍ଦ କରାଯିବ।ନୂଆ ଆଇନ ଅନୁଯାୟୀ, ଘରମାଲିକ ଓ ଭଡ଼ାଟିଆଙ୍କ ମଧ୍ୟରେ ହେଉଥିବା ମୌଖିକ ଚୁକ୍ତି ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବ। ଏଣିକି ପ୍ରତ୍ୟେକ ଭଡ଼ା ବ୍ୟବସ୍ଥା ପାଇଁ ଲିଖିତ ଚୁକ୍ତି କରିବା ବାଧ୍ୟତାମୂଳକ ହେବ ଏବଂ ଏହାକୁ ଚୁକ୍ତି ସ୍ୱାକ୍ଷରର ୬୦ ଦିନ ମଧ୍ୟରେ ରେଣ୍ଟ ଅଥରିଟି ଓ ସ୍ଥାନୀୟ ଥାନାରେ ପଞ୍ଜୀକରଣ କରିବାକୁ ପଡ଼ିବ।ସରକାର ଏକ ସ୍ୱତନ୍ତ୍ର ଡିଜିଟାଲ୍ ପୋର୍ଟାଲ ଆରମ୍ଭ କରିବେ, ଯାହା ମାଧ୍ୟମରେ ଘରମାଲିକ ଓ ଭଡ଼ାଟିଆ ଅନଲାଇନରେ ଚୁକ୍ତି ପଞ୍ଜୀକରଣ କରିପାରିବେ। ଏହା ଦ୍ୱାରା ସମସ୍ତ ରେକର୍ଡ ସ୍ୱଚ୍ଛ ରହିବା ସହ ଆଇନଗତ ବିବାଦ କମିବ ବୋଲି ସରକାର ଆଶା ରଖିଛନ୍ତି।ଏଣିକି ମୌଖିକରେ ଭଡ଼ା ଚୁକ୍ତି ହେବ ନାହିଁ। ପ୍ରତ୍ୟେକ ଚୁକ୍ତି ଲିଖିତ ଭାବେ କରିବାକୁ ପଡ଼ିବ। ଏଥିପାଇଁ ୬୦ ଦିନ ମଧ୍ୟରେ ପଞ୍ଜୀକରଣ ବାଧ୍ୟତାମୂଳକ । ଅର୍ଥାତ୍ ଚୁକ୍ତି ସ୍ୱାକ୍ଷର ପରେ ଦୁଇ ମାସ ମଧ୍ୟରେ ପଞ୍ଜୀକରଣ କରିବା ଆବଶ୍ୟକ।ଘରମାଲିକ ଓ ଭଡ଼ାଟିଆ ପରସ୍ପର ସମ୍ମତିରେ ଭଡ଼ା ରାଶି ଓ ବୃଦ୍ଧି ସର୍ତ୍ତ ନିର୍ଦ୍ଧାରଣ କରିପାରିବେ।ଡିଜିଟାଲ୍ ଟ୍ରାକିଂ ବ୍ୟବସ୍ଥା-ପଞ୍ଜୀକରଣ, ନବୀକରଣ ଓ ଅନ୍ୟାନ୍ୟ ତଥ୍ୟ ଅନଲାଇନରେ ସହଜରେ ଉପଲବ୍ଧ ହେବ lଅଧିକାରୀମାନଙ୍କ ମତରେ, ଏହି ଆଇନ ଦ୍ୱାରା ଭଡ଼ାଟିଆଙ୍କୁ ଅନ୍ୟାୟ ଉଚ୍ଛେଦରୁ ସୁରକ୍ଷା ମିଳିବ। ସେହିପରି ଘରମାଲିକମାନେ ମଧ୍ୟ ଆଇନଗତ ଭାବେ ନିଜ ଅଧିକାର ସୁରକ୍ଷିତ ରଖିପାରିବେ। କଳାଧନ କାରବାର ଓ ଅନିୟମିତ ଭଡ଼ା ବ୍ୟବସ୍ଥାକୁ ମଧ୍ୟ ଏହା ନିୟନ୍ତ୍ରଣ କରିବ।ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଏହି ଖସଡ଼ା ଆଇନ ଉପରେ ସାଧାରଣ ଲୋକ, ଘରମାଲିକ, ଭଡ଼ାଟିଆ, ବିଶେଷଜ୍ଞ ଏବଂ ବିଭିନ୍ନ ସଂଗଠନଙ୍କ ମତାମତ ଲୋଡିଛନ୍ତି।
Comments are closed, but trackbacks and pingbacks are open.