କୋଳଥ ଚାଷ

17

କୋଳଥକୁ ବିଭିନ୍ନ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଥାଏ । ଏହାକୁ ଡାଲି କରି ଖିଆଯାଏ । ଏହା ଗୋଖାଦ୍ୟ ରୂପେ ମଧ୍ୟ ବ୍ୟବହାର କରାଯାଏ । ଏହି ଫସଲ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡ଼ୁ, ଓଡ଼ିଶା, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ ଆଦି ରାଜ୍ୟରେ ଚାଷ କରାଯାଇଥାଏ । କୋଳଥରେ ଯଥେଷ୍ଟ ପରିମାଣର ପୁଷ୍ଟିସାର ଥାଏ । ଦାନ୍ତ ତଥା ପେଟ ରୋଗ ଭଲ କରିବାରେ ଏହା ସହାୟକ ହୁଏ ବୋଲି କେହି କେହି କହନ୍ତି । ଆମ ରାଜ୍ୟରେ ପ୍ରାୟ ଦୁଇ ଲକ୍ଷ ୪୧ ହଜାର ହେକ୍ଟର ଜମିରେ କୋଳଥ ଚାଷ କରାଯାଏ ।
ଏହି ଫସଲର ମରୁଡ଼ି ସହନଶୀଳତା କ୍ଷମତା ରହିଛି । ବିନା ପାଣିରେ ଏହା ଚାଷ କରାଯାଇପାରିବ । ଅନୁର୍ବର ଜମିରେ ମଧ୍ୟ ଏହି ଫସଲ ଚାଷ ହୋଇପାରିବ । ତେଣୁ ଜଳସେଚନର ସୁବିଧା ନଥିବା ଅଞ୍ଚଳରେ ଏହି ଫସଲ ଚାଷ କରି ଅଧିକ ଲାଭ କରିହେବ । କ୍ଷାରୀ ବା ଲୁଣି ମାଟିରେ ଏହାକୁ ଚାଷ କରିବା ଉଚିତ ନୁହେଁ । ଏହି ଫସଲ ଚାଷ କଲେ ମାଟିର ଉର୍ବରତା ବଢ଼ିଥାଏ
ଉପକୂଳବର୍ତ୍ତୀ ଜିଲ୍ଳାମାନଙ୍କରେ ଏହି ଫସଲ ଶୀତଦିନେ ଚାଷ କରାଯାଏ । କିନ୍ତୁ ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ଏହା ପ୍ରାକ୍‌-ରବି ଋତୁରେ ଚାଷ କରାଯାଇଥାଏ ।
କୋଳଥର ଅନେକ ଉନ୍ନତ କିସମ ରହିଛି । ସେସବୁ ହେଲା – ଡିଏସ୍‌୧-୨, ଡିଏସ୍ ୨-୨ (ଉର୍ମି), ସିଓ-୧, ପିଡିଏମ୍‌-୧, ଏଚ୍‌ପିକେ-୨ ଇତ୍ୟାଦି । ଏକ ଏକର ଜମିରେ ବୁଣିବା ପାଇଁ ୨୦ କି.ଗ୍ରା. ବିହନ ଦରକାର । ବୁଣିବା ପୂର୍ବରୁ ପ୍ରତି କିଲୋଗ୍ରାମ ବିହନ ସହିତ ତିନିଗ୍ରାମ ଥିରାମ ବା ଦେଢ଼ଗ୍ରାମ ବାଭିଷ୍ଟିନ୍ ମିଶାଇ ବିଶୋଧନ କରିବା ଉଚିତ । ବିହନକୁ ଜୀବାଣୁ କଲଚର ସହ ଗୋଳାଇ ବୁଣିଲେ ଗଛକୁ ଅଧିକ ଯବକ୍ଷାର ସାର ମିଳିଥାଏ ।
ବୁଣିବା ପୂର୍ବରୁ ଜମିକୁ ଭଲ ଭାବେ ହଳ କରି ମାଟି ଗୁଣ୍ଡ କରିଦେବା ଆବଶ୍ୟକ । ବିହନକୁ ଛଟା ବୁଣା କରାଯାଇ ପାରେ ବା ଧାଡ଼ିଧାଡ଼ି କରି ବୁଣାଯାଇପାରେ । ଧାଡ଼ିକୁ ଧାଡ଼ି ୩୦ ସେଣ୍ଟିମିଟର ଦୂରତାରେ ବିହନ ବୁଣିଲେ ଗଛ ସଂଖ୍ୟା ଠିକ୍ ରହେ । ଶେଷ ଓଡ଼ ଚାଷ ବେଳେ ଜମିରେ ପ୍ରାୟ ୨୦ କ୍ୱିଣ୍ଟାଲ ସଢ଼ା ଗୋବରଖତ ବା କମ୍ପୋଷ୍ଟ ମିଶାଇଲେ ଅଧିକ ଅମଳ ମିଳିଥାଏ ।
ବୁଣିବା ବେଳେ ଏକର ପିଛା ୫ କି.ଗ୍ରା. ଯବକ୍ଷର ଓ ୧୦ କି.ଗ୍ରା. ଫସଫରସ ପ୍ରୟୋଗ କରିବାକୁ ହୋଇଥଶଏ । ଏଥିପାଇଁ ଏକର ପ୍ରତି ୨୨ କି.ଗ୍ରା. ଡିଏପି ଓ ୨ କି.ଗ୍ରା. ୟୁରିଆ ପ୍ରୟୋଗ କରିବାକୁ ହେବ । ଏହା ବଦଳରେ ଏକର ପ୍ରତି ୧୮ କି.ଗ୍ରା. ଗ୍ରୋମୋର (୨୮-୨୮-୦) ଓ ୩୧ କି.ଗ୍ରା. ସିଙ୍ଗଲ ସୁପର ଫସଫେଟ୍ ବ୍ୟବହାର କରାଯାଇପାରେ । ଏହା ବଦଳରେ ଏକର ପ୍ରତି ୧୧ କି.ଗ୍ରା. ୟୁରିଆ ଓ ୬୩ କି.ଗ୍ରା. ସିଙ୍ଗଲ ସୁପର ଫସଫେଟ୍ ବ୍ୟବହାର କରିବାକୁ ପଡ଼ିବ । ହିସାବ କରି ଅନ୍ୟାନ୍ୟ ସାର ମଧ୍ୟ ବ୍ୟବହାର କରାଯାଇପାରେ । ସୁବିଧା ଥିଲେ ଶୀତଦିନେ କୋଳଥ ଫସଲରେ ୨୦୩ ଥର ପାଣି ମଡ଼ାଇବା ଦରକାର । ଏହି ଫସଲ ହାରାହାରି ୧୫ ସେଣ୍ଟିମିଟର ଜଳ ଆବଶ୍ୟକ କରିଥାଏ ।
ଏହି ଫସଲରେ ପାଉଁଶିଆ ରୋଗ ଦେଖାଯାଏ । ଏହି ରୋଗ ହେଲେ ପତ୍ର ଉପରେ ପାଉଁଶ ପରି ଗୁଣ୍ଡ ଦେଖିବାକୁ ମିଳେ । ଏହାଦ୍ୱାରା ଅମଳ କମିଯାଇଥାଏ । ଏଥିରୁ ଫସଲ ରକ୍ଷା କରିବା ପାଇଁ ଏକର ପ୍ରତି ୨୦୦ ଗ୍ରାମ ବାଭିଷ୍ଟିନ୍‌କୁ ୨୦୦ ଲିଟର ପାଣି ସହ ମିଶାଇ ସ୍ପ୍ରେ କରିବାକୁ ହେବ । କୋଳଥ ଫସଲରେ ସାହେବୀ ରୋଗ ଦେଖାଯାଏ । ଏହା ଧଳାମାଛି ଦ୍ୱାରା ବ୍ୟାପୁଥିବା ଏକ ଭୂତାଣୁ ଜନିତ ରୋଗ । ଏହି ରୋଗ ହେଲେ ଗଛର ପତ୍ର ହଳଦିଆ ପଡ଼ିଯାଏ ଓ ଅମଳ କମିଯାଏ । ଏହି ରୋଗ ନ ହେବା ପାଇଁ ରୋଗର ବାହକ ଧଳାମାଛିକୁ ଦମନ କରିବା ଉଚିତ । ଏଥିପାଇଁ ଏକର ପ୍ରତି ୪୦୦ ମିଲିଟିର କୁଇନାଲଫସ ଔଷଧକୁ ୨୦୦ ଲିଟର ପାଣି ସହ ମିଶାଇ ସ୍ପ୍ରେ କରିବାକୁ ହେବ ।
ଛୁଇଁଗୁଡ଼ିକ ପାକଳ ହୋଇ ଶୁଖିଗଲେ କୋଳଥ ଅମଳ କରାଯାଏ । ଗଛଗୁଡ଼ିକ କାଟି ଆଣିଲେ ଚେର ଅଂଶ ମାଟି ଭିତରେ ରହେ । ଫଳରେ ମାଟି ଅଧିକ ଉର୍ବର ହୋଇଥାଏ । ଏକ ଏକର ଜମିରେ ହାରାହାରି ୫-୬ କ୍ୱିଣ୍ଟାଲ ଅମଳ ମିଳିଥାଏ ।

Comments are closed, but trackbacks and pingbacks are open.